ETV Bharat / state

ଘର ମାଲିକଙ୍କୁ ନିଶା ଦେଇ ବ୍ଲାକମେଲ, ଯୁବକ-ଯୁବତୀ ଅଟକ

author img

By

Published : Sep 10, 2022, 8:53 AM IST

ଘର ମାଲିକଙ୍କୁ ନିଶା ଦେଇ ବ୍ଲାକମେଲ, ଯୁବକ-ଯୁବତୀ ଅଟକ
ଘର ମାଲିକଙ୍କୁ ନିଶା ଦେଇ ବ୍ଲାକମେଲ, ଯୁବକ-ଯୁବତୀ ଅଟକ

ଯୁବକ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ । ଘର ମାଲିକଙ୍କୁ ନିଶା ଦେଇ ବ୍ଲାକମେଲିଂ କରି ଲୁଟି ନେଲେ ୩ ଲକ୍ଷ । ଅଧିକ ପଢନ୍ତୁ

ବଲାଙ୍ଗୀର: ଫେସବୁକରେ ଘରଭଡା ପାଇଁ ବିଜ୍ଞାପନ ଦେବା ପଡିଲା ମହଙ୍ଗା । ଘର ମାଲିକଙ୍କୁ ନିଶା ଦେଇ ବ୍ଲାକମେଲ୍ କଲେ ଭଡାଟିଆ । ଭଡାଟିଆ ଯୁବକ ଯୁବତୀ ନିଶା ପାନୀୟ ପିଆଇ ଘର ମାଲିକଙ୍କ ଅସଞ୍ଜତ ଅବସ୍ଥାରେ ଭିଡିଓ ଉତ୍ତୋଳନ କରି ତାଙ୍କୁ ବ୍ଲାକମେଲିଂ କଲେ । ଏପରିକି ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇ ତାଙ୍କୁ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଲେ । ଏଭଳି କିଛି ସାଙ୍ଘାତିକ ଘଟଣା ଘଟିଛି ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ସାଗରପଡ଼ା ଅଞ୍ଚଳରେ । ଖାଲି ଥିବା ଘରକୁ ଭଡ଼ାରେ ଲଗାଇବା ପାଇଁ ଫେସବୁକରେ ବିଜ୍ଞାପନ ଦେବା ଘର ମାଲିକ ଶ୍ୟାମ ସୁନ୍ଦର ମିଶ୍ରଙ୍କୁ ମହଙ୍ଗା ପଡିଛି ।

ଘର ମାଲିକଙ୍କୁ ନିଶା ଦେଇ ବ୍ଲାକମେଲ, ଯୁବକ-ଯୁବତୀ ଅଟକ

ସାଗରପଡ଼ାରେ ରହୁଥିବା ଶ୍ୟାମ ସୁନ୍ଦର ମିଶ୍ର ନାମକ ବ୍ୟକ୍ତି ଜଣକ ନିଜ ଘର ଭଡା ଦେବା ପାଇଁ ଫେସବୁକରେ ବିଜ୍ଞାପନ ଦେଇଥିଲେ । ଯାହାପରେ ଗତ ଅଗଷ୍ଟ ୫ ତାରିଖରେ ଲଳିତା ନାଏକ ନାମକ ଯୁବତୀ ତାଙ୍କ ସହ ଯୋଗାଯୋଗ କରିଥିଲେ । ଘର ମାଲିକ ସେହି ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ବିଶ୍ଵାମିତ୍ର ନାଏକଙ୍କୁ ଚାରି ହଜାର ଟଙ୍କାରେ ଘର ଭଡାରେ ଦେଇଥିଲେ । ତେବେ ଗତ ଅଗଷ୍ଟ ୯ ତାରିଖରେ ବୃଦ୍ଧଙ୍କ ପୁଅ, ଯିଏକି ଭାରତୀୟ ବାୟୁସେନାରେ କାମ କରନ୍ତି ସେ ଘରୁ ନିଜ କାର୍ଯ୍ୟସ୍ଥଳକୁ ଯାଇଥିଲେ । ସେହିପରି ତାଙ୍କ ସ୍ତ୍ରୀ ନିଜ ଝିଅ ଜ୍ବାଇଁଙ୍କ ଘରକୁ ବୁଲିବାକୁ ଯାଇଥିଲେ । ଏହି ସମୟରେ ଶ୍ୟାମ ସୁନ୍ଦର ମିଶ୍ର ଘରେ ଏକାକୀ ଥିବାବେଳେ ଭଡ଼ାରେ ରହୁଥିବା ଯୁବକ ତାଙ୍କ ପାଖକୁ ଆସି ପ୍ରଥମେ ମିଠା ମିଠା କଥା ହେବା ସହ ଥଣ୍ଡା ପାନୀୟ ପିଇବାକୁ ଦେଇଥିଲେ ।

ଥଣ୍ଡା ପାନୀୟ ପିଇବା ମାତ୍ରେ ଶ୍ୟାମ ସୁନ୍ଦର ଅଚେତ୍ ହୋଇ ପଡିଥିଲେ । ଏହାପରେ ଯୁବକ ଜଣକ ନିଜ ମହିଳା ବନ୍ଧୁଙ୍କ ସହିତ ମିଶି ଶ୍ୟାମ ସୁନ୍ଦରଙ୍କ ପୋଷାକ ଖୋଲି ଯୁବତୀଙ୍କ ସହ ଅସଞ୍ଜତ ଅବସ୍ଥାର ଭିଡିଓ ଓ ଫଟୋ ଉତ୍ତୋଳନ କରିଥିଲେ । ପରେ ଘର ମାଲିକଙ୍କ ଚେତା ଫେରିବା ପରେ ସମ୍ପୃକ୍ତ ଯୁବକ ଯୁବତୀ ତାଙ୍କୁ ଭିଡିଓ ଦେଖାଇ ବ୍ଲେକମେଲ୍( blackmailing to landlord) କରିବା ଆରମ୍ଭ କରିଥିଲେ । ଏହାସହିତ ୫ ଲକ୍ଷ ଟଙ୍କା ନଦେଲେ ଏହିସବୁ ଭିଡିଓ ଭାଇରାଲ କରିବାର ଧମକ ଦେଇଥିଲେ । ସେପଟେ ଘର ମାଲିକ ଲୋକ ଲଜ୍ଜା ଭୟରେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କୁ ତିନି ଲକ୍ଷ ଟଙ୍କା ଦେଇଥିଲେ ।

କିନ୍ତୁ ଏତିକିରେ ସେହି ଚାଲାକ୍ ଯୁବକ ଯୁବତୀଙ୍କ ବ୍ଲାକମେଲିଂ ସରି ନଥିଲା । ଦୁଇ ଜଣଯାକ ଘର ମାଲିକ ଶ୍ୟାମ ସୁନ୍ଦରଙ୍କୁ ଆହୁରି ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ଏହାକୁ ନେଇ ମାଲିକ ଚିନ୍ତାରେ ହତାଶ ହୋଇପଡିଥିଲେ । ଶେଷରେ ସେ ଏହିସବୁ କଥା ନିଜ ଝିଅକୁ ଜଣାଇଥିଲେ । ପରେ ବାୟୁସେନାରେ କାର୍ଯ୍ୟରତ ତାଙ୍କ ପୁଅ ଏହି ଖବର ପାଇବା ପରେ ସେ ଶୁକ୍ରବାର ଦିନ ବଲାଙ୍ଗୀର ଫେରି ଏ ସମ୍ପର୍କରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଗୋପବନ୍ଧୁଙ୍କ ଚିତ୍ର ଆଗରେ ଘରୋଇ ଚ୍ୟାନେଲର ପୋଷ୍ଟର, ଉଦବେଗ ପ୍ରକାଶ କଲେ ଅଣନାତୁଣୀ

ଏହି ଦୁଇ ଯୁବକ ଯୁବତୀ ସୁବର୍ଣ୍ଣପୁର ଜିଲ୍ଲାର ତରଭା ଥାନା ଝାରବନ୍ଧ ଅଞ୍ଚଳର । ଯୁବତୀଙ୍କ ନାମ ଲଳିତା ନାଏକ ଓ ଯୁବକ ବିଶ୍ଵାମିତ୍ର ନାଏକ ବୋଲି ଜଣାପଡିଛି । ସେହିପରି ବଲାଙ୍ଗୀର ଟାଉନ ପୋଲିସ ଏଥିରେ ତ୍ୱରିତ ପଦକ୍ଷେପ ନେଇ ଦୁଇ ଯୁବକ ଯୁବତୀଙ୍କୁ ଅଟକ ରଖିଛି । ତାଙ୍କ ଠାରୁ ସବୁ ଭିଡିଓ ମଧ୍ୟ ଜବତ କରିଥିବାର ସୂଚନା ମିଳିଛି । ସେପଟେ ସମ୍ପୃକ୍ତ ଯୁବତୀ ଓଲଟା ଘର ମାଲିକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିବା ବେଳେ ଭିଡିଓ ନିଜେ ଉତ୍ତୋଳନ କରିଥିବାର ସ୍ବୀକାର କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.