କତାର ଗଲା ବଲାଙ୍ଗୀର ଅଣ୍ଡା, ଫିଫା ୱାର୍ଲ୍ଡ କପରେ ବଢ଼ିଲା ଚାହିଦା

author img

By

Published : Dec 2, 2022, 3:09 PM IST

egg exports from balangir to qatar

କତାରରେ ଫିଫା ୱାର୍ଲ୍ଡ କପ ଚାଲିଥିବାରୁ ଅଣ୍ଡାର ଚାହିଦା ବଢ଼ିଛି । ତେଣୁ ବଲାଙ୍ଗୀରରୁ କତାରକୁ ରପ୍ତାନୀ ହେଉଛି ଅଣ୍ଡା । ଅଧିକ ପଢ଼ନ୍ତୁ

ବଲାଙ୍ଗୀର: ମେକ୍‌ ଇନ୍‌ ଓଡ଼ିଶାର ସଫଳ କାହାଣୀ । ଫିଫା ୱାର୍ଲ୍ଡ କପରେ ବଲାଙ୍ଗୀର ଅଣ୍ଡାର ଚାହିଦା । ବଲାଙ୍ଗୀର ସ୍ଥିତ ଓଭୋ କୁକୁଡ଼ା ଫାର୍ମର ଅଣ୍ଡା ଏବେ ଭୂମଧ୍ୟ ସାଗରୀୟ ଦେଶ କତାରରେ ବିକ୍ରି ହେଉଛି । ବଲାଙ୍ଗୀର ଅଣ୍ଡା ସେଠାକୁ ରପ୍ତାନୀ ହେଉଥିବା ବେଳେ ପ୍ରଥମ କରି ଓଡ଼ିଶାର ଏକ କମ୍ପାନୀ ଅନ୍ତର୍ଜାତୀୟ ଦରବାରରେ ଏହି ସୁନାମ ଆଣିଛି ।

କତାର ଗଲା ବଲାଙ୍ଗୀର ଅଣ୍ଡା

ବଲାଙ୍ଗୀର ଜିଲ୍ଲା ଛତାମଖନା ଗ୍ରାମରେ ଥିବା ଓଭୋ ଲେୟର କୁକୁଡ଼ା ଫାର୍ମ ଅଣ୍ଡା କତାର ଦେଶକୁ ଅଣ୍ଡା ରପ୍ତାନୀ କରୁଛି । ବର୍ତ୍ତମାନ ସେଠାରେ ଫିଫା ଫୁଟବଲ ବିଶ୍ୱକପ ଚାଲିଥିବା ବେଳେ ସବୁ ଦେଶର ଖେଳାଳୀ ଓ ଦର୍ଶକଙ୍କ ଭିଡ ଲାଗିଛି । ଏଠି ଅଣ୍ଡାର ବଢିଥିବା ଚାହିଦା ପାଇଁ ବଲାଙ୍ଗୀରର ଉକ୍ତ ଫାର୍ମରୁ ରପ୍ତାନୀ ହେଉଛି । ତେବେ ପୂର୍ବରୁ ଏହି ଦେଶକୁ ୟୁକ୍ରେନ ଅଣ୍ଡା ଯୋଗାଇ ଦେଇ ଆସୁଥିଲା । ହେଲେ ରୁଷ ସହ ଚାଲିଥିବା ଯୁଦ୍ଧରେ ତାହା ବନ୍ଦ ହୋଇ ଯାଇଛି । ତେଣୁ କତାର ସରକାର ଓ କମ୍ପାନୀ ବଲାଙ୍ଗୀରରୁ ଅଣ୍ଡା ଆମଦାନୀ କରିଛନ୍ତି ।

ଅତ୍ୟାଧୁନିକ ଜ୍ଞାନ କୌଶଳରେ ଓଭୋ କୁକୁଡ଼ା ଫାର୍ମ ଦିନକୁ 10 ଲକ୍ଷ ଅଣ୍ଡାର ଉତ୍ପାଦନ କରିଥାଏ । ପ୍ରତ୍ୟେକ ଅଣ୍ଡାକୁ ଅତି ନିଖୁଣ ଯାଞ୍ଚ କରାଯାଏ । ତେବେ ଏଠାରେ ସ୍ବୟଂଚାଳିତ ମେସିନ କାମ କରେ । ଯେଉଁଥିରେ ପ୍ରତ୍ୟେକ ଅଣ୍ଡାକୁ ଲାଇଟ ଓ ୟୁଭି ଦ୍ବାରା ଯାଞ୍ଚ କରା ଯାଇଥାଏ । ଏଠାରେ ଲୋକଙ୍କୁ ସୁସ୍ଥ ତଥା ଜୀବାଣୁ ମୁକ୍ତ ଅଣ୍ଡା ବିକ୍ରି ହେଉଥିବା କୁହାଯାଇଛି । ସେହିପରି ଭାରତର ପ୍ରଥମ ଫାର୍ମ ଭାବରେ ଏଠି ବାହାରୁଥିବା ସବୁ ଅଣ୍ଡା ଉପରେ ବ୍ୟବହାର ପାଇଁ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟ ଦିଆ ଯାଇଛି । ଯେଉଁଥିରେ ଅଣ୍ଡାଟି କେବେ ଉତ୍ପାଦିତ ହୋଇଥିଲା ଓ କେବେ ଯାଏଁ ତାହା ଖାଇବା ଯୋଗ୍ୟ ତାହା ପ୍ରତ୍ୟେକ ଅଣ୍ଡାରେ ଲେଖା ଯାଇଛି । ଓଭୋ କୁକୁଡ଼ା ଅଣ୍ଡା ଫାର୍ମ ଏବେ ଏସିଆର ଦ୍ଵିତୀୟ ବଡ ଫାର୍ମ ଭାବରେ ପରିଗଣିତ ହୋଇଛି । ଏଠିକାର ଅଣ୍ଡା ଦେଶ ଓ ବିଦେଶରେ ବିକ୍ରି ହୋଇ ଆସୁଛି । ଯାହା ଫଳରେ ଓଭୋ ଅଣ୍ଡାର ଚାହିଦା ଦିନକୁ ଦିନ ବଢିବାକୁ ଲାଗୁଛି ।

ଏହା ମଧ୍ୟ ପଢ଼ନ୍ତୁ: ବଦଳିବ ମାଆ ସମଲେଇ ମନ୍ଦିରର ରୂପରେଖ

ପୂର୍ବରୁ ବିଭିନ୍ନ ଆଫ୍ରିକୀୟ ଦେଶ ଓ ଭୂମଧ୍ୟ ସାଗରୀୟ ଦେଶମାନଙ୍କରେ ଏହି ଫାର୍ମ ଅଣ୍ଡା ରପ୍ତାନୀ କରି ଆସୁଥିଲା । ଏଥର କତାର ଦେଶ ପ୍ରଥମ କିସ୍ତିରେ ସାଢ଼େ ଚାରି ଲକ୍ଷ ଅଣ୍ଡା କିଣିଛି । ସ୍ୱତନ୍ତ୍ର ବାତାନୁକୁଳିତ କଣ୍ଟେନରରେ ଜାହାଜ ଯୋଗେ ସେଠାକୁ ଅଣ୍ଡା ରପ୍ତାନୀ ହେଉଛି ଏବଂ ଆଗକୁ ମଧ୍ୟ ଏହି ପ୍ରକାରରେ ଫାର୍ମ ବିଦେଶକୁ ଅଣ୍ଡା ରପ୍ତାନୀ କରିବ ବୋଲି ଓଭୋ କର୍ତ୍ତୃପକ୍ଷ କହିଛନ୍ତି । ତେବେ ଭାରତର ଏହା ପ୍ରଥମ ଫାର୍ମ ଯିଏକି ଏତେ ବଡ ଆକାରରେ ବିଦେଶକୁ ଅଣ୍ଡା ରପ୍ତାନୀ କରୁଛି । ଏଥିସହ ଅର୍ଥନୀତିରେ ନିଜର ଯୋଗଦାନ ଦେଉଛି । ଏନେଇ ବଲାଙ୍ଗୀର ଜିଲ୍ଲାପାଳ କହିଛନ୍ତି, " ଉତ୍କୃଷ୍ଟ ମାନର ଉତ୍ପାଦ ପାଇଁ ଆଜି ଓଭୋ ଫାର୍ମର ଅଣ୍ଡା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛି । ଯାହା ବଲାଙ୍ଗୀର ନୁହେଁ ସାରା ଓଡ଼ିଶା ପାଇଁ ଉଦାହରଣ ଅଟେ । ଓଭୋର ସଫଳତାରେ ଅନେକ ନିବେଶକ ପ୍ରେରିତ ହୋଇ ଅଧିକରୁ ଅଧିକ ପୁଞ୍ଜି ନିବେଶ କରିବେ । "


ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.