ETV Bharat / state

ଖରା ଆରମ୍ଭରୁ ଜଳ କଷ୍ଟ, ପରିତ୍ୟକ୍ତ ପୋଖରୀରୁ ପାଣି ପିଉଛନ୍ତି ଗ୍ରାମବାସୀ

author img

By

Published : Mar 9, 2021, 9:55 AM IST

ନଳକୂପ ଅଛି ହେଲେ ପାଣି ନାହିଁ । ସବୁ ଖୋଲା କୂଅ ଶୁଖି ଗଲାଣି। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ପାଇପ ବିଛା ଯାଇଛି ହେଲେ ଦିନକ ପାଇଁ ଟୋପେ ପାଣି ଆସିନି। ବାଧ୍ୟହୋଇ ଲୋକେ ପୋଖରୀର ଗୋଳିଆ ପାଣି ପିଉଛନ୍ତି। ଅଧିକ ପଢନ୍ତୁ...

ଖରା ଆରମ୍ଭରୁ ଜଳ କଷ୍ଟ, ପରିତ୍ୟକ୍ତ ପୋଖରୀରରୁ ପାଣି ପିଉଛନ୍ତି ଗ୍ରାମବାସୀ
ଖରା ଆରମ୍ଭରୁ ଜଳ କଷ୍ଟ, ପରିତ୍ୟକ୍ତ ପୋଖରୀରରୁ ପାଣି ପିଉଛନ୍ତି ଗ୍ରାମବାସୀ

ଅନୁଗୋଳ: ନଳକୂପ ଅଛି ହେଲେ ପାଣି ନାହିଁ । ସବୁ ଖୋଲା କୂଅ ଶୁଖି ଗଲାଣି। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ପାଇପ ବିଛା ଯାଇଛି ହେଲେ ଦିନକ ପାଇଁ ଟୋପେ ପାଣି ଆସିନି। ବାଧ୍ୟହୋଇ ଲୋକେ ପୋଖରୀର ଗୋଳିଆ ପାଣି ପିଉଛନ୍ତି। ଏବେଠାରୁ ପ୍ରବଳ ଗ୍ରୀଷ୍ମ ସାଙ୍ଗକୁ ଜଳଭାବ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମହିଧରପୁର ଶାଳବଣି ସାହିରେ ।

ଖରା ଆରମ୍ଭରୁ ଜଳ କଷ୍ଟ, ପରିତ୍ୟକ୍ତ ପୋଖରୀରରୁ ପାଣି ପିଉଛନ୍ତି ଗ୍ରାମବାସୀ

ଗ୍ରୀଷ୍ମ ଦିନ ଆରମ୍ଭରେ ପାନୀୟ ଜଳ ସମସ୍ୟା ସତେ ଯେମିତି ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ପାଲଟିଛି। ସାହିରେ ୬-୭ଟି ନଳକୂପ ଅଛି ହେଲେ ପାଣି ବାହାରୁନି। ଯେଉଁ ଗୋଟିଏ ଦୁଇଟିରୁ ପାଣି ବାହାରୁଛି ସେହି ପାଣି ଲାଲ ରଙ୍ଗର ହୋଇଥିବାରୁ ପାନୀୟ ଉପଯୋଗୀ ନୁହେଁ। ଏହାଛଡା ଘଣ୍ଟାଏ ମାରିଲେ ବାଲଟିଏ ପାଣି ବାହାରୁଛି। ତଥାପି ସେହି ପାଣି ନେବାକୁ ସକାଳୁ ଭିଡ଼ ଜମେ।

ତେବେ ଏହା ଆଜିର ସମସ୍ୟା ନୁହେଁ ବରଂ ବର୍ଷ ତମାମ ଲାଗି ରହିଛି କିନ୍ତୁ ଏହାର ସ୍ଥାୟୀ ପ୍ରତିକାର ପାଇଁ କୌଣସି ପଦକ୍ଷେପ ନିଆ ଯାଉ ନଥିବା ଅଭିଯୋଗ ହେଉଛି। ରାତି ପାହିଲେ ମହିଳାଙ୍କ ପାଣି ଚିନ୍ତା। ଅନେକ ସମୟରେ ପାଣି ବାଲଟିଏ ପାଇଁ ପରସ୍ପର ମଧ୍ୟରେ ଝଗଡା ହେଉଛି। ଏହା ସବୁଦିନିଆ ଘଟଣା ହୋଇଥିଲେ ମଧ୍ୟ ଖରାଦିନେ ପାଣି ପାଇଁ ଦହଗଞ୍ଜ ହୋଇ ଯାଉଛନ୍ତି ଲୋକେ। ଚଳିତ ବର୍ଷ ଫେବୃଆରୀ ମାସରୁ ହିଁ ଖରା ଆରମ୍ଭ ହୋଇଯାଇଛି। ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଟପିଲାଣି। ତେଣୁ ସବୁ କୂଅ ପୋଖରୀ ଶୁଖି ଗଲାଣି।

ସାଲବଣି ସାହିର ବାସିନ୍ଦା ପାଣି ମୁନ୍ଦିଏ ପାଇଁ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି। କୌଣସି ଉପାୟ ନପାଇ ବାଧ୍ୟ ହୋଇ ସାହି ଠାରୁ ପ୍ରାୟ ୧କିମି ଦୂରରେ ଥିବା ଏକ ପରିତ୍ୟକ୍ତ ପୋଖରୀରୁ ପାଣି ଆଣି ପିଉଛନ୍ତି ଲୋକେ । ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଛନ୍ତି କିନ୍ତୁ କେହି ସେମାନଙ୍କ ଦୁଃଖ ଶୁଣି ନାହାନ୍ତି। ଏନେଇ ଆମେ ଜିଲ୍ଲାପାଳଙ୍କୁ ପଚାରିଥିଲୁ । ତାଙ୍କ କହିବା ଅନୁସାରେ, ଯାହା ସମସ୍ୟା ଅଛି ସମାଧାନ କରାଯିବ ।

ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଲୋକଙ୍କ ସ୍ବାର୍ଥରେ ଆସୁନି। କେବଳ ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ହଜାର ହଜାର ଲୋକଙ୍କୁ ପିଇବା ପାଣି ମୁନ୍ଦିଏ ମିଳୁନି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.