ETV Bharat / state

ମମିତା ହତ୍ୟାକାଣ୍ଡ ଓ ହାଜତ ମୃତ୍ୟୁ ଘଟଣାରେ ବରଗଡ଼ରେ ବନ୍ଦ ପାଳିଲା ବିଜେପି

author img

By

Published : Nov 1, 2021, 9:29 PM IST

ମମିତା ହତ୍ୟାକାଣ୍ଡ ଓ ହାଜତ ମୃତ୍ୟୁ ଘଟଣାକୁ ବିଜେପିର ବରଗଡ଼ ବନ୍ଦ
ମମିତା ହତ୍ୟାକାଣ୍ଡ ଓ ହାଜତ ମୃତ୍ୟୁ ଘଟଣାକୁ ବିଜେପିର ବରଗଡ଼ ବନ୍ଦ

ମମିତା ମେହେର ହତ୍ୟାକାଣ୍ଡ ଓ ହାଜତ ମୃତ୍ୟୁ ଘଟଣାକୁ ନେଇ ବରଗଡରେ ବନ୍ଦ ପାଳିଲା ବିଜେପି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ସହ ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲା ଦଳ । ଅଧିକ ପଢନ୍ତୁ....

ବରଗଡ: ଜିଲ୍ଲାରେ ହୋଇଥିବା ହାଜତ ମୃତ୍ୟୁ ଘଟଣା ଓ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲା ବନ୍ଦ ପାଳିଛି ବିଜେପି । ହାଜତରେ ଗୋବିନ୍ଦ କୁମ୍ଭାରଙ୍କ ହତ୍ୟାକାରୀ ପୋଲିସ ଅଧିକାରୀଙ୍କୁ ତୁରନ୍ତ ଗିରଫ ଓ ଏହି ଘଟଣାର CBI ତଦନ୍ତ ଦାବି ସହ ମମିତା ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର, ଗିରଫ ସହ ଘଟଣାର CBI ତଦନ୍ତ ଦାବିରେ ଏହି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା କହିଛି ଦଳ ।

ମମିତା ହତ୍ୟାକାଣ୍ଡ ଓ ହାଜତ ମୃତ୍ୟୁ ଘଟଣାରେ ବରଗଡ଼ରେ ବନ୍ଦ ପାଳିଲା ବିଜେପି


ବରଗଡ଼ ଟାଉନ ଥାନରେ ହୋଇଥିବା ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କର ହାଜତ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଏଯାଏଁ ଥାନାରେ ମାମଲା ରୁଜୁ ହୋଇ ନଥିବାବେଳେ ଗୋବିନ୍ଦଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ତେବେ ଦିନକୁ ଦିନ ପୋଲିସ ପ୍ରଶାସନ ଉପରେ ରାଜନୈତିକ ଚାପ ବଢ଼ିବାରେ ଲାଗିଥିବାବେଳେ ଜନସାଧାରଣ ପୋଲିସ ଉପରେ ଆସ୍ଥା ହରାଇଲେଣି । ଏପରି ସ୍ଥଳେ ପୋଲିସ ବିରୋଧରେ ଜନ ଆକ୍ରୋଶ ବଢିବାରେ ଲାଗିଛି । ତେବେ ଗତ କିଛିଦିନ ତଳେ କୋଶଳ ସେନା ଆମରଣ ଅନଶନ କରିଥିବାବେଳେ କଂଗ୍ରେସ ପକ୍ଷରୁ ମଧ୍ୟ ରାସ୍ତାରୋକ କରାଯାଇଥିଲା ।

ତେବେ ଆଜି ଜିଲ୍ଲା ବିଜେପି ପକ୍ଷରୁ ବରଗଡ ବନ୍ଦ ଡ଼ାକରା ଦିଆଯାଇଥିଲା । ଏହି ବନ୍ଦ ଡ଼ାକରାକୁ ଜିଲ୍ଲାବାସୀ ସମର୍ଥନ ଜଣାଇ ସ୍ୱତଃପ୍ରବୃତ୍ତ ଭାବେ ଦୋକାନ ବଜାର ବନ୍ଦ କରିଥିଲେ। ତେବେ ଏହା ସାଧାରଣ ଲୋକଙ୍କ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ବିରୋଧରେ ଥିବା ଅସନ୍ତୋଷର ପ୍ରତିଫଳନ ବୋଲି କହିଛି ବିଜେପି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.