ETV Bharat / state

ଜଳାର୍ଣ୍ଣବ ଅନୁଗୋଳ: ପାଣି ଘେରରେ ଗାଁଠୁ ସହର, ଜଳବନ୍ଦୀ ଲୋକେ

author img

By

Published : Aug 3, 2023, 7:29 AM IST

ପ୍ରବଳ ବର୍ଷାରେ ସନ୍ତୁଳି ହେଉଛନ୍ତି ଅନୁଗୋଳବାସୀ । ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା । ବେହାଲ ଜୀବନ ଯାତ୍ରା । ଅଧିକ ପଢନ୍ତୁ

ଜଳମଗ୍ନ ହୋଇ ପଡିଛି ଅନୁଗୋଳ
ଜଳମଗ୍ନ ହୋଇ ପଡିଛି ଅନୁଗୋଳ

ଜଳମଗ୍ନ ହୋଇ ପଡିଛି ଅନୁଗୋଳ

ଅନୁଗୋଳ: ଦୁଇ ଦିନ ଧରି ପ୍ରବଳ ବର୍ଷାରେ ବେହାଲ ହୋଇ ପଡିଛି ଅନୁଗୋଳ । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । କେଉଁଠି ପୋଲ ଭାଙ୍ଗି ଗମନାଗମନ ଠପ ହୋଇ ଯାଇଛି ତ ଆଉ କେଉଁଠି ଜାତୀୟ ରାଜପଥ ଉପରେ ଆଣ୍ଠୁଏ ପାଣି ଚାଲିଛି । ଗାଁ ଗଣ୍ଡାରେ ଛୋଟ ଛୋଟ ପୋଲ ଗୁଡିକ ଉପରେ ପାଣି ପ୍ରବାହିତ ହେଉଥିବାରୁ ବହୁ ଗାଁ ଜଳମଗ୍ନ ହୋଇପଡିଛି ।

ମଙ୍ଗଳବାର ଦିନ ଠାରୁ ଅନୁଗୋଳ ଜିଲ୍ଲାର ବିଭିନ୍ନ ବ୍ଲକରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ସହରର ଗାନ୍ଧୀ ମାର୍ଗ ରାସ୍ତାରେ ଚାଲିଛି ଆଣ୍ଠୁଏ ପାଣି । ବ୍ରାହ୍ମଣିଦେଇ ପଡା ଓ ରାଜକିଶୋର ପଡା ସମେତ ଅନେକ ସହର ତଳି ଅଞ୍ଚଳ ଜଳମଗ୍ନ ହୋଇପଡିଛି । ସହର ଭିତରେ ଥିବା ବହୁ ରାସ୍ତା ଉପରେ ଚାଲିଛି ବର୍ଷା ପାଣି । ୫୫ନମ୍ବର ଜାତୀୟ ରାଜପଥର ତୁରଙ୍ଗ ନିକଟରେ ରାସ୍ତା ଉପରେ ୪ଫୁଟ ପାଣି ଦେଖିବାକୁ ମିଳିଛି । ଫଳରେ ଯାତୟତରେ ଘୋର ଅସୁବିଧା ସୃଷ୍ଟି ହୋଇଛି । ଡେରାଜାଙ୍ଗ ଡ୍ୟାମ ତଳେ ବସବାସ କରୁଥିବା ଲୋକଙ୍କ ଘରେ ପଶିଛି ପାଣି । ଚାରିଆଡେ ପାଣି ଘେରରେ ଜଳବନ୍ଦୀ ଜୀବନ କାଟୁଛନ୍ତି ସହରବାସୀ । ଲଗାଣ ବର୍ଷା ଯୋଗୁ ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି ଲୋକେ । ତୁହାକୁ ତୁହା ଲାଗି ରହିଛି ବର୍ଷା । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ଛେଣ୍ଡିପଦା ବ୍ଲକ ଭଟପାଳ ନିକଟରେ ଆଉଁଳି ନଦୀରେ ବନ୍ୟା ଜଳ ପ୍ରବାହିତ ହେବାରୁ ପୋଲ ଭାଙ୍ଗି ଯାଇଛି । ଫଳରେ ଖମାର ଠାରୁ ରେଢ଼ାଖୋଲ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଗମନାଗମନ ଠପ ହୋଇଯାଇଛି । କିଶୋର ନଗର ଅଞ୍ଚଳରେ ବର୍ଷାର ତାଣ୍ଡବ । ପ୍ରବଳ ବର୍ଷା ଯୋଗୁ ଅଧିକାଂଶ ପୋଲ ଉପରେ ଆଣ୍ଠୁଏ ଲେଖାଏଁ ପାଣି ଚାଲିଛି । ବହୁ ଗାଁ ଗମନାଗମନ ବିଚ୍ଛିନ୍ନ ହୋଇ ପଡିଛି । ନାକଚି ଠାକୁରଗଡ଼ ରାସ୍ତାର ବନମାଲିପୁର ପୋଲ ଉପରେ ୪ଫୁଟ ପାଣି ଚାଲିଛି । ବିଭିନ୍ନ ପୋଲ ଉପରେ ପାଣି ଚାଲୁଥିବାରୁ ଉରୁରକୁଲା, ଧଡରପାଳ, ନାକଚି, ଅଙ୍ଗପଡା ଓ ହିମିତିରା ପଞ୍ଚାୟତର ୨୫ରୁ ଅଧିକ ଗାଁ ପ୍ରଭାବିତ ହୋଇଛନ୍ତି । ବଇଣ୍ଡା ଠାରେ ତାଳଚେର ସମ୍ବଲପୁର ରେଳପଥ ଉପରେ ପାହାଡ଼ରୁ ପଥର ଖସି ପଡିବାରୁ ଯାଉଥିବା ଏକ ରେଳ ଇଞ୍ଜିନ ଲାଇନ ଚ୍ୟୁତ ହୋଇ ପଡ଼ିଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.