ETV Bharat / state

ଜିଲ୍ଲାପାଳ ଅଫିସରେ ଆମରଣ ଅନଶନରେ ପରିବାର, ଗାଁରୁ ବାସନ୍ଦ ପରେ ଇଚ୍ଛା ମୃତ୍ୟୁ ଦାବି

author img

By

Published : Aug 21, 2023, 9:38 PM IST

Etv Bharat
Etv Bharat

ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ନିଆଁ ପାଣି ବାସନ୍ଦ ପରିବାରର ଧାରଣା । ଇଚ୍ଛା ମୃତ୍ୟୁ ପାଇଁ କଲେ ଦାବି । ଅଧିକ ପଢନ୍ତୁ

ବରଗଡ଼: ନିଜ ଗ୍ରାମରୁ ବାସନ୍ଦ ହେବାପରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ଏକ ପରିବାର । ଏହି ଅସହାୟ ପରିବାର ପକ୍ଷରୁ ଇଚ୍ଛା ମୃତ୍ୟୁ ପାଇଁ ମଧ୍ୟ ଦାବି କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ । ପଡୋଶୀଙ୍କ ସହ ଗଣ୍ଡଗୋଳକୁ ନେଇ ଅଭିଯୋଗ କରିବାରୁ ଏହି ପରିବାରକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ଗାଁରୁ ବାସନ୍ଦ କରିଥିବା ଜଣାପଡ଼ିଛି ।

ପରିବାରର କହିବା ଅନୁସାରେ ପଡ଼ୋଶୀଙ୍କ ସହିତ ସାମାନ୍ୟ ଗଣ୍ଡଗୋଳକୁ କେନ୍ଦ୍ର କରି ଘଟଣାଟି ଥାନାକୁ ଯାଇଥିଲା । ପରେ ନ୍ୟାୟ ଦାବିରେ ଗୋଟେ ପରିବାର ସ୍ଥାନୀୟ ସମସ୍ତ ସରକାରୀ ବାବୁଙ୍କ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ନିରାଶ ହେବାକୁ ପଡିଥିଲା । ଅନ୍ୟପଟେ କିଛି ଅସାମାଜିକ ଗ୍ରାମବାସୀଙ୍କ ରାଜନୀତି କାରଣରୁ ଅଭିଯୋଗକାରୀଙ୍କୁ ଗ୍ରାମରୁ ବାସନ୍ଦ କରିଦିଆଯାଇଥିଲା । ପୁରା ପରିବାର ନିଜ ଗ୍ରାମବାସୀଙ୍କ ଅତ୍ୟାଚାରକୁ ସହ୍ୟ କରିନପାରି ଶେଷରେ ଆଜି ବରଗଡ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ଏହାସହ ଆମରଣ ଅନଶନରେ ବସିଛନ୍ତି ପୁରା ପରିବାର ।

ଏହା ବି ପଢନ୍ତୁ- ପ୍ରେମ ବିବାହ କରିବାରୁ ମିଳିଲା ଦଣ୍ଡ: ୨୦ ବର୍ଷ ଗାଁରୁ ବାସନ୍ଦ ହେଲେ ସ୍ବାମୀ-ସ୍ତ୍ରୀ

କଣ ଥିଲା ଘଟଣା? :- ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପଦ୍ମପୁର ଥାନା ଅନ୍ତର୍ଗତ ନୂଆପାଲି ଗ୍ରାମର ମାର୍କଣ୍ଡ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖ ରାସ୍ତା ଉପରେ ଗ୍ରାମର ଚିନ୍ତାମଣି ବାରିକ ନାମକ ଅନ୍ୟଜଣେ ବ୍ୟକ୍ତି ବେଆଇନ ଭାବେ ଘର ନିର୍ମାଣ କରିଥିଲେ । ଏହାକୁ ବିରୋଧ କରିଥିଲେ ମାର୍କଣ୍ଡ ସାହୁ । ତେବେ ପଡୋଶୀ ଚିନ୍ତାମଣି ଗାଁର କିଛି ଲୋକଙ୍କୁ ଡାକି ଗଣ୍ଡଗୋଳ କରିବାରୁ ପଦ୍ମପୁର ଥାନାରେ ଅଭିଯୋଗ ଆଣିଥିଲେ ମାର୍କଣ୍ଡ । ପଦ୍ମପୁର ପୋଲିସ ଅପରପକ୍ଷକୁ ଥାନାକୁ ଡକାଇ ସମାଧାନ ପାଇଁ କହିଥିଲେ । ହେଲେ ମାର୍କଣ୍ଡଙ୍କ ପରିବାରକୁ ଗାଁମରେ ରଖିଦେବୁ ନାହି ବୋଲି ଧମକ ଦେଇଥିଲେ ଚିନ୍ତାମଣି । ତେବେ ନୂଆଁପାଳି ଗ୍ରାମବାସୀ ମାର୍କଣ୍ଡଙ୍କୁ ଗ୍ରାମରେ ନିଆଁ ପାଣି ବାସନ୍ଦ କରିବା ସହିତ ତାଙ୍କ ପରିବାର ସହିତ କେହି କଥାବାର୍ତ୍ତା ହେବେ ନାହି ବୋଲି ଗାଁରେ ନିଷ୍ପତ୍ତି ନିଆଯାଇଥିଲା ।

ପୋଖରୀରେ ଗାଧୋଇବାଠାରୁ ଆରମ୍ଭ କରି ପରିବାରକୁ ରାସନ ସାମଗ୍ରୀ ବିକ୍ରି ନକରିବା, ବୋରିଂରୁ ପିଇବା ପାଣି ନେବାକୁ ବାରଣ କରିବା ସହିତ ଗାଁରେ କେହି ମଧ୍ୟ ତାଙ୍କ ପରିବାର ସହିତ ସମ୍ପର୍କ ରଖିନଥିଲେ । ଗାଁର କିଛି ଅସାମାଜିକ ଲୋକେ ମାର୍କଣ୍ଡଙ୍କ ସ୍ତ୍ରୀଙ୍କୁ ଅତ୍ୟାଚାର କରିଥିବା ନେଇ ମାର୍କଣ୍ଡ ପୁଣି ଟାଉନ ଥାନାରେ ଅଭିଯୋଗ କରିଥିଲେ । ହେଲେ କୌଣସି ସୁଫଳ ନମିଳିବାରୁ ଶେଷରେ ନିରାଶ ହୋଇ ଆଜି ମାର୍କଣ୍ଡ ତାଙ୍କ ପରିବାରକୁ ନେଇ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବା ସହ ଇଚ୍ଛାମୃତ୍ୟୁ ପ୍ରଦାନ ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.