ETV Bharat / state

ଛାତ୍ରଙ୍କ ତଣ୍ଟିରେ ପଶିଗଲା ଜାଭେଲିନ ଷ୍ଟିକ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ହେବ ଖର୍ଚ୍ଚ

author img

By

Published : Dec 17, 2022, 2:08 PM IST

Updated : Dec 17, 2022, 7:54 PM IST

ବାର୍ଷିକ କ୍ରୀଡା ବେଳେ ଅଘଟଣ । ଛାତ୍ରଙ୍କ ତଣ୍ଟିରେ ପଶିଲା ଜାଭେଲିନ ଷ୍ଟିକ । ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ସଫଳ ଅସ୍ତ୍ରୋପଚାର ପରେ ଛାତ୍ର ସୁସ୍ଥ ଥିବାର ଜଣାପଡ଼ିଛି । ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ତଣ୍ଟିରେ ପଶିଲା ଜାଭେଲିନ ଷ୍ଟିକ
ତଣ୍ଟିରେ ପଶିଲା ଜାଭେଲିନ ଷ୍ଟିକ

ତଣ୍ଟିରେ ପଶିଲା ଜାଭେଲିନ
ସଫଳ ଅସ୍ତ୍ରୋପଚାର ପରେ ଛାତ୍ର ସୁସ୍ଥ

ବଲାଙ୍ଗୀର: ବାର୍ଷିକ କ୍ରୀଡା ଚାଲିଥିବା ବେଳେ ଘଟିଲା ଅଘଟଣ । ଛାତ୍ରଙ୍କ ତଣ୍ଟିରେ ପଶିଲା ଜାଭେଲିନ ଷ୍ଟିକ । ଏଭଳି ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ସଫଳ ଅସ୍ତ୍ରୋପଚାର ପରେ ଛାତ୍ର ସୁସ୍ଥ ଥିବାର ଜଣାପଡ଼ିଛି । ସେପଟେ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିବା ସହ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଖବରଅନୁସାରେ, ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା ଚାଲିଥିଲା । ତେବେ ଖେଳ ସମୟରେ ଜାଭେଲିନ ଚାଲିଥିଲା । ଏହି ସମୟରେ ନବମ ଶ୍ରେଣୀର ଛାତ୍ର ସଦାନନ୍ଦ ମେହେର ପଡିଆରେ ରହିଥିବା ବେଳେ କେହି ଜଣେ ଜାଭେଲିନ ଫିଙ୍ଗିଥିଲା । ଯାହାକି ସଦାନନ୍ଦଙ୍କ ପାଇଁ କାଳ ସାଜିଥିଲା । ଦ୍ରୁତବେଗରେ ଜାଭେଲିନଟି ଆସି ସଦାନନ୍ଦ ମେହେରଙ୍କ ବେକରେ ପଶି ଯାଇଥିଲା । ତେବେ ଏହା ଦେଖି ସଙ୍ଗସଙ୍ଗେ ସ୍ବେଚ୍ଛାସେବୀ ଯୁବକ ଏବଂ ସ୍କୁଲ ଅଧିକାରୀ ପହଞ୍ଚି ଛାତ୍ରଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଦୀର୍ଘ ଚାରି ଘଣ୍ଟାର ପରିଶ୍ରମ ପରେ ଡାକ୍ତରଙ୍କ ୮ ଜଣିଆ ଟିମ ଅପରେସନ କରି ଛାତ୍ରଙ୍କ ବେକରୁ ସଫଳ ଭାବରେ ଜାଭେଳିନ ଷ୍ଟିକ କାଢ଼ିଛନ୍ତି । ଏହାପରେ ଛାତ୍ର ଜଣକ ସୁସ୍ଥ ଥିବା କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ମେଡିକାଲରେ ନିଜେ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ, ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଲୋକ ସମ୍ପର୍କ ସୂଚନା ଅଧିକାରୀ ପହଞ୍ଚି ଘଟଣା ଉପରେ ନଜର ରଖିବା ସହ ଉତ୍ତମ ଚିକିତ୍ସା ଉପରେ ଧ୍ୟାନ ରଖିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଭିକେ ପଣ୍ଡିଆନ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ସହିତ ଆଲୋଚନା କରିଛନ୍ତି । ସଦାନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବାବଦରେ ପଚାରି ବୁଝିବା ସହ ସେ ସମସ୍ତ ସହଯୋଗ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ସଦାନନ୍ଦଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଜିଲ୍ଲା ରେଡ଼କ୍ରସ ପକ୍ଷରୁ ଛାତ୍ରଙ୍କ ଚିକିତ୍ସା ପାଇଁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି ଓ ସବୁ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନୀଳ ନୟନାଙ୍କ ନାଁରେ ନକଲି ପାର୍ସପୋର୍ଟ ଧରି ବୁଲିଥିଲେ ନାଇଜେରିଆନ, 3 ଗିରଫ

ଏନେଇ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି," ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଗୋଟେ ଅଭାବନୀୟ ଘଟଣା ଘଟିଛି । ବାର୍ଷିକ କ୍ରୀଡା ଚାଲିଥିବା ବେଳେ ଗୋଟିଏ ଛାତ୍ରର ବେକରେ ଜାଭେଲିନ ପଶିଯାଇଛି । ଆମେ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଛୁ । ଉତ୍ତମ ଚିକିତ୍ସା ଉପରେ ଧ୍ୟାନ ଦେଇଛୁ । ଛାତ୍ରଟି ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରେ ଆମେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।"

ଇଟିଭି ଭାରତ, ବଲାଙ୍ଗୀର

Last Updated :Dec 17, 2022, 7:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.