ETV Bharat / state

Balasore Train Accident: ସିଲ ଘର ଖୋଲି ଯାଞ୍ଚ ଆରମ୍ଭ କଲା ସିବିଆଇ, ଷ୍ଟାଫ୍ ଫେରାର ଖବର ଖଣ୍ଡନ କଲା ରେଲଓ୍ୱେ

author img

By

Published : Jun 20, 2023, 2:40 PM IST

Updated : Jun 20, 2023, 4:45 PM IST

balasore train tragedy
ବାହାନଗା ଟ୍ରେନ ଟ୍ରାଜେଡି

ବାହାନଗା ଟ୍ରେନ ଟ୍ରାଜେଡିରେ ସିବିଆଇ ତଦନ୍ତ ଜାରି । ସୋର କମରପୁର ଅଞ୍ଚଳରେ ଭଡ଼ା ଘରେ ରହୁଥିବା ରେଲୱେ ସେକ୍ସନ ଜେଇଙ୍କ ସିଲ ହୋଇଥିବା ଘର ଖୋଲି ସିବିଆଇ ତଦନ୍ତ କରୁଛି । ଅଧିକ ପଢ଼ନ୍ତୁ

ବାହାନଗା ଟ୍ରେନ ଟ୍ରାଜେଡି

ବାଲେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି ଘଟଣାର ତଦନ୍ତ କରୁଛି ସିବିଆଇ । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା ସିବିଆଇ ରେଳ କର୍ମଚାରୀଙ୍କୁ ତଦନ୍ତ ପରିସରକୁ ନେଉଛି । ଗତକାଲି (ସୋମବାର) ସିବିଆଇର ଏକ ଟିମ ସୋର କମରପୁର ଅଞ୍ଚଳରେ ଭଡ଼ା ଘରେ ରହୁଥିବା ରେଲୱେ ସେକ୍ସନ ଜେଇଙ୍କ ଘର ସିଲ କରିଥିଲା । ଜେଇ ଅମୀର ଖାନ ଦୁର୍ଘଟଣା ଦିନଠାରୁ ଫେରାର ଥିବା ବେଳେ ଆଜି ସିବିଆଇର ଏକ 6 ଜଣିଆ ଟିମ ଉକ୍ତ ଭଡ଼ା ଘରେ ସମ୍ପୃକ୍ତ ଜେଇଙ୍କୁ ଧରି ସିଲ ଖୋଲିଛନ୍ତି । ତାଙ୍କ ଉପସ୍ଥିତିରେ ଘର ଭିତରେ ଥିବା ସମସ୍ତ ଜିନିଷ ପତ୍ର ଛାନଭିନ କରିଛି ସିବିଆଇ । ତେବେ କୌଣସି ଷ୍ଟାଫ୍ ଫେରାର ଥିବା କିମ୍ବା ନିଖୋଜ ଖବରକୁ ଖଣ୍ଡନ କରିଛି ଦକ୍ଷିଣ ପୂର୍ବ ରେଳବାଇ ।

ପ୍ରକାଶ ଥାଉକି, ଗତ 2 ତାରିଖ ବାହାନଗା ନିକଟରେ ରେଳ ଦୁର୍ଘଟଣା ଘଟଣା ଘଟିଥିବା ବେଳେ 6 ତାରିଖରେ ସିବିଆଇ ଟିମ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପର୍ଯ୍ୟାୟ କ୍ରମେ ବାହାନଗା ରେଳ ଷ୍ଟେସନର ସିଗନାଲ ରୁମ ସିଲ କରିବା ସହ ବାହାନଗାରେ କୌଣସି ଟ୍ରେନ ନ ରହିବା ପାଇଁ ନିର୍ଦ୍ଦେଶ ହୋଇଥିଲା । ପରେ ପରେ ସିବିଆଇ ଟିମ ଷ୍ଟେସନ ମାଷ୍ଟରଙ୍କ ସମେତ ପାଞ୍ଚ ଜଣଙ୍କୁ ତଦନ୍ତ ପରିସର ଭୁକ୍ତ କରିଥିଲା । ଏହାପରେ ସିଗନାଲ ଜେଇଙ୍କ ପାଳି ପଡିଥିଲା । ଯାହାଦ୍ୱାରା ତାଙ୍କ ଘର ସିଲ କରାଯିବା ସହ ତାଙ୍କ ଉପସ୍ଥିତିରେ ସିଲ ହୋଇଥିବା ଘର ଖୋଲି ସିବିଆଇ ତନାଘନା ଜାରି ରଖିଛି ।

ପ୍ରକାଶ ଥାଉକି, ଗତ 2 ତାରିଖ ସନ୍ଧ୍ୟା 7 ଟା ସମୟରେ ହାୱାଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ବାହାନଗା ନିକଟରେ ଏକ ମାଲ ବୋଝେଇ ଟ୍ରେନକୁ ଲୁପ ଲାଇନରେ ଧକ୍କା ଦେଇଥିଲା । କରମଣ୍ଡଳ ଏକ୍ସପ୍ରେସର ବଗି ବିଚ୍ଛିନ୍ନ ହୋଇ ଇଞ୍ଜିନ ମାଲଗାଡ଼ିର ପଛପଟେ ଉପରକୁ ଚଢିଯାଇଥିଲା । ଏହି ସମୟରେ ଯଶବନ୍ତପୁରରୁ ହାୱଡା ଅଭିମୁଖେ ଯାଉଥିବା ହମସଫର ଏକ୍ସପ୍ରେସରେ କରମଣ୍ଡଳ ଏକ୍ସପ୍ରେସର ବଗି ପିଟି ହୋଇଯିବାରୁ ସେଥିରୁ 3ଟି ବଗିରେ ଥିବା ଲୋକଙ୍କ ଜୀବନ ଯାଇଥିଲା । ଏହି ଦୁର୍ଘଟଣାରେ ସମୁଦାୟ 292 ଜଣ ପ୍ରାଣ ହରାଇଥିବା ବେଳେ ଏକ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ପ୍ରାୟ 40 ଜଣ ଯାତ୍ରୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ଜଣାପଡିଥିଲା । ତେବେ ଦୁର୍ଘଟଣାର କାରଣ ଖୋଜିବା ପାଇଁ ତଦନ୍ତ ଭାର ସିବିଆଇକୁ ପ୍ରଦାନ କରାଯାଇଥିଲା । ସିବିଆଇ ଟିମ ଘଟଣାକୁ ନେଇ ତତ୍ପରତା ପ୍ରକାଶ କରିବା ସହ ସବୁ ଦିଗକୁ ଯାଞ୍ଚ କରି ବିଭାଗର ଦାୟିତ୍ବରେ ଥିବା ଅଧିକାରୀଙ୍କୁ ପଚରାଉଚରା କରୁଛି ।

ଇଟିଭି ଭାରତ, ବାଲେଶ୍ବର

Last Updated :Jun 20, 2023, 4:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.