ETV Bharat / state

ନାବାଳକ ନରବଳି ଅଭିଯୋଗ, ମହିଳା ପୂଜକ ସମେତ ୪ ଗିରଫ

author img

By

Published : Jul 30, 2023, 7:57 PM IST

ନାବାଳକ ସଞ୍ଜୀବ ବିଶ୍ବାଳକୁ ନରବଳି ଦେବା ଅଭିଯୋଗରେ ଅନୁଗୋଳ ପୋଲିସ ମହିଳା ସମେତ ୪ ଜଣଙ୍କୁ ଗିରଫ କରିଛି । ମହିଳା ପୂଜକ ରୀତାଞ୍ଜଳି ବାଘଙ୍କ ସମେତ ତାଙ୍କ ୩ ପୁଅଙ୍କୁ ଗିରଫ କରାଯାଇଥିବା ସୂଚନା । ଅଧିକ ପଢ଼ନ୍ତୁ

minor death case in angul
ସଞ୍ଜୀବ ବିଶ୍ବାଳ ମୃତ୍ୟୁ ଘଟଣା

ସଞ୍ଜୀବ ବିଶ୍ବାଳ ମୃତ୍ୟୁ ଘଟଣା

ଅନୁଗୋଳ: ଗୁପ୍ତଧନ ପ୍ରାପ୍ତି ଆସରେ ବଳି ଦିଆଯିବା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି । ନାବାଳକ ସଞ୍ଜୀବ ବିଶ୍ବାଳକୁ ନରବଳି ଦେବା ଅଭିଯୋଗରେ ଅନୁଗୋଳ ପୋଲିସ ମହିଳା ସମେତ ୪ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହ ନେଇ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଆଠମଲ୍ଲିକ ବ୍ଲକ କିଆକଟା ଥାନା ଅନ୍ତର୍ଗତ ଟୁସର ଗ୍ରାମର ମହିଳା ପୂଜକ ରୀତାଞ୍ଜଳି ବାଘଙ୍କ ସମେତ ତାଙ୍କ ୩ ପୁଅଙ୍କୁ ଗିରଫ କରାଯାଇଛି ।

ଅନୁଗୋଳ ଜିଲ୍ଲା କିଆକଟା ଥାନା ଟୁସର ଗ୍ରାମରେ ନାବାଳକକୁ ବଳି ଘଟଣାର ତନାଘନା କରୁଛି ପୋଲିସ । ଗତ ଶନିବାର ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହାୟତାରେ ଜୋରସୋର ତଦନ୍ତ ଆରମ୍ଭ କରିଛି । ସନ୍ଧାନୀ କୁକୁରକୁ ଟୁସର ଗ୍ରାମର ମଙ୍ଗଳା କୋଠି, ମୃତ ନାବାଳକଙ୍କ ଗ୍ରାମ ସୁବର୍ଣ୍ଣପୁର ଏବଂ ମୃତଦେହ ମିଳିଥିବା ସ୍ଥାନକୁ ନିଆଯାଇଥିଲା । ତଦନ୍ତ ପରେ ପୋଲିସ ହାତରେ ବଳି ଘଟଣାର କିଛି ସୁରାକ ଲାଗିଥିବା ଜଣାପଡ଼ିଛି । ତେବେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ପୋଲିସ ମୁହଁ ଖୋଲୁନି । ମହିଳା ପୂଜକ ରୀତାଞ୍ଜଳି ବାଘ ଓ ତାଙ୍କ ୩ ପୁଅକୁ ଗିରଫ କରିବା ସହ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏନେଇ ଅନୁଗୋଳ ଏସପି ସୁଧାଂଶୁ ଶେଖର ସ୍ୱାଇଁ କହିଛନ୍ତି, "ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇଛି । ଜଣେ ଅତିରିକ୍ତ ଏସ୍‌ପିଙ୍କ ତତ୍ତ୍ବାବଧାନରେ ଆଠମଲ୍ଲିକ ଏସଡିପିଓ, ଆଠମଲ୍ଲିକ, ହଣ୍ଡାପା, ଠାକୁରଗଡ଼ ଓ କିଶୋର ନଗର ଆଇଆଇସିଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ କରୁଛନ୍ତି । ସନ୍ଦେହରେ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା ଚାଲିଛି । ଯଦି କିଛି ବି ସୁରାକ ମିଳେ ତେବେ ତଦନ୍ତ ସେହି ଦିଗରେ କରାଯିବ ।" ଯିଏ ବି ଏଥିରେ ସମ୍ପୃକ୍ତ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଗୁପ୍ତଧନ ପାଇବା ଆଶାରେ ନରବଳି ଅଭିଯୋଗ, କିଆକଟାରେ ପୋଲିସର ତନାଘନା

ଅନ୍ୟପକ୍ଷରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ସାଏ ସୁବର୍ଣ୍ଣପୁର ଗ୍ରାମକୁ ଯାଇ ମୃତ ସଞ୍ଜୀବ ପରିବାରକୁ ସମବେଦନା ଜଣାଇବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ପୋଲିସ ସଠିକ ତଦନ୍ତ କରି ଏହାର ପର୍ଦ୍ଦାଫାସ କରିବା ଆବଶ୍ୟକ ବୋଲି ବିଧାୟକ କହିଛନ୍ତି । ଅନ୍ୟପକ୍ଷରେ ନାବାଳକ ସଞ୍ଜୀବର ଖଣ୍ଡବିଖଣ୍ଡ ମୃତଦେହ ୭ ଦିନ ପରେ ଜଙ୍ଗଲରୁ ଉଦ୍ଧାର କରାଯିବା ପରେ ସେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକଙ୍କ କହିବା କଥା ଆଗରୁ ମଧ୍ୟ ସେହି ମଙ୍ଗଳା କୋଠିରୁ ଜଣେ ନାବାଳିକା ଓ ଜଣେ ନାବାଳକ ନିଖୋଜ ହୋଇ ଯାଇଥିଲେ । ଆଜି ସୁଦ୍ଧା ସେମାନଙ୍କର ପତ୍ତା ମିଳିନାହିଁ । ଏବେ ଆଉ ଜଣେ ନାବାଳକ ସେହି ମଙ୍ଗଳା କୋଠିରୁ ଗାଏବ ହେବାପରେ ମୃତଦେହ ମିଳିବା ଘଟଣା ବଳି ଅଭିଯୋଗକୁ ଆହୁରି ସୁଦୃଢ଼ କରୁଛି । ଏଥିପାଇଁ ଏକ ରାକେଟ କାମ କରୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.