ETV Bharat / state

ଅନୁଗୋଳରେ ଥମୁନି ହାତୀ ଆକ୍ରମଣ: 2 ଜଣଙ୍କୁ ଦଳିଦେଲା ଦନ୍ତା, ରାସ୍ତା ଅବରୋଧ କଲେ ଲୋକେ

author img

By ETV Bharat Odisha Team

Published : Aug 24, 2023, 10:56 AM IST

Updated : Aug 24, 2023, 1:57 PM IST

ଅନୁଗୋଳ ପାତେଳି ଗାଁରେ ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜଣଙ୍କର ଜୀବନ । କ୍ଷତିପୂରଣ ଦାବିରେ ଅନୁଗୋଳ ବନ୍ତଳା ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

elephant attack
elephant attack

ଅନୁଗୋଳରେ ଥମୁନି ହାତୀ ଆକ୍ରମଣ

ଅନୁଗୋଳ: ଥମୁନି ହାତୀ ଉପଦ୍ରବ । ପୁଣି ମୁଣ୍ଡ ନେଲା ଦନ୍ତା । ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜଣଙ୍କର ଜୀବନ । ଏଭଳି ଘଟଣା ଘଟିଛି ଅନୁଗୋଳ ପାତେଳି ଗାଁରେ । ମୃତକମାନେ ହେଲେ ଅନୁଗୋଳ ବନଖଣ୍ଡର ଶଙ୍କର ବିଶ୍ୱାଳ ଏବଂ ପାତେଳି ଗ୍ରାମର ଝିଲି ମାଝୀ ବୋଲି ଜଣାପଡିଛି । ଏଥି ସହ ଜଣେ ଆହତ ଥିବା ବେଳେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଅନୁଗୋଳ ଓ ବନ୍ତଳା ବନାଞ୍ଚଳ ସୀମାନ୍ତରେ ଏକ ଦନ୍ତାହାତୀ ଦୁଇ ଦିନ ହେଲା ବ୍ୟାପକ କ୍ଷୟକ୍ଷତି କରୁଥିଲା । ଆଜି ସକାଳୁ ବନାଞ୍ଚଳ କୁମୁରିସିଂହା ପଞ୍ଚାୟତ ପାତେଳି ଗ୍ରାମର ଝିଲ୍ଲୀ ମାଝୀ ଘର ପାଖ ନାଳକୁ ଯାଇଥିବା ବେଳେ ପ୍ରଥମେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ତାଙ୍କୁ ପାଦରେ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ବନାଞ୍ଚଳର ଶଙ୍କର ବିଶ୍ୱାଳ ଟାକୁଆ ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ପାଖ ଗାଁ ସାହାରାଗୁଡା ଗାଁର ଅକ୍ଷୟ ନାଏକ ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ କ୍ଷତିପୂରଣ ଦାବିରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବିରେ ଅନୁଗୋଳ ବନ୍ତଳା ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଯାହା ଫଳରେ ଗମନାଗମନରେ ଅସୁବିଧା ହେଉଛି । ରାସ୍ତାର ଉଭୟ ପଟେ ଗାଡି ଅଟକି ରହିଛି ।

ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ବଲାଙ୍ଗୀର ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ମାକରଚୁଆଁ ଗ୍ରାମ ଝାଙ୍କରକୋଟ ଜଙ୍ଗଲରେ ଜଣେ ବୃଦ୍ଧାଙ୍କୁ କଚାଡି ମାରିଥିଲା ହାତୀ । ବୃଦ୍ଧା ଜଣକ ଦାନ୍ତ ଘଷା କାଠି ଭାଙ୍ଗି ବଲାଙ୍ଗୀର ସହରକୁ ବିକ୍ରୀ କରିବାକୁ ଯାଆନ୍ତି । ସବୁଦିନ ଭଳି ଗତ ଶନିବାର ମଧ୍ୟ ସକାଳୁ ବାହାରି ଜଙ୍ଗଲକୁ କାଠି ଭାଙ୍ଗିବାକୁ ଆସିଥିଲେ । ଏହି ସମୟରେ ପୂର୍ବରୁ ଜଙ୍ଗଲରେ ରହୁଥିବା ହାତୀ ହାବୁଡରେ ପଡ଼ିଥିଲେ ବୃଦ୍ଧା ଜଣଙ୍କ । ଏହାପରେ ହାତୀଟି ବୃଦ୍ଧା ଜଣଙ୍କୁ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- ଜଙ୍ଗଲକୁ ଯାଇଥିଲେ ବୃଦ୍ଧା, କଚାଡି ମାରିଲା ଦନ୍ତା

ସେହିପରି ଜୁଲାଇ 14 ତାରିଖରେ ମୟୂରଭଞ୍ଜରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ସାରୁମୂଳା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଥିଲା । ମୃତକ ହେଲେ ପଶ୍ଚିମବଙ୍ଗର ଅଧର ପାତ୍ର । ସେ ଝିଅ ଘରକୁ ବୁଲିବାକୁ ଆସିଥିବା ବେଳେ ଏପରି ଦୁଃଖଦ ଘଟଣା ଘଟିଥିଲା।

ଇଟିଭି ଭାରତ, ଅନୁଗୋଳ

Last Updated :Aug 24, 2023, 1:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.