ETV Bharat / state

ବଲାଙ୍ଗୀର ସହରରେ ମାତିଛନ୍ତି ଜମି ମାଫିଆ, ହନ୍ତସନ୍ତ ସହରବାସୀ

author img

By

Published : Oct 3, 2021, 3:38 PM IST

ଜମି ମାଫିଆଙ୍କ କବଜାରେ ବଲାଙ୍ଗୀର ସହର । ସରକାରୀ ଅନୁମତି ବିନା ଜମି ବିକ୍ରି କରି ମାଲେମାଲ ହେଉଛନ୍ତି ଜମି ମାଫିଆ ଓ କମ୍ପାନୀ । ତାହା ପୁଣି ସରକାରୀ ବେଞ୍ଚ ମାର୍କ ଠାରୁ ଢେର ଅଧିକରେ । ଫଳରେ ବେଆଇନ ଜମି କିଣି ହଟହଟା ହେଉଛନ୍ତି ସାଧାରଣ ଲୋକେ । ଅଧିକ ପଢନ୍ତୁ...

ଜମି ମାଫିଆଙ୍କ କବଜାରେ ବଲାଙ୍ଗୀର ସହର, ଜମି କିଣି  ହଟହଟା ସହରବାସୀ
ଜମି ମାଫିଆଙ୍କ କବଜାରେ ବଲାଙ୍ଗୀର ସହର, ଜମି କିଣି ହଟହଟା ସହରବାସୀ

ବଲାଙ୍ଗୀର: ସର୍ବପୁରାତନ ବଲାଙ୍ଗୀର ସହର ଦିନେ ବ୍ୟବସ୍ଥିତ ସହର ଭାବରେ ବେଶ ପରିଚିତ ଥିଲା। ରାଜା ଅମଳରେ ଏହି ସହର ଜୟପୁର ଢାଞ୍ଚାରେ ପରିକଳ୍ପନା କରାଯାଇ ବସତି ସ୍ଥାପନ କରା ଯାଇଥିଲା। ଲୋକଙ୍କୁ ସହଜରେ ସମସ୍ତ ସୁବିଧା ମଧ୍ୟ ଉପଲବ୍ଧ ହେଉଥିଲା । ହେଲେ ଏହି ବ୍ୟବସ୍ଥା ଏବେ ଅବ୍ୟବସ୍ଥାରେ ପରିଣତ ହୋଇଛି। ଏହାର ମୁଖ୍ୟ କାରଣ ସାଜିଛି ସହରରେ ଚାଲିଥିବା ବେଆଇନ ଜମି କାରବାର। ତେବେ ବଲାଙ୍ଗୀର ସହର ଜିଲ୍ଲାର ମୁଖ୍ୟ ପ୍ରାଣ କେନ୍ଦ୍ର ହୋଇଥିବା ବେଳେ ଏହି ସହରରେ ଘର ଟିଏ କରିବା ଲୋକଙ୍କ ସ୍ୱପ୍ନ ହୋଇଛି।

ବଲାଙ୍ଗୀର ସହରରେ ମାତିଛନ୍ତି ଜମି ମାଫିଆ

ଏହାର ଫାଇଦା ଉଠାଇଛନ୍ତି ଜମି ମାଫିଆ ଓ କମ୍ପାନୀ। ଛତୁ ଫୁଟିଲା ପରି ଜମି ଦଲାଲ ଓ କମ୍ପାନୀ ରାତା ରାତି ଖୋଲା ଯାଇ ସହର ମଧ୍ୟରେ ଥିବା ଜମିକୁ ବେଆଇନ ଭାବରେ ସରକାରୀ ବେଞ୍ଚ ମାର୍କ ଠାରୁ ଶତାଧିକ ଗୁଣରେ ବିକ୍ରି କରୁଛନ୍ତି। ତେବେ ଏଥିପାଇଁ ଆବଶ୍ୟକ ଥିବା ସରକାରୀ ଅନୁମତି ଏମାନେ ନ ନେଇ ସବୁ ନିୟମକୁ ଉଲଂଘନ କରି ଜମି ଲୋକଙ୍କୁ ବିକ୍ରି କରୁଛନ୍ତି।

ଫଳରେ ଜମି କିଣି ଘର କରିବା ପରେ ଏବେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଯେଉଁଥିରେ ଭଲ ବ୍ୟବସ୍ଥିତ ରାସ୍ତା ତିଆରି ହୋଇ ପାରୁ ନଥିବା ବେଳେ ପିଇବା ପାଣି ଓ ବିଦ୍ୟୁତ ସମସ୍ୟା ଦେଖାଦେଇଛି । ସେହିପରି ଏଣେ ତେଣେ ବସ୍ତି ଗୁଡିକରେ ଡ୍ରେନେଜ ବ୍ୟବସ୍ଥା ମଧ୍ୟ ହୋଇପାରୁନାହିଁ । ଫଳରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ। ତେବେ ବଲାଙ୍ଗୀର ସହର ଏବେ 10ରୁ 15 କିମି ପରିଧି ମଧ୍ୟରେ ଥିବା ବେଲେ ଆଉ ପାଞ୍ଚ ବର୍ଷରେ ଏହା ଦୁଇ ଗୁଣ ହେବ ବୋଲି ଜଣା ପଡ଼ିଛି।

ତେବେ ସହରରେ ଘର କରିବାକୁ ହେଲେ ଟାଉନ ପ୍ଲାନିଂ ତଥା ପୌରପାଳିକାର ଅନୁମତି ଲୋଡା ଥିବା ବେଲେ ଲୋକେ ଏହାକୁ ଖାତିର ନକରି ଅବାଧରେ ଘର ତିଆରି କରି ଚାଲିଛନ୍ତି । ସେହିପରି ଏବେ ଖୁବ ସକ୍ରିୟ ଥିବା ଜମି ଦଲାଲ କିମ୍ବା ରିଏଲ ଇଷ୍ଟେଟ କମ୍ପାନୀ ମାନେ ବିନା ସରକାରୀ ଅନୁମତିରେ ଚାଷ ଜମି ଗୁଡିକରେ ଘର କରି ଲୋକଙ୍କୁ ବିକ୍ରି କରି ଚାଲିଛନ୍ତି । ଏହି ସବୁ ଧନ୍ଦା ଏବେ ଶିଖରରେ ଥିବା ବେଳେ ଏଥି ପାଇଁ ଦାୟୀ ଥିବା ନଗର ଉନ୍ନୟନ ସଂସ୍ଥା ତଥା ପୌରପାଳିକା ହାତ ବାନ୍ଧି ବସିଛନ୍ତି। ତେବେ ନିୟମ ଅଛି ବିନା ସଠିକ ଟାଉନ ପ୍ଲାନିଂ ଓ ପୌର ପାଳିକାର ଅନୁମତି ତଥା ସରକାରୀ ନିୟମ ନଥିଲେ ଘର ପାଇଁ ଜମି କିଣା ବିକା ହୋଇ ପାରିବ ନାହିଁ। ହେଲେ ସହରରେ ଏଥିରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହୋଇଛି ।

ସେପଟେ ବର୍ତ୍ତମାନର ଜିଲ୍ଲା ଉପ ନିର୍ବନ୍ଧକ ଏହାକୁ ସ୍ୱୀକାର କରିଛନ୍ତି। ତାଙ୍କ ପୂର୍ବରୁ ଏଠି ଲୋକେ ବିଭିନ୍ନ ଅସାଧୁ ଉପାୟରେ ଜମି କିଣା ବିକା କରିଛନ୍ତି। ଯାହାର ଉଚ୍ଚ ସ୍ଥରୀୟ ତଦନ୍ତ ହେବା କଥା ବୋଲି ସେ କହିଛନ୍ତି। ଏଥି ସହ ବର୍ତ୍ତମାନ ସରକାରୀ ନିୟମ ଉଲଂଘନ କରି ଜମି କିଣାବିକା ସମ୍ପୂର୍ଣ୍ଣ ବନ୍ଦ କରିଥିବାକୁ ସେ କହିଛନ୍ତି। ତେବେ ଜମି କିଣାବିକା ପାଇଁ ତହସିଲ, ପୌର ପାଳିକା ଓ ଟାଉନ ପ୍ଲାନିଂର ତଦାରଖ ଅଭାବ ଯୋଗୁଁ ଆଜି ଏହି ପରିସ୍ଥିତି ହୋଇଥିବା ସେ କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.