ETV Bharat / state

ବାବା ଆଖଣ୍ଡଳମଣିଙ୍କ ଲଗ୍ନ ଥାଳ ଉଠା କାର୍ଯ୍ଯ ସମ୍ପନ୍ନ

author img

By

Published : Jun 3, 2021, 8:34 PM IST

ଚଳିତ ଜୁନ 15ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ । ଏଥିପାଇଁ ବରପିତା ଓ କନ୍ଯାପିତା ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ...

ଶିବ ବିବାହ ପାଇଁ ଉଠିଲା ଲଗ୍ନଥାଳ
ଶିବ ବିବାହ ପାଇଁ ଉଠିଲା ଲଗ୍ନଥାଳ

ଭଦ୍ରକ: ଚଳିତ ଜୁନ 15ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ । ଏଥିପାଇଁ ବରପିତା ଓ କନ୍ଯାପିତା ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇଛି । ଚଳିତ ବର୍ଷ ବର ପିତା ଭାବେ ସେବାୟତ ବାଙ୍କ ବିହାରୀ ପାଢୀଙ୍କ ପୁତ୍ର ସୌଭାଗ୍ଯ ଲାଭ କରିଥିବା ବେଳେ କନ୍ଯା ପିତା ଭାବେ ସେବାୟତ ଚନ୍ଦ୍ରମଣି ପାଢୀଙ୍କ ଜଜମାନ ବ୍ରହ୍ମପୁର ନିବାସୀ ଚନ୍ଦ୍ରଶେଖର ଦାଶ ସୌଭାଗ୍ଯ ପ୍ରାପ୍ତ ହୋଇଛନ୍ତି।

ଶିବ ବିବାହ ପାଇଁ ଉଠିଲା ଲଗ୍ନଥାଳ

ବିଧି ବିଧାନ ଅନୁଯାୟୀ ଲଗ୍ନ ଥାଳ ଉଠା କାର୍ଯ୍ଯ ସମ୍ପନ୍ନ ହୋଇଛି । ଏଥିପାଇଁ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯିବା ସହ ମଧ୍ଯାହ୍ନରେ ବର ପିତାଙ୍କ ଘରୁ ଏକ ସୁସଜ୍ଜିତ ଲଗ୍ନଥାଳି କନ୍ଯା ଘର ଅଭିମୁଖେ ବାହାରିଥିଲା। କନ୍ଯା ଘର ପକ୍ଷରୁ ମନ୍ଦିର କାର୍ଯ୍ଯାଳୟ ପରିସରରେ ସୁସଜ୍ଜିତ ବେଦିରେ ବ୍ରାହ୍ମଣଙ୍କ ଦ୍ବାରା ଲୋକାଚାରରେ ଲଗ୍ନ କାର୍ଯ୍ଯ ଅନୁଷ୍ଠିତ ହୋଇଥିଲା। ଜ୍ଯୋତିଷଙ୍କ ଦ୍ବାରା ତାଳପତ୍ର ଓ ଲେଖନୀ ଦ୍ବାରା ଲଗ୍ନ ଚିଟାଉ ଲେଖାଯିବା ପରେ ଉଭୟ ବର କର୍ତ୍ତା ଓ କନ୍ଯା କର୍ତ୍ତାଙ୍କ ଉପସ୍ଥିତିରେ ପଠନ କରାଯାଇଥିଲା। ପରେ କନ୍ଯା ପିତା ଚନ୍ଦ୍ରମଣି ପାଢୀ ଲଗ୍ନ ଥାଳକୁ ବର ପିତାଙ୍କ ହସ୍ତକୁ ସମର୍ପିତ କରିଥିଲେ।

ଏପରିକି ବିଧି ବିଧାନ ଅନୁଯାୟୀ କନ୍ଯା ପିତା ବର ପକ୍ଷଙ୍କୁ ଯୌତୁକ ବାବଦକୁ 1001 ଟଙ୍କା ସହ 4 ହଳ ନାଗ ନାଗୁଣୀ, 2 ହଳ ଷଣ୍ଢ ଦେବା ପାଇଁ ସର୍ବସମତି କ୍ରମେ କହିଥିଲେ । ଚଳିତ ବର୍ଷ ମହାମାରୀ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ ନିୟମ ଅନୁଯାୟୀ ସମସ୍ତ ମାଙ୍ଗଳିକ ନୀତି ସମ୍ପନ୍ନ ନିମନ୍ତେ ଜିଲାପାଳ ପରାମର୍ଶ ଦେଇଥିବା ଜଣାପଡିଛି । ତାହାସହ ମନ୍ଦିରର ବରିଷ୍ଠ ସେବାୟତ, ମନ୍ଦିର ପରିଚାଳନା କମିଟର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ, ମ୍ଯାନେଜରଙ୍କ ସହ ଭର୍ଚୁଆଲ ମାଧ୍ଯମରେ ଜିଲ୍ଲାପାଳ ଜ୍ଞାନ ଦାସ ଆଲୋଚନା କରିବା ସହ ସମସ୍ତ କାର୍ଯ୍ଯର ସମୀକ୍ଷା କରିଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.