ETV Bharat / state

ବହୁ ପ୍ରତୀକ୍ଷିତ ବଲାଙ୍ଗୀର ବାଇପାସ ରାସ୍ତାର ଶିଳାନ୍ୟାସ

author img

By

Published : Jul 1, 2023, 10:57 AM IST

Updated : Jul 1, 2023, 2:24 PM IST

ବଲାଙ୍ଗୀର ବାଇପାସ ରାସ୍ତାର ଶିଳାନ୍ୟାସ
ବଲାଙ୍ଗୀର ବାଇପାସ ରାସ୍ତାର ଶିଳାନ୍ୟାସ

ଭର୍ଚୁଆଲରେ ବହୁ ପ୍ରତୀକ୍ଷିତ ବଲାଙ୍ଗୀର ବାଇପାସ ରାସ୍ତାର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଅଧିକ ପଢନ୍ତୁ

ବହୁ ପ୍ରତୀକ୍ଷିତ ବଲାଙ୍ଗୀର ବାଇପାସ ରାସ୍ତାର ଶିଳାନ୍ୟାସ

ବଲାଙ୍ଗୀର: ବଲାଙ୍ଗୀରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି । ବହୁ ପ୍ରତୀକ୍ଷିତ ବଲାଙ୍ଗୀର ବାଇପାସ ରାସ୍ତାର ଶିଳାନ୍ୟାସ ହୋଇଛି । ଶୁକ୍ରବାର କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଭର୍ଚୁଆଲରେ ବଲାଙ୍ଗୀର ବାଇପାସର ଶିଳାନ୍ୟାସ କରିଛନ୍ତି । ୪୩୦ କୋଟି ଟଙ୍କା ବ୍ୟୟରେ ବାଇପାସ୍ ରାସ୍ତା ନିର୍ମାଣ ହେବ । ୨୦୨୫ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବଲାଙ୍ଗୀର ସହର ଦେଇ ଦୁଇଟି ଜାତୀୟ ରାଜପଥ ଯାଇଛି । ଗୋଟିଏ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଓ ଅନ୍ୟଟି ବରଗଡ଼ ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ । ଏହି ଦୁଇ ଜାତୀୟ ରାଜପଥ ଯୋଗୁଁ ବଲାଙ୍ଗୀରରେ ସବୁବେଳେ ଟ୍ରାଫିକ ସମସ୍ୟା ଲାଗି ରହୁଛି । ଭାରି ଯାନ ଯାତାୟାତ ଯୋଗୁଁ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣାମାନ ଘଟି ଚାଲିଛି । ଏଥିପାଇଁ ବଲାଙ୍ଗୀରବାସୀ ଦୀର୍ଘ ୨୦ ବର୍ଷ ହେବ ବାଇପାସ ଦାବି କରି ଆସୁଛନ୍ତି । ଏଥିପାଇଁ ବିଭିନ୍ନ ସଂଗଠନ ଆନ୍ଦୋଳନ ଏବଂ ବନ୍ଦ ଡାକରା ଦେଇଆସୁଛନ୍ତି ।

ଶେଷରେ ବହୁପ୍ରତୀକ୍ଷିତ ବଲାଙ୍ଗୀର ବାଇପାସ୍ ରାସ୍ତାର ଶିଳାନ୍ୟାସ ହୋଇଛି । ବିଜାଖମନ ଗ୍ରାମ ଠାରେ ଏକ ଭବ୍ୟସଭାରେ ଆୟୋଜନ କରାଯାଇ ଭର୍ଚୁଆଲରେ କେନ୍ଦ୍ର ପରିବହନ ମନ୍ତ୍ରୀ ଗଡକରୀ ଏହାର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବଲାଙ୍ଗୀର ସାଂସଦ ସଂଗୀତା ସିଂହ ଦେଓ, ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଓ କେନ୍ଦ୍ର ତଥା ରାଜ୍ୟର ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଆସନ୍ତା ଅକ୍ଟୋବର ୨୦୨୫ ସୁଦ୍ଧା ବାଇପାସ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଏହାଦ୍ବାରା ବରଗଡ଼ ବଲାଙ୍ଗୀର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ଗତି ମିଳିବ । କେନ୍ଦ୍ରମନ୍ତ୍ରୀ ଗଡକରୀ, ଓଡ଼ିଶାରେ ବିଗତ ନଅ ବର୍ଷ ମଧ୍ୟରେ ବ୍ୟାପକ ଜାତୀୟ ରାଜପଥ ଉନ୍ନତି କାର୍ଯ୍ୟ ହୋଇଥିବାର କହିଛନ୍ତି । ୫ ହଜାର ୭୫୩ କିମି ଜାତୀୟ ରାଜପଥ ଉନ୍ନତିକରଣ ହୋଇଛି । ସମାନ ଭାବରେ ଓଡ଼ିଶାରେ ୩୭୨ କିମି ଛ' ଲେନ ରାସ୍ତା, ୧୫୪୫ କିମି ଚାରି ଲେନ ରାସ୍ତା ଓ ୨୦୬୬ କିମି ଦୁଇ ଲେନ ବିଶିଷ୍ଠ ରାସ୍ତା ନିର୍ମାଣ ହୋଇଛି । ସେହିପରି ୨୦୨୪ ସୁଦ୍ଧା ଆଉ ୫୮୮ କିମି ରାସ୍ତା ଏଥିରେ ଯୋଡି ହେବ ବୋଲି ସେ କହିଛନ୍ତି ।

ଏହାଛଡା ୭ ହଜାର କୋଟି ଟଙ୍କା ବ୍ୟୟରେ ୧୩୪୨ କିମି ଜାତୀୟ ରାଜପଥର ଉନ୍ନତିକରଣ ହେଉଛି । ୨୫ ହଜାର କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ଦେଓଗଡ଼ ଅନୁଗୋଳ ଓ କୋଲକାତା ଖଡ଼ଗପୁର ଜାତୀୟ ରାଜପଥ କାମ ଚାଲିଛି, ଯଦ୍ବାରା ପଶ୍ଚିମ ଓଡ଼ିଶା ସିଧାସଳଖ କୋଲକାତା ସହିତ ଯୋଡି ହେବ । ଏହି କ୍ରମରେ ଭଦ୍ରକ ବାଲେଶ୍ୱର ଜାତୀୟ ରାଜପଥ, କଟକ ଅନୁଗୋଳ ସମ୍ବଲପୁର ଜାତୀୟ ରାଜପଥ, ବୀରମିତ୍ରପୁର ରାଜନଲା ଜାତୀୟ ରାଜପଥ ଓ ଚଣ୍ଡିଖୋଲ ପାରାଦ୍ବୀପ ଜାତୀୟ ରାଜପଥର ମଧ୍ୟ ବିକାଶ କାମ ଚାଲିଛି । ଏହାଦ୍ବାରା ଓଡ଼ିଶାର ସମ୍ପୂର୍ଣ୍ଣ ବିକାଶ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ, ବାଇପାସ କାମ ଶୀଘ୍ର ଶେଷ ହେଉ । ବାଇପାସ୍ ରାସ୍ତା ଦାବିରେ ଲୋକେ ଆନ୍ଦୋଳନ କରୁଥିଲେ । ଏଥିପାଇଁ ସେ ଅନେକ ଥର କେନ୍ଦ୍ରକୁ ଚିଠି ଲେଖିଥିଲେ । ଶେଷରେ ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ତେବେ ଏହାକୁ ନେଇ କୌଣସି ରାଜନୀତି ନହେଉ ଓ ଉନ୍ନତମାନକ କାର୍ଯ୍ୟ ହୋଇ ଶୀଘ୍ର ଶେଷ କରାଯାଉ । ଶିଳାନ୍ୟାସ ପାଇଁ ୨୨ ବର୍ଷ ଲାଗିଗଲା ସେହିପରି କାମ କଚ୍ଛପ ଗତିରେ ନ ହେଉ ବୋଲି ନରସିଂହ କହିଛନ୍ତି ।

ଏହାସହିତ ବଲାଙ୍ଗୀର ବିଧାୟକ ପାଟଣାଗଡ ପଦ୍ମପୁର କିମ୍ବା ପାଟଣାଗଡ କଣ୍ଟାବାଞ୍ଜି ରାସ୍ତାକୁ ଜାତୀୟ ରାଜପଥରେ ସାମିଲ କରିବାକୁ ଏବଂ ବରପାଲି ବଲାଙ୍ଗୀର ଚାରି ଲେନ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି । ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି ଏବଂ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେବା ପଛରେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି । କହିରଖୁଛୁ କି, 430 କୋଟି ଟଙ୍କା ବ୍ୟୟରେ ବାଇପାସ୍ ନିର୍ମାଣ ହେବ । ମୋଟ 11 କିମି 67 ମିଟର ରାସ୍ତା ଆସନ୍ତା ଅକ୍ଟୋବର 2025ରେ ସମ୍ପୂର୍ଣ୍ଣ ହେବ ବୋଲି ଧାର୍ଯ୍ୟ ହୋଇଛି । ତେବେ ଏହା ଦୁଇ ଲେନ ବିଶିଷ୍ଟ ହେବ ଯେଉଁଥିରେ 4ଟି ବ୍ରିଜ, 2ଟି ଫ୍ଲାଏ ଓଭର, ଯାନବାହାନ ପାସ 7ଟି, ଛୋଟ ବ୍ରିଜ 4ଟି, କଲଭର୍ଟ 23ଟି, 11ଟି ଜଙ୍କସନ ହେବ ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated :Jul 1, 2023, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.