ETV Bharat / state

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି, ଯୁକ୍ତ ୩ ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ ଦାବିରେ ଆନ୍ଦୋଳନ

author img

By

Published : Feb 20, 2023, 9:31 PM IST

ଯୁକ୍ତ ୩ ପରୀକ୍ଷା ଫଳାଫଳକୁ ନେଇ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ । ପରୀକ୍ଷା ମୂଲ୍ୟାଙ୍କନ ତ୍ରୁଟି ରହିଥିବା ଅଭିଯୋଗ । ପୁନଃ ମୂଲ୍ୟାୟନ ଦାବି ନେଇ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି । ଅଧିକ ପଢ଼ନ୍ତୁ

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି
ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି

ବଲାଙ୍ଗୀର: ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ନିକଟରେ ପ୍ରକାଶ ପାଇଥିବା ଯୁକ୍ତ ୩ ତୃତୀୟ ସେମିଷ୍ଟାର ପରୀକ୍ଷା ଫଳାଫଳକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ସହିତ ଅନୁବନ୍ଧିତ ଥିବା ବିଭିନ୍ନ ୬୦ଟି କଲେଜର ଛାତ୍ରଛାତ୍ରୀ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ ଦାବିରେ ବିଶ୍ବବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତେ ଧାରଣାରେ ବସିଛନ୍ତି ।

ଗତ ୧୬ ଫେବୃଆରୀରେ ଯୁକ୍ତ ୩ ଦ୍ବିତୀୟ ବର୍ଷର ତୃତୀୟ ସେମିଷ୍ଟାର ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା । ଯେଉଁଥିରେ ୫୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ଭଲ ନମ୍ବର ନଥିବା ବେଳେ ସେମାନଙ୍କର ବିଭିନ୍ନ ବିଷୟରେ ପେପର ବ୍ୟାକ୍‌ ଲାଗିଛି । ଯାହାକୁ ନେଇ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିନା ଶୁଳ୍କରେ ପରୀକ୍ଷା ଖାତାର ପୁନଃ ମୂଲ୍ୟାଙ୍କନ ଦାବି କରିଛନ୍ତି ଛାତ୍ରଛାତ୍ରୀ । ତେବେ ଆନ୍ଦୋଳନରତ ଛାତ୍ରୀ ରୋଜାଲିନ ବେହେରା ଦେଓଗାଁ କଲେଜରେ ଇଂରାଜୀ ସ୍ନାତକରେ ଯୁକ୍ତ ତିନି ପାଠ ପଢୁଛନ୍ତି । ସେ କହିଛନ୍ତି, "ଆମେ ତୃତୀୟ ସେମିଷ୍ଟାର ପରୀକ୍ଷା ଅଫଲାଇନରେ ଦେଇଥିଲୁ । ପରୀକ୍ଷା ଦେଇଥିବା ଅଧିକାଂଶ ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ଖରାପ ନମ୍ବର ଆସିଛି । ମୋଟ ମଧ୍ୟ ପେପର ବ୍ୟାକ୍ ଲାଗିଛି । ମୂଲ୍ୟାୟନରେ ତ୍ରୁଟି ରହିଛି ।"

ସେପଟେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ପରୀକ୍ଷା କଣ୍ଟ୍ରୋଲର ଏହି ଅଭିଯୋଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ପରୀକ୍ଷା ପରେ ପରୀକ୍ଷା ଖାତା ସବୁକୁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ନିୟମ ଅନୁସାରେ ମୁଲ୍ୟଙ୍କନ କରାଯାଇଥିବା ସେ କହିଛନ୍ତି । ତାଙ୍କ କହିବା ଅନୁଯାୟୀ, "ଜଣେ ଜଣେ ସ୍ବତନ୍ତ୍ର ପରୀକ୍ଷା ମୁଲ୍ୟାଙ୍କନ କଣ୍ଟ୍ରୋଲର ନିଯୁକ୍ତ କରାଯାଇ ଚାରୋଟି କଲେଜରେ ସେଣ୍ଟର କରି ତାହାର ମୁଲ୍ୟାଙ୍କନ କରାଯାଇଥିଲା । ମୁଲ୍ୟାଙ୍କନ ସଠିକ ହୋଇଛି ।" ଅଧିକାଂଶ ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରି ନଥିବା ସେ କହିଛନ୍ତି ।

ତେବେ ଛାତ୍ରଛାତ୍ରୀଙ୍କ ଦାବି ଅନୁସାରେ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି । ଛାତ୍ରଛାତ୍ରୀ ତାଙ୍କ କଲେଜ ପକ୍ଷରୁ ବିଶ୍ବବିଦ୍ୟାଳୟକୁ ପୁନଃ ମୁଲ୍ୟାଙ୍କନ ଆବେଦନ ପଠାଇ ପାରିବେ । ତାହାରି ଆଧାରରେ ବିଶ୍ବବିଦ୍ୟାଳୟ ସେସବୁ ଉପରେ ପଦକ୍ଷେପ ନେବ ବୋଲି ସେ କହିଛନ୍ତି । ସୂଚନା ଅନୁସାରେ ବଲାଙ୍ଗୀର ଓ ଆଖପାଖ ଜିଲ୍ଲାର ୬୦ଟି କଲେଜ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଅଧୀନରେ ରହିଛି । କୋରୋନା କଟକଣା ସମୟରେ ଏହି ଛାତ୍ରଛାତ୍ରୀ ପ୍ରଥମେ ଅନଲାଇନ ପରୀକ୍ଷା ଦେଇଥିଲେ । ତେବେ ପ୍ରଥମ କରି ଏବେ ସମସ୍ତେ ଅଫଲାଇନ ପରୀକ୍ଷା ଦେଇଥିବାବେଳେ ଏହାର ଫଳାଫଳ ସନ୍ତୋଷଜନକ ନଥିବାରୁ ଏହି ଛାତ୍ର ଅସନ୍ତୋଷ ଦେଖା ଦେଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.