ବଦଳିବ ମାଆ ସମଲେଇ ମନ୍ଦିରର ରୂପରେଖ

author img

By

Published : Nov 27, 2022, 9:49 AM IST

ବଦଳିବ ମାଆ ସମଲେଇ ମନ୍ଦିରର ରୂପ

ବଲାଙ୍ଗୀରର ଇଷ୍ଟ ଦେବୀ ମାଆ ସମଲେଇ ମନ୍ଦିରର ବଦଳିବ ରୂପରେଖ । ମନ୍ଦିରର ହେବ ନବକଳେବର । ଆଧୁନିକ ଢାଞ୍ଚାରେ ମନ୍ଦିର ତିଆରି ପାଇଁ ପ୍ରସ୍ତୁତ ହେଲା ମାଷ୍ଟର ପ୍ଲାନ । ଅଧିକ ପଢ଼ନ୍ତୁ

ବଲାଙ୍ଗୀର: ବଲାଙ୍ଗୀରର ଇଷ୍ଟ ଦେବୀ ମାଆ ସମଲେଇ ମନ୍ଦିରର ବଦଳିବ ରୂପ ରେଖ । ମନ୍ଦିରର ହେବ ନବକଳେବର । ଆଧୁନିକ ଢାଞ୍ଚାରେ ମନ୍ଦିର ତିଆରି ପାଇଁ ପ୍ରସ୍ତୁତ ହେଲା ମାଷ୍ଟର ପ୍ଲାନ । ଯାହାର ସମୀକ୍ଷା କରିଛନ୍ତି ଓଡିଶା ଗୃହ ନିର୍ମାଣ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହ ଦେଓ । ତେବେ ସେ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିରର ଅବସ୍ଥା ବୁଲି ଦେଖିଥିଲେ ।

ବଦଳିବ ମାଆ ସମଲେଇ ମନ୍ଦିରର ରୂପ

ରୋଡ୍ ଓ ଗୃହ ନିର୍ମାଣ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଓ ଅଧିକାରୀ ତଥା ପୌର ପରିଷଦ ଅଧ୍ୟକ୍ଷା, ପୌରପରିଷଦ ନିର୍ବାହୀ ଯନ୍ତ୍ରୀ ଓ ସମସ୍ତ କାଉନସିଲରଙ୍କ ସହ ପୂର୍ବତନ ସାଂସଦ ଆଲୋଚନା କରିଥିଲେ । ସେହିପରି ନୂତନ ସମଲେଇ ମନ୍ଦିର ନିର୍ମାଣ ପାଇଁ ରୋଡ଼ ଓ ଗୃହ ବିଭାଗ ପ୍ରସ୍ତୁତ କରଥିବା ପ୍ଲାନ ଉପରେ ଏଠି ବିସ୍ତୃତ ଆଲୋଚନା କରିଥିଲେ ।

ଯେଉଁଥିରେ 10 ହଜାର ବର୍ଗ ଫୁଟରେ ମନ୍ଦିର ନିର୍ମାଣ ହେବାସହ ପୂଜା ମଣ୍ଡପ, ମନ୍ଦିର ପ୍ରାଙ୍ଗଣ, ଯଜ୍ଞ ମଣ୍ଡପ ଓ ଦୋକାନ ଇତ୍ୟାଦି ତିଆରି ହେବାର ପ୍ରସ୍ତାବ ରହିଛି । ଯାହାଫଳରେ ଅଧିକରୁ ଅଧିକ ଭକ୍ତ ଦର୍ଶନ କରି ପାରିବେ ବୋଲି କୁହାଯାଇଛି । ଏଥିପାଇଁ ଯାହା ଟଙ୍କା ଆବଶ୍ୟକ ତାହା ସରକାର ଯୋଗାଇ ଦେବେ ବୋଲି କଳିକେଶ ସିଂ ଦେଓ କହିଛନ୍ତି । ସମାନ ଭାବରେ ରାଜ୍ୟର ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଖୁବ ଶୀଘ୍ର ଏହାର ତଦାରଖ ପାଇଁ ଆସିବେ ବୋଲି ପୂର୍ବତନ ସାଂସଦ ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ବଲାଙ୍ଗୀରରେ ପାଟଣା ରାଜ୍ୟ ଅମଳରେ ଚୌହାନ ବଂଶ ରାଜାଙ୍କ ପ୍ୟାଲେସରୁ ମାଆ ସମଲେଇଙ୍କୁ ଆଣି ବଲାଙ୍ଗୀର ସହର ସ୍ଥିତ ରାଧାରାଣୀପଡା ଠାରେ ସ୍ଥାପିତ କରିଥିଲେ । ବଲାଙ୍ଗୀରର ଇଷ୍ଟ ଦେବୀ ମାଆ ସମଲେଇଙ୍କ ପ୍ରତି ଭକ୍ତଙ୍କ ଶ୍ରଦ୍ଧା ଓ ବିଶ୍ୱାସ ରହିଆସିଛି । ସେହି ରାଜା ଅମଳରେ ତିଆରି ହୋଇଥିବା ତାଙ୍କ ମନ୍ଦିର ଏବେ ଭଗ୍ନ ଅବସ୍ଥାରେ ରହିଛି । ଏପରିକି ଗତ ବର୍ଷ ମନ୍ଦିରର ଛାତ ମଧ୍ୟ ଭୁଶୁଡି ପଡିଥିଲା । ଯାହାକୁ ଅସ୍ଥାୟୀ ଭାବରେ ସଜଡା ଯାଇଛି । ସେହିପରି ବର୍ଷା ଦିନରେ ମନ୍ଦିରରେ ପାଣି ପଶିବା ଭଳି ସମସ୍ୟା ମଧ୍ୟ ରହିଛି।

ଯାହା ଏଠିକାର ଭକ୍ତଙ୍କ ଭାବାବେଗକୁ ଆଘାତ କରି ଆସୁଛି । ସେହିପରି ମନ୍ଦିରର ଉନ୍ନତି ପାଇଁ ଦାବି ମଧ୍ୟ ହୋଇ ଆସୁଥିବା ବେଳେ ଏବେ ଏହି ପଦକ୍ଷେପକୁ ସମସ୍ତଙ୍କ ମନରେ ଉତ୍ସାହ ଆଣି ଦେଇଛି । ଏ ସମ୍ପର୍କରେ ପୂର୍ବତନ ସାଂସଦ କଳିକେଶ କହିଛନ୍ତି ''ସମଲେଇ ମନ୍ଦିରର ଛାତର ଯେଉଁ ଅଂଶ ଭାଙ୍ଗିଥିଲା ତା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏଥିପାଇଁ ବ୍ୟକ୍ତିଗତ ରୂପେ ମୁଁ ମଧ୍ୟ 2 ଲକ୍ଷ ଟଙ୍କା ଦେଇଥିଲି । ଏବେ ମୁଁ ସିଏମଙ୍କ ସହ କଥା ହୋଇଛି । ଯାହା ଆବଶ୍ୟକ ଅଛି ସମଲେଇ ମନ୍ଦିର ଲାଗି ତାହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ।''

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.