ETV Bharat / state

ଜଳ ସମ୍ପଦ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ମିଳୁନି ପାଣି, ରାଜରାସ୍ତାରେ ମହିଳା

author img

By

Published : Jul 2, 2023, 9:21 AM IST

ଜଳ ସମ୍ପଦ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ମିଳୁନି ପାଣି
ଜଳ ସମ୍ପଦ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ମିଳୁନି ପାଣି

ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ନିର୍ବାଚନୀ ମଣ୍ଡଳୀରେ ଲୋକଙ୍କୁ ମିଳୁନି ପାଣି । ବଲାଙ୍ଗୀର ଟିଟିଲାଗଡ ଠାରେ ପାଣି ସମସ୍ୟା ନେଇ ଜାତୀୟ ରାଜପଥ ଅବରୋଧ କଲେ ଲୋକେ । ଲୋକଙ୍କ ସହିତ ପ୍ରଶାସନର ଆଲୋଚନା ଜାରି । ଅଧିକ ପଢ଼ନ୍ତୁ

ଜଳ ସମ୍ପଦ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ମିଳୁନି ପାଣି

ବଲାଙ୍ଗୀର: ପାଣି ପାଇଁ ରାସ୍ତାରୋକ । ଗରା, ବାଲଟି ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା । ପିଇବା ପାଣି ମୁନ୍ଦାଏ ପାଇଁ ହାହାକାର । ତାହା ପୁଣି ଖୋଦ୍ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ନିଜ ନିର୍ବାଚନ ମଣ୍ଡଳୀରେ । ଗତକାଲି(ଶନିବାର) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ବାନ୍ଧୁପଲା ଗାଁର ଲୋକେ ପିଇବା ପାଣି ଦାବିରେ ଜାତୀୟ ରାଜପଥ ୫୯ ଅବରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେପଟେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛି ପ୍ରଶାସନ ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗତ ୧୦ ଦିନ ହେଲା ଗାଁରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ଏନେଇ RWSS ବିଭାଗ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେଣୁ ବାଧ୍ୟ ହୋଇ ଗତକାଲି ଗାଁ ଲୋକେ ଜାତୀୟ ରାଜପଥ ୫୯ ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ଟିଟିଲାଗଡ଼-ବେଲଗାଁ ରାସ୍ତାର ଉଭୟ ପଟରେ ଶହ ଶହ ଯାନବାହାନ ଅଟକି ରହିଛି । ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ରଣା ଓ ଟିଟିଲାଗଡ଼ ଥାନା ଆଇଆଇସି ମନୋଜ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି ।

ତେବେ ଏହି ଗ୍ରାମର ସର୍ବେ ସାହୁ କହିଛନ୍ତି, "ଦୀର୍ଘ ୧୦ ଦିନ ହେବ ପିଇବା ପାଣି ଯୋଗାଇ ଦିଆଯାଉନାହିଁ । ପାଣି ପାଇପ ଲାଗିଥିଲେ ସୁଦ୍ଧା ପାଣି ଯୋଗାଣ ୧୦ ଦିନ ହେବ ବନ୍ଦ ରହିଛି । ଏହାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସେପଟେ ଗାଁର ସବୁ ନାଳ ପୋଖରୀ ଆଦି ଶୁଖିଲା ପଡ଼ିଛି । ଫଳରେ ପିଇବା ପାଣି ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ପାଣି ପାଇଁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡ଼ୁଛି ।" ସେପଟେ ଅଭିଯୋଗ ପରେ ମଧ୍ୟ କେହି ନଶୁଣିବାରୁ ସେମାନେ ବାଧ୍ୟ ହୋଇ ଏହି ଆନ୍ଦୋଳନ କରୁଥିବା କହିଛନ୍ତି ।

ତେବେ ୧୯୯୦ରୁ ୨୦୦୦ ମସିହାରେ ଟିଟିଲାଗଡରେ ପ୍ରବଳ ଗରମ ସହ ପିଇବା ପାଣି ସମସ୍ୟା ଏତେ ଗୁରୁତର ହୋଇଥିଲା ଯେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହାପରେ କେନ୍ଦ୍ର ସରକାର ଟ୍ରେନ ଯୋଗେ ଟିଟିଲାଗଡ ପାଣି ପଠାଇଥିଲେ । ଯାହା ସବୁ ଗଣମାଧ୍ୟମରେ ଶୀର୍ଷକ ଖବର ହୋଇଥିଲା । ତେବେ ଏହାପରେ ଟିଟିଲାଗଡରେ ପିଇବା ପାଣି ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ହେଲେ ଆଜି ମଧ୍ୟ ଏହି ଯୋଜନାରୁ ଅନେକ ଅଞ୍ଚଳ ବାଦ ପଡିଛନ୍ତି । ବିଶେଷ କରି ଖରା ଦିନରେ ପାଣି ସମସ୍ୟା ଉତ୍କଟ ହୋଇଆସୁଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.