ETV Bharat / state

ସରୁନି ଦାଦାନ ଦୁଃଖ, ବାହାର ରାଜ୍ଯକୁ କାମ କରିବାକୁ ଯାଇ ସ୍ତ୍ରୀ ମୃତ -ସ୍ବାମୀ ନିଖୋଜ

author img

By ETV Bharat Odisha Team

Published : Nov 12, 2023, 10:51 AM IST

migrant labour died
migrant labour died

ଦାଦନ ଦୁଃଖର କରୁଣ ଚିତ୍ର । ବାହାର ରାଜ୍ୟକୁ କାମ କରିବାକୁ ଯାଇ ଘରକୁ ଫେରିଲା ମହିଳାଙ୍କ ମୃତଦେହ। ଅଧିକ ପଢନ୍ତୁ

migrant labour died

ବଲାଙ୍ଗୀର: ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖର କରୁଣ ଚିତ୍ର । ପେଟପାଟଣା ପାଇଁ ବାହାର ରାଜ୍ୟକୁ ଏକାଠି ଯାଇଥଲେ ସ୍ବାମୀ ସ୍ତ୍ରୀ । ସ୍ତ୍ରୀର ମୃତଦେହ ଘରକୁ ଫେରିଥିବା ବେଳେ ସ୍ବାମୀ ନିଖୋଜ । ଏଭଳି ଦୁଃଖଦ ଘଟଣା ଘଟିଛି ବେଲାପଡ଼ା ବ୍ଲକ ଭାଲୁ ବାହାଲି ଗ୍ରାମରୁ। ମାଆର ମୃତ୍ୟୁ ବାପା ନିଖୋଜ ହେବା ପରେ ଏବେ ଅସହାୟ ହୋଇପଡିଛନ୍ତି ତାଙ୍କ ତିନି ଶିଶୁ । ଲାଳନପାଳନ ପାଇଁ ଚିନ୍ତାରେ ତାଙ୍କ ଜେଜେ ବାପା ଓ ଜେଜେ ମାଆ ।

ଗ୍ରାମର ବେଣୁଧର ମାଝୀ ଓ ତାଙ୍କ ସ୍ତ୍ରୀ ଲିଜା ମାଝୀ ଦୁଇ ବର୍ଷର ଶିଶୁକୁ ନେଇ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ଘରେ ତାଙ୍କ ଅନ୍ୟ ଦୁଇ ଶିଶୁ ଓ ବୃଦ୍ଧ ମାଆ ବାପାଙ୍କୁ ଛାଡ଼ି ଯାଇଥିଲେ। ତେବେ ଦାଦନ ଦଲାଲଠାରୁ ଅଗ୍ରୀମ ଟଙ୍କା ନେଇ ସେମାନେ ଆନ୍ଧ୍ର ପ୍ରଦେଶରେ ଇଟା ଗଢ଼ିବାକୁ ଟ୍ରେନ୍‌ ଯୋଗେ ଯାଉଥିଲେ । କାଯୁପେଟ ଷ୍ଟେସନ ନିକଟରେ ଦୁର୍ଘଟଣା ବଶତଃ ଲିଜା ମାଝୀ ଟ୍ରେନରୁ ଖସି ପଡ଼ିଥିଲେ । ପୋଲିସ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ମହିଳାଙ୍କ ସ୍ଵାମୀ ବେଣୁଧର ମାଝୀ ସେଠାରୁ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ ।

ଏନେଇ ଖବର ପାଇବା ପରେ ଗାଁର କିଛି ଲୋକ ସେଠାକୁ ଯାଇ ଛୋଟ ଶିଶୁ ସହିତ ମହିଳାଙ୍କ ମୃତଦେହକୁ ଗାଁକୁ ଆଣିଥିଲେ। ପରିବାରରେ ଏବେ ତିନି ଛୋଟ ଶିଶୁ ଓ ନିଖୋଜ ବ୍ୟକ୍ତିଙ୍କ ବୃଦ୍ଧ ବାପା ଓ ମାଆ ଅଛନ୍ତି । ତେବେ ବୃଦ୍ଧ ବାପା ମାଆ ପୁଅର ରୋଜଗାରରେ ନିର୍ଭରଶୀଳ ଥିବା ବେଳେ ଏବେ ସେମାନେ କେମିତି ଏହି ଶିଶୁଙ୍କ ଲାଳନପାଳନ କରିବେ ତାହାକୁ ନେଇ ଚିନ୍ତାରେ ଅଛନ୍ତି । ସରକାର ତାଙ୍କୁ ସହାୟ ହୁଅନ୍ତୁ ବୋଲି ସେମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଦାଦାନ ଖଟିବାକୁ ଯାଇ ଯୁବକ ମୃତ

ନିଖୋଜ ଦାଦନ ଶ୍ରମିକ ବେଣୁଧର ମାଝୀଙ୍କ ବୃଦ୍ଧ ବାପା ରଞ୍ଜିତ ମାଝୀ କହିଛନ୍ତି ଯେ, ତାଙ୍କ ପୁଅ ବୋହୂ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଯାଇଥିଲେ । କାଜୁପେଟ ଠାରେ ଦୁର୍ଘଟଣାରେ ବୋହୂ ଲିଯା ମାଝୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମର୍ମାହତ ହୋଇ ମୋର ପୁଅ କେଉଁଆଡେ ନିଖୋଜ ହୋଇ ଯାଇଛି । ପୋଲିସ ତାକୁ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ପତ୍ତା ପାଇନାହିଁ । ଏବେ ମୋ ସହିତ ତିନି ଶିଶୁ ଅଛନ୍ତି । ତାଙ୍କର ଲାଳନପାଳନ କେମିତି କରିବି ତାହା ଚିନ୍ତାର ବିଷୟ ।

ସେହିପରି ମୃତକଙ୍କ ସମ୍ପର୍କୀୟ ଦୁର୍ବଳ ମାଝୀ କହିଛନ୍ତି ଯେ, ବେଣୁଧର ଓ ଲିଯା ଛୋଟ ଶିଶୁକୁ ନେଇ ବାହାର ରାଜ୍ୟକୁ ଇଟା ଗଢ଼ିବାକୁ ଯାଉ ଥିଲେ । ହେଲେ ଦୁର୍ଘଟଣାରେ ଲିଜାଙ୍କ ମୃତ୍ୟୁ ହୋଇଥିବା ବେଳେ ବେଣୁଧର ଏବେ ନିଖୋଜ ଅଛି । ତାଙ୍କ ତିନି ଶିଶୁ ଏବେ ଅସହାୟ ହୋଇପଡିଛନ୍ତି । ତାଙ୍କୁ ସରକାର ସାହାଯ୍ୟ କରନ୍ତୁ ବୋଲି ବିନତୀ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.