ETV Bharat / state

କେନ୍ଦ୍ରର ଚାଷୀ ମାରଣା ନୀତି ବିରୋଧରେ ବର୍ଷିଲା ବିଜେଡ଼ି

author img

By

Published : Feb 8, 2023, 11:57 AM IST

ପ୍ରସନ୍ନ ଆଚାର୍ଯ୍ୟ
ପ୍ରସନ୍ନ ଆଚାର୍ଯ୍ୟ

ବରଗଡ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକ ମାରଣ ନୀତିକୁ କେନ୍ଦ୍ର ସରକାରଙ୍କୁ ନିନ୍ଦା କରାଯାଇଛି । ଅଧିକ ପଢନ୍ତୁ

କେନ୍ଦ୍ରର ଚାଷୀ ମାରଣା ନୀତି ବିରୋଧରେ ବର୍ଷିଲା ବିଜେଡ଼ି

ବରଗଡ: କୃଷକ ମାରଣ ନୀତି କରୁଛି କେନ୍ଦ୍ର ସରକାର । ଧାନର MSP ଦେଢ ଗୁଣ କରିବା ପରିବର୍ତ୍ତେ ଓଲଟା ଓଡିଶାରୁ ଧାନ କିଣା ଲକ୍ଷ୍ୟ ୮୦% ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ପଶ୍ଚିମ ଓଡିଶାର 5 ଜଣ ବିଜେପି ସାଂସଦ ଥାଇ ମଧ୍ୟ ଏ ଘଟଣା ନେଇ ନୀରବ ଅଛନ୍ତି ।ଗତକାଲି ବରଗଡ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ଆଣିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

ବିଜେଡି ଦଳ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଓଡ଼ିଶାର କୃଷି ଓ କୃଷକ ବିରୋଧୀ ନୀତିକୁ ନିନ୍ଦା କରାଯାଇଛି । କେନ୍ଦ୍ର ସରକାର ଚଳିତ ବର୍ଷର ବଜେଟରେ ଧାନ କ୍ରୟ କ୍ଷେତ୍ରରେ ୨୦,୦୦୦ କୋଟି ଟଙ୍କାର ବୃହତ ରାଶି ହ୍ରାସ କରିଛନ୍ତି । ସ୍ବାମୀନାଥନ କମିଶନ ରିପୋର୍ଟ ସୁପାରିଶ କାର୍ଯ୍ୟକାରିତା ବିଷୟ ବି ଭୁଲିଯାଇଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ଏହି ବୃହତ୍‍ ୨୦,୦୦୦ କୋଟି ଟଙ୍କା ହ୍ରାସ ଯୋଗୁଁ କୃଷକମାନେ ସେମାନଙ୍କର ଏମ୍‌ଏସ୍‌ପି ପାଇବାରେ ଅସମର୍ଥ ହେବେ ଏବଂ ଧାନ କିଣା କ୍ରମଶଃ ହ୍ରାସ ପାଇବ ।

ଏହା ଓଡିଶାର କୃଷକମାନଙ୍କୁ ବିଶେଷ ଭାବରେ ପଶ୍ଚିମ ଓଡିଶାର କୃଷକଙ୍କୁ ପ୍ରଭାବିତ କରିବ ଏବଂ ସେମାନଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପକାଇବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଦ୍ବାରା ଓଡିଶାରୁ ବର୍ଷକୁ ୧୮ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ଉଠାଯାଉଥିବା ବେଳେ ବର୍ତ୍ତମାନ ୨୦୨୨-୨୩ ପାଇଁ କେନ୍ଦ୍ର ଏହାକୁ ୮୦% ହ୍ରାସ କରି ମାତ୍ର ୪ ଲକ୍ଷ ଟନ୍‍ କରିଛି ।

କେବଳ ଓଡ଼ିଶା ବରଗଡ ଜିଲ୍ଲା ୪ ଲକ୍ଷ ଟନ୍‍ ଚାଉଳ ଉତ୍ପାଦନ କରେ । ବାକି ୨୯ଟି ଜିଲ୍ଲାର ଅବସ୍ଥା କଣ ହେବ ବୋଲି ପ୍ରଶ୍ନ କରିଥିଲେ ପ୍ରସନ୍ନ ଆଚାର୍ଯ୍ୟ । ସେହି ୨୯ଟି ଜିଲ୍ଲାର କୃଷକମାନେ କେଉଁଠାରେ ସେମାନଙ୍କର ଧାନ ବିକ୍ରି କରିବେ ? କେନ୍ଦ୍ର ଏହା ଉପରେ ସମ୍ପୂର୍ଣ୍ଣ ନିରବ ରହିଛି । ସେହିପରି ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଏଭଳି ଅନ୍ୟାୟ ଯୋଗୁଁ ପଶ୍ଚିମ ଓଡ଼ିଶାର କୃଷକମାନେ ଅଧିକ କ୍ଷତିଗ୍ରସ୍ତ ହେବେ ।

ପଶ୍ଚିମ ଓଡିଶାର ପାଞ୍ଚ ଜଣ ବିଜେପି ସାଂସଦ ଏଥିପାଇଁ କାହିଁକି ନୀରବ ବୋଲି ସେମାନଙ୍କୁ ପ୍ରଶ୍ନ କରିଥିଲେ । ସେମାନେ ୨୦୧୯ରେ ପଶ୍ଚିମ ଓଡିଶାର ଲୋକମାନଙ୍କ ଦ୍ବାରା ନିର୍ବାଚିତ ହୋଇଥିଲେ ମଧ୍ୟ ଧାନ କ୍ରୟ ପାଇଁ ସେମାନେ ପଶ୍ଚିମ ଓଡିଶାର କୃଷକଙ୍କ ସପକ୍ଷରେ କିଛି କହୁ ନାହାନ୍ତି । ଧାନ କ୍ରୟ ସହ ପଶ୍ଚିମ ଓଡିଶାର କୃଷକଙ୍କ ସ୍ବାର୍ଥ ପାଇଁ ପାଟି ନଖୋଲି ଓଡିଶାର କେନ୍ଦ୍ର ମନ୍ତ୍ରୀମାନେ କାହିଁକି ଚୁପ୍ ରହିଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.