ETV Bharat / state

ବାବା ଆଖଣ୍ଡଳମଣି ପୀଠର ହେବ ରୂପାନ୍ତରଣ, 42 କୋଟି ଟଙ୍କା ବ୍ୟୟବରାଦ

author img

By ETV Bharat Odisha Team

Published : Oct 10, 2023, 11:59 AM IST

ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବ ବାବା ଆଖଣ୍ଡଳମଣିଙ୍କ ପୀଠ । ରାଜ୍ୟର ପ୍ରସିଦ୍ଧ ଶୈବପୀଠ ତଥା ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ବାବା ଆଖଣ୍ଡଳମଣିଙ୍କ ପୀଠର ପୁଣି ହେବ ରୂପାନ୍ତରଣ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠର ହେବ ରୂପାନ୍ତରଣ, 42କୋଟି ଟଙ୍କାର ବ୍ୟବବରାଦ
ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠର ହେବ ରୂପାନ୍ତରଣ, 42କୋଟି ଟଙ୍କାର ବ୍ୟବବରାଦ


ଭଦ୍ରକ: ରାଜ୍ୟର ପ୍ରସିଦ୍ଧ ଶୈବପୀଠ ତଥା ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ବାବା ଆଖଣ୍ଡଳମଣିଙ୍କ ପୀଠର ପୁଣି ହେବ ରୂପାନ୍ତରଣ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହି ଦ୍ବିତୀୟ ପର୍ଯ୍ୟାୟ ରୂପାନ୍ତରଣ ପାଇଁ 42 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ 6 କୋଟି ଟଙ୍କା ଦିଆଯାଇଛି । ତେବେ ଏହା ପୂର୍ବରୁ 6 କୋଟି ଟଙ୍କା ବ୍ୟୟରେ ସାଇନ୍ସପାର୍କ, 3 କୋଟି ଟଙ୍କାର ପାନ୍ଥ ନିବାସ, 2 କୋଟି ଟଙ୍କାର ଶିବଗଙ୍ଗା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ସହ ମେଡିକାଲର ଉନ୍ନତିକରଣ, 50 କୋଠରୀ ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ, ନୂତନ ବସ ଷ୍ଟାଣ୍ଡ ନିର୍ମାଣ ଆଦି ନିମନ୍ତେ 25 କୋଟି ଟଙ୍କାର କାର୍ଯ୍ୟ ଏବେ ପୂର୍ଣ୍ଣ ରୂପରେଖ ନେବାକୁ ଯାଉଛି ।

ବାବା ଆଖଣ୍ଡଳମଣି ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ 42 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ତେବେ ଏହି କାର୍ଯ୍ୟକୁ ତ୍ବରାନିତ୍ବ କରିବା ସହ ଯଥାଶୀଘ୍ର ଅର୍ଥାତ ଚଳିତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ସାରିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି ବୋଲି ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ..ଶାରଳା ମନ୍ଦିର ସୌନ୍ଦର୍ଯ୍ୟକରଣକୁ ନେଇ ଜିଲ୍ଲାପାଳଙ୍କ ରିପୋର୍ଟ ତଲବ, ସେବକ ଅସନ୍ତୋଷ

ଏହି ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟରେ ଆଖଣ୍ଡଳମଣି ବାବାଙ୍କ ମନ୍ଦିର ଚତୁଃପାର୍ଶ୍ବ ସମେତ ଶିବଗଙ୍ଗା ପୁଷ୍କରିଣୀ ଠାରୁ 20 ମିଟର ଯାହାକି 65 ଫୁଟ ଜମି ଅଧିଗ୍ରହଣ କରାଯିବା ସହ ଶିବପ୍ଲାଜା, ପାର୍କିଂ, ପ୍ରବେଶ ପଥରେ ସୌନ୍ଦର୍ଯ୍ୟ ତୋରଣ, ପରିକ୍ରମା ପ୍ରକଳ୍ପ, ଆନନ୍ଦ ବଜାର, ଭୋଗ ମଣ୍ଡପ ଆଦି ପ୍ରକଳ୍ପ ରହିଛି । ଏଥିପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ସରିଛି । ଆସନ୍ତା 15 ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି । ଅନ୍ୟପଟେ ସେବାୟତ ଏବଂ ସ୍ଥାନୀୟ ବାସିନ୍ଦା ଏହି କାର୍ଯ୍ୟକୁ ସ୍ବାଗତ କରିବା ସହ ଉଚିତ ମୂଲ୍ୟାଙ୍କନ କରି ଜାଗା ଅଧିଗ୍ରହଣ କରିବାକୁ ପ୍ରଶାସନକୁ ଜଣାଯାଇଥିବା ସୂଚନା ମିଳିଛି ।

ଏଥିସହ ଶ୍ରୀଜିଉଙ୍କ ଦୈନନ୍ଦିନ ନୀତିକାନ୍ତିରେ ବ୍ୟବହୃତ ହେଉଥିବା ପୂଜା ବାସନ ସହ ନୀତିଭୋଗ ବାସନ ରଖିବା ନିମନ୍ତେ ସମସ୍ତ ବିସ୍ଥାପିତ ପରିବାରଙ୍କୁ ଗୋଟିଏ ଲେଖାଏଁ ଘର ଯୋଗାଇ ଦେବାକୁ ଆଲୋଚନା ହୋଇଥିଲା । ଏହି ଉନ୍ନୟନ କାର୍ଯ୍ୟ ଆରମ୍ଭରୁ ପୀଠରେ 3 ଦିନ ଧରି ଏକ ଭୂମି ପୂଜନ ଏବଂ ଯଜ୍ଞ ଉତ୍ସବ ପାଳନ ନିମନ୍ତେ ସେବାୟତମାନେ ମତ ରଖିଥିଲେ । ଯାହାକୁ ଆଧାର କରି ଚଳିତ ମାସ 11 ତାରିଖରୁ ଦିନାଙ୍କ ସ୍ଥିର କରାଯାଇ କାର୍ଯ୍ୟ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏହାମଧ୍ୟ ପଢନ୍ତୁ..ନଭେମ୍ବର ସୁଦ୍ଧା ଶେଷ ହେବ କଟକ ଚଣ୍ଡୀ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

ସୂଚନାଯୋଗ୍ୟ, ଚଳିତ ବର୍ଷ ସେପ୍ଟମ୍ବର ମାସରେ ବିସ୍ଥାପିତମାନଙ୍କ ସହ ଜିଲ୍ଲା ପ୍ରଶାସନ ଏକ ବୈଠକ କରି ସିଧାସଳଖ ଆଲୋଚନା କରିଥିଲେ । ଏବେ କାର୍ଯ୍ୟ ଆରମ୍ଭ ପୂର୍ବରୁ ବିସ୍ଥାପିତ ମାନଙ୍କ ଦ୍ବାରା ଗଠିତ ଏକ ପ୍ରତିନିଧି ଦଳଙ୍କୁ ନେଇ ପୀଠ ଏବଂ ବିସ୍ଥାପିତଙ୍କ ସମସ୍ୟାକୁ ନେଇ ଆଲୋଚନା କରିଥିଲେ ପ୍ରଶାସନିକ ଅଧିକାରୀ । ଅନ୍ୟପଟେ ସବୁ ଦିନ ପାଇଁ ଜୀବନ ଜୀବିକା ହରାଉଥିବା 100ରୁ ଊର୍ଦ୍ଧ୍ବ ବିସ୍ଥାପିତ ନିଜ ନିଜର ମତ ରଖିବା ସହ ଅନେକ ଦାବି ରଖିଛନ୍ତି । ଏହି ବୈଠକରେ ଭଦ୍ରକ ଉପ-ଜିଲ୍ଲାପାଳ ମନୋଜ ପାତ୍ର, ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର, ଭୂଅର୍ଜନ ବିଭାଗର ଜିଲ୍ଲା ଅଧିକାରୀ କାର୍ତ୍ତିକ ମଣ୍ଡଳ, ଅତିରିକ୍ତ ତହସିଲିଦାର, ଟ୍ରଷ୍ଟ ବୋର୍ଡ ସଭ୍ୟ ସରୋଜ ଦାସ, ସନ୍ତୋଷ ପାଢି, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇଙ୍କ ସହ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.