ETV Bharat / state

ଭିତ୍ତିଭୂମି ଥାଇ ବି ଲୋକଙ୍କୁ ମିଳୁନି ଉନ୍ନତ ଚିକିତ୍ସା ସୁବିଧା, ବଢୁଛି ରେଫର ସଂଖ୍ୟା

author img

By ETV Bharat Odisha Team

Published : Jan 12, 2024, 5:41 PM IST

Health Services Hit in Bhadrak
Health Services Hit in Bhadrak

Health Services Hits in Bhadrak: ଭଦ୍ରକ ଜିଲ୍ଲାରେ ରୋଗୀଙ୍କୁ ମିଳୁନି ଉନ୍ନତମାନର ଚିକିତ୍ସା । ସାମାନ୍ୟ ଗୁରୁତର ରୋଗୀଙ୍କୁ ମଧ୍ୟ କଟକ ମେଡିକାଲ କଲେଜକୁ ରେଫର କରାଯାଉଥିବା ଅଭିଯୋଗ ହେଉଛି । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ନୀରବତାକୁ ନେଇ ଉଠୁଛି ପ୍ରଶ୍ନ । ଦେଖନ୍ତୁ ରିପୋର୍ଟ

Health Services Hit in Bhadrak

ଭଦ୍ରକ: ଜିଲ୍ଲା ମାନ୍ୟତା ପାଇବାକୁ ଇତି ମଧ୍ୟରେ 30 ବର୍ଷ ବିତିଲାଣି ହେଲେ ସ୍ବାସ୍ଥ୍ୟ ସେବାରେ ସୁଧାର ଆସୁନାହିଁ । ଉନ୍ନତମାନର ଚିକିତ୍ସା ସୁବିଧା ପାଇବା ପାଇଁ ହସ୍ପିଟାଲ ତିଆରି ହୋଇଥିବା ବେଳେ ଏବେ ଅବସ୍ଥା ନକହିବା ଭଲ । ଭିତ୍ତିଭୂମି ଥାଇ ବି ସାଧାରଣ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ଜିଲ୍ଲାବାସୀ । ଅବସ୍ଥା ଟିକେ ଖରାପ ହେଲେ କଟକ କିମ୍ବା ଭୁବନେଶ୍ବରକୁ ରେଫର କରୁଥିବା ନେଇ ରୋଗୀ ଏବଂ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ସରକାର ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଥିଲେ ମଧ୍ୟ ରୋଗୀଙ୍କୁ ସଙ୍କଟ ଜନକ ଅବସ୍ଥାରେ କଟକ ନେବା ଏବଂ ତୁରନ୍ତ ସେବା ଯୋଗାଇ ଦେବା ସାଧାରଣ ଲୋକଙ୍କ ପାଇଁ କାଠିକର ପାଠ ହେଉଛି । ଫଳରେ ରୋଗୀଙ୍କ ଜୀବନ ବଞ୍ଚାଇବା କଷ୍ଟକର ହେଉଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ବଢୁଛି ସ୍ଥାନାନ୍ତରିତ ରୋଗୀଙ୍କ ସଂଖ୍ୟା: ଅନ୍ୟ ପକ୍ଷରେ ଜିଲ୍ଲାରେ ଏକ ମେଡିକାଲ କଲେଜ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଦୀର୍ଘ ବର୍ଷ ଧରି ଜିଲ୍ଲାବାସୀ ଦାବି କରି ଆସୁଥିବା ବେଳେ ତାହା କେବଳ ଦାବିରେ ରହିଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, କେବଳ ଭଦ୍ରକ ଜିଲ୍ଲାରୁ ବାର୍ଷିକ 5 ହଜାରରୁ ଊର୍ଦ୍ଧ୍ବ ରୋଗୀ କଟକ ମେଡିକାଲ କଲେଜକୁ ରେଫର ହେଉଛନ୍ତି । ସ୍ଥାନାନ୍ତର ହେଉଥିବା ରୋଗୀଙ୍କ ମଧ୍ୟରୁ କିଛି ସୁସ୍ଥ ହୋଇ ଫେରୁଛନ୍ତି ଏବଂ କେତେ ଜଣଙ୍କର ମୃତ୍ୟୁ ମଧ୍ୟ ହେଉଛି । ଯାହାର ହିସାବ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଖରେ ମଧ୍ୟ ନାହିଁ ।

ଏହା ମଧ୍ୟ ପଢନ୍ତୁ: ଶିକ୍ଷା, ସ୍ବାସ୍ଥ୍ୟ ସବୁକ୍ଷେତ୍ରରେ ରାଜ୍ୟ ସରକାର ବିଫଳ: ବିଜେପି

ଅନେକ କାରଣ ଦର୍ଶାଇ ଡାକ୍ତରଖାନା ଆସୁ ଆସୁ ସାମାନ୍ୟ ଗୁରୁତର ରୋଗୀଙ୍କୁ କଟକ ରେଫର କରୁଛନ୍ତି ଡାକ୍ତର । ମିଳିଥିବା ତଥ୍ୟ ଅନୁଯାୟୀ, 2021-2022 ମସିହାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋଟ 86 ହଜାର 439 ଜଣ ରୋଗୀଙ୍କୁ ଇଣ୍ଡୋର ଆଡ଼ମିଶନ କରାଯାଇଥିବା ବେଳେ ସେଥିରୁ 4 ହଜାର 48 ଜଣଙ୍କୁ କଟକ ରେଫର କରାଯାଇଥିଲା । ଉକ୍ତ ବର୍ଷ ଜିଲ୍ଲାରେ ଚିକିତ୍ସାଧୀନ ଅବସ୍ଥାରେ 651 ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି 2022-2023 ମସିହା 31 ମାର୍ଚ୍ଚ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 1 ଲକ୍ଷ 3 ହଜାର 203 ଜଣ ରୋଗୀଙ୍କୁ ଇଣ୍ଡୋର ଆଡ଼ମିସନ କରାଯାଇଥିବା ବେଳେ ସେଥୁରୁ 5 ହଜାର 229 ଜଣଙ୍କୁ କଟକ ରେଫର କରାଯାଇଥିଲା । ସେହି ବର୍ଷ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ 564 ଜଣ ରୋଗୀଙ୍କର ଚିକିତ୍ସାଧନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପୂର୍ବ ବର୍ଷ ତୁଳନାରେ ଗତ ବର୍ଷ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ରେଫରାଲ ସଂଖ୍ୟା ବୃଦ୍ଧି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଦୁର୍ବଳତାକୁ ପଦାରେ ପକାଇ ଦେଇଛି ।

ସମସ୍ୟା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପ୍ରତିକ୍ରିୟା: ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, "ଆମ ପାଖରେ ସମସ୍ତ ପ୍ରକାର ସୁବିଧା ନାହିଁ । ସମସ୍ତ ବିଭାଗର ଅଭିଜ୍ଞ ଡାକ୍ତର ନାହାନ୍ତି । ତେଣୁ ଆମେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ କଟକ ସ୍ଥାନାନ୍ତର କରୁଛୁ । ଯଦି ଆମେ ଠିକ ସମୟରେ ରୋଗୀଙ୍କୁ ରେଫର ନକରିବୁ ତାହେଲେ ରୋଗୀ ଉନ୍ନତ ଚିକିତ୍ସା ସୁବିଧା ପାଇବାରୁ ବଞ୍ଚିତ ହେବ।"

ସରକାର ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଅଭିଜ୍ଞ ଡାକ୍ତର ଏବଂ କର୍ମଚାରୀ ଅଭାବରୁ ସାଧାରଣ ଲୋକଙ୍କୁ ସରକାରୀ ସ୍ବାସ୍ଥ୍ୟ ସେବାର ସୁଫଳ ମିଳୁ ନାହିଁ ବୋଲି ଅଭିଯୋଗ ହୋଇଛି । ସରକାରଙ୍କ ମାଗଣା ସ୍ବାସ୍ଥ୍ୟ ସେବା ବ୍ଯବସ୍ଥା ଥାଇ ମଧ୍ୟ ଜୀବନ ବଞ୍ଚାଇବାକୁ ଲୋକଙ୍କୁ ଘରୋଇ ଡାକ୍ତରଖାନା ଏବଂ ଘରୋଇ ଡାକ୍ତରଙ୍କ ଆଶ୍ରୟ ନେବାକୁ ପଡ଼ୁଛି । ଏବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନର ନଜର ପଡୁଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.