ETV Bharat / state

ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ଆସନ୍ତାକାଲିଠୁ କମ୍ପିବ ମଥୁରା

author img

By ETV Bharat Odisha Team

Published : Jan 14, 2024, 8:40 PM IST

ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ , କାଲିଠୁ କମ୍ପିବ ମଥୁରା
ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ , କାଲିଠୁ କମ୍ପିବ ମଥୁରା

Bargarh Dhanu Yatra: ଆସନ୍ତାକାଲି (ସୋମବାର) ଆରମ୍ଭ ହେବ ବରଗଡର ବିଶ୍ଵପ୍ରଶିଦ୍ଧ ଧନୁଯାତ୍ରା । ଚଳିତ ବର୍ଷ ମହାରାଜ କଂସ ଭୂମିକାରେ ଅଭିନୟ କରୁଛନ୍ତି ଭୁବନେଶ୍ବର ପ୍ରଧାନ । ଏହା ଦୀର୍ଘ ୧୧ ଦିନ ଧରି ଚାଲିବ । ଅଧିକ ପଢନ୍ତୁ

ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ , କାଲିଠୁ କମ୍ପିବ ମଥୁରା

ବରଗଡ଼: ଆସନ୍ତାକାଲି (ସୋମବାର) ଆରମ୍ଭ ହେବ ବରଗଡର ୭୬ତମ ବିଶ୍ଵ ପ୍ରଶିଦ୍ଧ ଧନୁଯାତ୍ରା । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି । ଏଥିପାଇଁ ସାରା ସହର ଚଳଚଞ୍ଚଳ ହୋଇଉଠିଛି । ବିଶ୍ଵ ଦରବାରର ସାଜସଜ୍ଜା କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ କଳାକାରମାନଙ୍କର ଅଭ୍ୟାସ ଶେଷ ହୋଇଯାଇଛି । ଆସନ୍ତାକାଲିଠାରୁ ବରଗଡ଼ ପାଳଟିବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର ଏବଂ ଚିର ପ୍ରବାହିତ ଜୀରାନଦୀ ପାଲଟିଯିବ ଯମୁନା ନଦୀ । ବରଗଡ଼ର ଆବାଳ ବୃଦ୍ଧବନିତା ପାଲଟିଯିବେ ଏହି ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଜଣେ ଜଣେ କଳାକାର ।

ଧନୁଯାତ୍ରାକୁ ନେଇ ସାରା ସହର ଏବେ ଚଳଚଞ୍ଚଳ ହୋଇଉଠିଥିବା ବେଳେ ମଥୁରାଠାରୁ ଆରମ୍ଭ କରି ଗୋପପୁର ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ଵ ଦରବାରର ଏହି ମହାମଞ୍ଚ ପାଇଁ କଳାକାରମାନେ ନିଜ ନିଜର ଅଭ୍ୟାସ ଶେଷ କରିଛନ୍ତି । ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ସାଜୁଥିବା କଂସ ମହାରାଜ ଭୂମିକାରେ ଅଭିନୟ କରୁଥିବା କଳାକାର ଭୁବନେଶ୍ବର ପ୍ରଧାନ ମଧ୍ୟ ନିଜର ଉଚ୍ଚକୋଚ୍ଚୀର ସଂଳାପ ସହିତ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ସେହିପରି ଗୋପପୁରର ମୁଖ୍ୟ ଆକର୍ଷଣ କୃଷ୍ଣ ବଳରାମ ଓ ରାଧା ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ମହାରାଜା କଂସଙ୍କ ପାଇଁ ହାତୀ, ଘୋଡା ଏବଂ ଓଟ ମଧ୍ୟ ପ୍ରସ୍ତୁତ ରହିଛି ।

ଏହା ମଧ୍ୟ ପଢନ୍ତୁ .....ବରଗଡ଼ ଧନୁଯାତ୍ରା ପାଇଁ ସରିଲା ଅଭ୍ୟାସ ଆଖଡ଼ା, ୧୫ରୁ କମ୍ପିବ ମୁକ୍ତାକାଶ ରଙ୍ଗମଞ୍ଚ

ଅନ୍ୟପଟେ ପକ୍ଷରେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆଠାରେ ଭିନ୍ନ ଭିନ୍ନ ଧରଣର ଦୋଲି ସହିତ ମୀନା ବଜାର ଓ ବ୍ୟବସାୟୀମାନେ ଆସି ପହଞ୍ଚିଛନ୍ତି । ସୋମବାରଠାରୁ ୧୧ ଦିନ ପର୍ଯ୍ୟନ୍ତ ସହରରେ ଜିଲ୍ଲା ପ୍ରଶାସନ ବଦଳରେ ଚାଲିବ ମହାରାଜା କଂସଙ୍କ ରାଜୁତି । ବରଗଡ ହୋଇଯିବ ମହାରାଜା କଂସଙ୍କର ମଥୁରା ନଗରୀ । ଦୀର୍ଘ 11 ଦିନ ପର୍ଯ୍ୟନ୍ତ ବରଗଡ ସହରରେ ଜିଲ୍ଲାପାଲ କିମ୍ବା ପୋଲିସ ପ୍ରଶାସନର ନୁହେଁ । ଏଠାରେ ଚାଲିବ କଂସ ମହାରାଜାଙ୍କର ଆଦେଶ । ସେହିପରି ଅମ୍ବାପାଳି ହୋଇଯିବ ଗୋପପୁର ଏବଂ କୃଷ୍ଣ ଲୀଳା ଓ ଗୋପିଗୋପାଙ୍ଗମାନଙ୍କ ସହିତ ସମସ୍ତେ ହୋଇଯିବେ ବିଭୋର । ଏବେଠାରୁ ଆମ୍ବାପାଳି ବାସିନ୍ଦା ଭଗବାନ କୃଷ୍ଣଙ୍କୁ ପାଇବା ଅପେକ୍ଷାରେ ରହିଛନ୍ତି । ଆମ୍ବାପାଳିକୁ ଗୋପପୁର ପରି ସଜ୍ଜିତ କରାଯାଇଛି ।

ସେପଟେ ପୋଲିସ ପ୍ରଶାସନ ମଧ୍ୟ ଧନୁଯାତ୍ରାକୁ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । କିପରି ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା ନହେବ ସେନେଇ ବରଗଡର ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ମୁତୟନ କରାଯାଇଛି । ଅପରାଧିକ କାର୍ଯ୍ୟକଳାପକୁ କିପରି ରୋକାଯାଇପାରିବ ସେନେଇ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି । ଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳାର ସହିତ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ସମାପନ ହେବ ସେନେଇ ପୋଲିସ ବିଭାଗ ପୂର୍ବରୁ ଅଣ୍ଟା ଭିଡି ସାରିଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.