ETV Bharat / state

ଯାଆଁଳା ଭଉଣୀ ଗଙ୍ଗା-ଯମୁନା, ବଞ୍ଚିବାକୁ ଅହରହ କରୁଛନ୍ତି ସଂଘର୍ଷ

author img

By ETV Bharat Odisha Team

Published : Nov 25, 2023, 4:40 PM IST

ବଞ୍ଚିବାକୁ ଅହରହ ସଂଘର୍ଷ କରୁଛନ୍ତି ଯାଁଆଳା ଭଉଣୀ
ବଞ୍ଚିବାକୁ ଅହରହ ସଂଘର୍ଷ କରୁଛନ୍ତି ଯାଁଆଳା ଭଉଣୀ

ଯେଉଁ ବୟସରେ ବାପା ମାଆର ସ୍ନେହ ପାଇବା କଥା ସେହି ବୟସରେ କରିବାକୁ ପଡୁଛି ସଂଘର୍ଷ । ଯାଆଁଳା ଭଉଣୀ ଗଙ୍ଗା ଯମୁନା । ଆଖିର ଲୁହକୁ ଆଖିରେ ଚାପିଧରି ଜୀବନ ବିତାଉଛନ୍ତି । ଅଧିକ ପଢ଼ନ୍ତୁ

ବଞ୍ଚିବାକୁ ଅହରହ ସଂଘର୍ଷ କରୁଛନ୍ତି ଯାଁଆଳା ଭଉଣୀ

ବାଲେଶ୍ବର: ଯାଆଁଳା ଭଉଣୀ ଗଙ୍ଗା ଯମୁନା । ଯେଉଁ ବୟସରେ ବାପା ମାଆର ସ୍ନେହ ପାଇବା କଥା ସେହି ବୟସରେ କରିବାକୁ ପଡୁଛି ସଂଘର୍ଷ । ବାପା ମାଆ କୋଳରେ ଟିକିଏ ମନଭରି ଭଲ ପାଇବା ମିଳିବା ଆଗରୁ ଆରପାରିକୁ ଚାଲିଗଲେ ସେମାନେ । ଆଉ ଏକୁଟିଆ ବଞ୍ଚିବାକୁ ଛାଡି ଚାଲିଗଲେ ଦୁଇ ଝିଅଙ୍କୁ । ଦୁଇ ଝିଅ ଏମିତି ଅବସ୍ଥାରେ ବଞ୍ଚୁଛନ୍ତି ଯେ କେହିବି ତାଙ୍କ ଦୁଃଖ ଦେଖି ରହି ପାରିବନି । ଛୋଟିଆ ଦୋକାନଟିଏ କରି ପାଠ ପଢୁଛନ୍ତି ଆଉ ପରିବାର ବି ଚଳାଉଛନ୍ତି ଦୁଇ ଭଉଣୀ । ଆଖିର ଲୁହକୁ ଆଖିରେ ଚାପିଧରି ଜୀବନ ବିତାଉଛନ୍ତି । ବର୍ତ୍ତମାନ ଅବସ୍ଥା ଏମିତି ଯେ, ଭବିଷ୍ୟତ କଥା ଏମାନଙ୍କ ପାଇଁ ଅନ୍ଧାର ହୋଇଯାଇଛି । ଏମିତି ଏକ ଦୁଃଖ ଭରା ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ତଲନଗର ପଞ୍ଚାୟତ ହାବେଳି ଗଣ୍ଡତରା ଗାଁର ଦୁଇ ଭଉଣୀ ଗଙ୍ଗା ଆଉ ଯମୁନାଙ୍କ ପାଖରେ ।

ଦୁଇ ଭଉଣୀ ଯାଆଁଳା ହୋଇଥିବା ବେଳେ ଏବେ ଜୀବନ ବଞ୍ଚାଇବାକୁ ସେମାନେ ସଂଘର୍ଷ କରୁଛନ୍ତି । ୯ ବର୍ଷ ବୟସ ହୋଇଥିବା ବେଳେ ଦୁଇ ଭଉଣୀଙ୍କୁ ଏକା କରି ଆରପାରିକୁ ଚାଲିଗଲେ ବାପା ମାଆ । ବାପା ମାଆ ଚାଲିଯିବା ପରେ ଏବେ ଅସହାୟ ହୋଇଯାଇଛନ୍ତି ଦୁଇ ଭଉଣୀ । ବାପା ମାଙ୍କ ପରେ ଦୁଇ ଭଉଣୀ ଜେଜେ ମାଆ ପାଖରେ ରହୁଛନ୍ତି । ଜେଜେମାଆଙ୍କ ବୟସ ଅଧିକ ହୋଇଥିବା ବେଳେ ତାଙ୍କର କେତେବେଳେ ଔଷଧ ଖର୍ଚ୍ଚ ତ ପୁଣି କେତେବେଳେ ଡାକ୍ତରୀ ଖର୍ଚ୍ଚ ଆଵଶ୍ୟକତା ହେଉଛି । ଜେଜେ ମାଆ ବାର୍ଦ୍ଧକ୍ୟ ଭତ୍ତା 5ଶହ ଟଙ୍କା ଓ 35 କିଲୋ ଚାଉଳ ପାଉଛନ୍ତି । ସେତିକିରେ ପରିବାର କଷ୍ଟମଷ୍ଟେ ଚଳୁଥିବା ବେଳେ ଦୁଇ ଭଉଣୀ ଏକ ଦୋକାନ କରି ପରିବାରର ଦାୟୁତ୍ୱ ତୁଲାଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.........ପିଠିରେ ବଢୁଛି ମାଂସ ପିଣ୍ଡୁଳା, ବଞ୍ଚିବାକୁ କାନ୍ଦି କାନ୍ଦି ଗୁହାରି କରୁଛନ୍ତି କବିତା

ଗଙ୍ଗା ଆଉ ଯମୁନା ଦୁହେଁ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଅର୍ଥ ଅଭାବ ସେମାନଙ୍କ ଭବିଷ୍ୟତ ଗଢିବାର ରାସ୍ତାରେ ବାଧକ ହୋଇ ଛିଡା ହୋଇଛି । ଏମିତି ପରିସ୍ଥିତିରେ ଓଳିଏ ଖାଇଲେ ଓଳିଏ ଉପବାସ ରହିବାକୁ ପଡୁଛି । ଗାଁ ଲୋକ ଓ ଘର ଆଖପାଖ ସମ୍ପର୍କୀୟ ମାମୁଁ ଅସୁବିଧାରେ କିଛିକିଛି ସାହାଯ୍ୟ କରୁଛନ୍ତି । ହେଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି । ଗୋଟିଏ ପଟେ ବାପା ମାଆଙ୍କୁ ହରାଇବାର ଦୁଃଖ ଅନ୍ୟପଟେ ପେଟର ଭୋକକୁ ନେଇ ପରିସ୍ଥିତିକୁ ଦେଇ ଆଗକୁ ବଢୁଛନ୍ତି ଦୁଇ ଭଉଣୀ । ଦୁଇଭଉଣୀ ଭଲ ପାଠ ପଢି ଭବିଷ୍ୟତ ଗଢିବାର ସ୍ୱପ୍ନ ଦେଖୁଥିବା ବେଳେ ଗରିବିର ପାହାଡ଼ ତଳେ ସବୁ ସ୍ୱପ୍ନ ଚାପିଯିବା ଭଳି ମନେ ହେଉଛି । ଏହି ଦୁଇ ଭଉଣୀଙ୍କ ପାଇଁ ସରକାରୀ କିମ୍ବା ବେସରକାରୀ ସ୍ତରରୁ ସହାୟତା ମିଳି ପାରିଲେ ଏମାନେ ନିଜର ଭବିଷ୍ୟତ ଗଢିତୋଳି ପାରନ୍ତେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.