ETV Bharat / state

କେନ୍ଦ୍ରମନ୍ତ୍ରୀ ବିଶେଶ୍ବରଙ୍କ ବିବାଦୀୟ ବୟାନ, କହିଲେ ସବୁ UPSC ଅଧିକାରୀ ଜଣେ ଜଣେ ଡକାୟତ

author img

By

Published : Apr 10, 2023, 12:14 PM IST

Updated : Apr 10, 2023, 12:35 PM IST

bishweswar tudu statement on UPSC officers
କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିବାଦୀୟ ବୟାନ

ପୁଣି ଅଡୁଆରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ୟୁପିଏସସି ଅଫିସରକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ଅଧିକ ପଢନ୍ତୁ

UPSC are dacoits says union minister

ବାଲେଶ୍ବର: ପୁଣି ଅଡୁଆରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ନିଜ ବିବାଦୀୟ ମନ୍ତବ୍ୟ ପାଇଁ ବହୁବାର ବିବାଦ ଘେରକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ପୁଣି ଥରେ ଅଡୁଆ ସୂତାରେ ଛନ୍ଦି ହୋଇଛନ୍ତି । ଏଥର ୟୁପିଏସସି ଅଫିସରଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଅଡୁଆରେ ପଡିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳସମ୍ପଦ ମନ୍ତ୍ରୀ ବିଶେଶ୍ବର ଟୁଡୁ । ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ୟୁପିଏସସିରୁ ଆସିଥିବା ସମସ୍ତ ଲୋକ ଡକାୟତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ପୂର୍ବରୁ ମଧ୍ୟ ଏହିପରି ବିବାଦୀୟ ବୟାନ ପାଇଁ ଅଡୁଆରେ ପଡି ସାରିଛନ୍ତି ।

ସୂଚନାଅନୁସାରେ, ବାଲେଶ୍ଵର ଜିଲ୍ଲା ବାଲିଆପାଳ ଜାମକୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ନିଜ ଅଭିଭାଷଣରେ ସେ ୟୁପିଏସସି ଅଫିସରଙ୍କୁ ଭିନ୍ନ ଆଳରେ ଆକ୍ଷେପ କରିଥିଲେ । ସେ କହିଥିଲେ, ''ୟୁପିଏସସିରେ ନିଯୁକ୍ତି ପାଉଥିବା ଅଧିକାରୀମାନେ ଜଣେ ଜଣେ ଡକାୟତ । ମୁଁ ଦିଲ୍ଲୀରେ ଯେଉଁଠି ରହୁଛି ତାହା ପଛ ପାଖରେ ୟୁପିଏସସି ରହିଛି । ସର୍ବଭାରତୀୟ ସ୍ତରରେ ୟୁପିଏସସି ଅଧୀନରେ ବଡ ବଡ ଚାକିରି ମିଳିଥାଏ । ମୁଁ ଯିବା ଆସିବା ସମୟରେ ସେହି ୟୁପିଏସସିକୁ ଦେଖିଛି । ଆଗରୁ ମୋ ମନରେ ଭାବନା ଥିବା ୟୁପିଏସସି ଜରିଆରେ ଯେଉଁମାନେ ନିଯୁକ୍ତି ପାଆନ୍ତି ତାଙ୍କଠୁ ଉପରେ ଓ ତାଙ୍କଠୁ ଜ୍ଞାନୀ ମଧ୍ୟ ଦେଶରେ ଆଉ କିଏ ନାହାନ୍ତି । କିନ୍ତୁ ଏବେ ମୁଁ ଅନୁଭବ କରୁଛି ସେହି ଠାରୁ ଆସିଥିବା ଲୋକଙ୍କଠୁ ଡକାୟତ ବୋଧ ହୁଏ ଏ ପୃଥିବୀରେ ଆଉ କେହି ନାହାନ୍ତି ।''

ୟୁପିଏସସି ଅଫିସରଙ୍କୁ ନେଇ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଆହୁରି କହିଛନ୍ତି, ଏଇଟା ସ୍ବୀକାର କରିବାକୁ ପଡିବ ଯେ ଆଜିର ସମୟରେ ବଡ ଲୋକଙ୍କୁ ଉତ୍ତର ନାହିଁ । ବଡ ଲୋକ ଭୁଲ କଲେ ଦଣ୍ଡ ନାହିଁ । ସାମାନ୍ୟ କୁକୁଡା ଚୋରି ଯଦି କେହି କଲା ତାଙ୍କୁ ଦଣ୍ଡ ମିଳୁଛି । କିନ୍ତୁ ଯିଏ ପାହାଡ ଲୁଟିବ ତାଙ୍କୁ ଦଣ୍ଡ ନାହିଁ । ତାର କାରଣ ସେମାନେ ସେଇ ପ୍ରକାର ଛତ୍ର ଛାୟା ତଳେ ରହୁଛନ୍ତି ।''

ସେ ଆହୁରି କହିଥିଲେ,'' ଏବେ ସମାଜରେ ଅନେକ ବିଶୃଙ୍ଖଳା ଦେଖିବାକୁ ମିଳୁଛି । ସମାଜରେ ଏତେ ଶିକ୍ଷିତ ଜ୍ଞାନୀ ଲୋକ ଯଦି ଅଛନ୍ତି ତେବେ ଏତେ ଅନ୍ୟାୟ କାହିଁକି ହେଉଛି । ଚୋରି ଡକାୟତି କାହିଁକି ବଢୁଛି । ଆମ ଭିତରେ କିଛି ଅଭାବ ରହୁଛି । ମୁଁ ଭାବୁଛି ନୈତିକତା ଶିକ୍ଷା, ଆଧ୍ୟାତ୍ମିକତା ଶିକ୍ଷାର ଅଭାବ ରହୁଛି ସେଥିପାଇଁ ଏହିପରି ଘଟଣା ଘଟୁଛି । ଆମେ ଲୋଭ, ମାୟା ଭିତରେ ଛନ୍ଦି ହୋଇଯାଇଛେ ସେଥିପାଇଁ ଆଜି ସମାଜର ପରିସ୍ଥିତି ଏହିପରି ।''

ବିଶ୍ବେଶ୍ବର ଟୁଡୁଙ୍କ ଏହି ବିବାଦୀୟ ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି ଚର୍ଚ୍ଚା ଚାଲିଛି । କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ବାଲେଶ୍ବର

Last Updated :Apr 10, 2023, 12:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.