ETV Bharat / state

ଗୁପ୍ତଧନ ପାଇବା ଆଶାରେ ନରବଳି ଅଭିଯୋଗ, କିଆକଟାରେ ପୋଲିସର ତନାଘନା

author img

By

Published : Jul 30, 2023, 11:32 AM IST

ନାବାଳକକୁ ବଳି ଅଭିଯୋଗ ଘଟଣା । ତଦନ୍ତକୁ ଜୋରଦାର କଲା ପୋଲିସ । ଅଧିକ ପଢନ୍ତୁ

Angul minor death case
Angul minor death case

Angul minor death case

ଅନୁଗୋଳ: ସୁନା ହଣ୍ଡା ପାଇବା ଆଶାରେ ନାବାଳକକୁ ବଳି ଅଭିଯୋଗ ଘଟଣା । ଅସୁସ୍ଥ ପୁଅକୁ ସୁସ୍ଥ କରିବାକୁ ମାଆ ମଙ୍ଗଳାଙ୍କ ପାଖକୁ ଯାଇ ପୁଅକୁ ହରାଇଛି ମାଆ । ନାବାଳକ ବଳି ପକାଯାଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ପୋଲିସ ।

କଣ ଥିଲା ସମ୍ପୂର୍ଣ୍ଣ ଘଟଣା ନଜର ପକାନ୍ତୁ...

କିଆକଟା ଥାନା ସୁବର୍ଣ୍ଣପୁର ଗାଁର ବାସିନ୍ଦା ବାସନ୍ତୀ ବିଶ୍ୱାଳ । ପରିବାର କହିଲେ ଦୁଇ ପୁଅ ଝିଅ । ମଜୁରୀ କରି ପରିବାର ପ୍ରତି ପୋଷଣ କରୁଥିଲେ ବାସନ୍ତୀ । ତାଙ୍କ ୧୨ବର୍ଷର ପୁଅ ସଞ୍ଜୀବ ସବୁବେଳେ ଅସୁସ୍ଥ ରହିବା ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଥିଲା । ଚକିତ୍ସା ପାଇଁ ଅର୍ଥ ଅଭାବ ଯୋଗୁଁ କେବଳ ଠାକୁରଙ୍କ ଭରସାରେ ସେ ରହୁଥିଲେ । ବାସନ୍ତୀଙ୍କ ଦୃଢ଼ ବିଶ୍ୱାସ ଥିଲା ମାଆ ମଙ୍ଗଳା ତାଙ୍କ ପୁଅକୁ ଭଲ କରିଦେବେ । ତେଣୁ ଗାଁ ଠାରୁ 5 କିମି ଦୂରରେ ଥିବା ଟୁସର ଗାଁରେ ମଙ୍ଗଳା କୋଠିକୁ ଯାଇ ପୂଜାର୍ଚ୍ଚନା କରୁଥିଲେ ।

ଟୁସର ଗାଁରେ ଜଣେ ମହିଳାଙ୍କ ଶରୀରରେ କୁଆଡେ ମାଆ ଆବିର୍ଭାବ ହୁଅନ୍ତି ବୋଲି ଲୋକ ବିଶ୍ବାସ ରହିଛି । ସେତେବେଳେ ସେ ଯାହା କୁହନ୍ତି ସବୁ ସତ ହୁଏ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରି ଆସୁଛନ୍ତି । ବାସନ୍ତୀ ଏହାକୁ ବିଶ୍ବାସ କରି ପୁଅ ସଞ୍ଜିବକୁ ନେଇ ମାଆ ମଙ୍ଗଳାଙ୍କ ପାଖକୁ ଯାଇଥିଲେ । କିନ୍ତୁ ଜୁଲାଇ ୨୨ତାରିଖ ତାଙ୍କ ପୁଅର ଶେଷ ରାତି ପାଲଟିଥିଲା । ମାଆଙ୍କ ନିକଟରେ ପୂଜାର୍ଚ୍ଚନା ଶେଷ ହେବା ପରେ ସେହି ମହିଳାଙ୍କ ଶରୀରରେ ଆବିର୍ଭାବ ହୋଇଥିଲେ ମାଆ ମଙ୍ଗଳା । ବାସନ୍ତୀଙ୍କୁ କହିଥିଲେ ଆଜି ରାତିରେ ତୋ ପୁଅ ସଞ୍ଜୀବ ଏଠାରେ ରହିବାକୁ ପଡିବ । ସଞ୍ଜୀବ ଏକୁଟିଆ ମାଆ ମଙ୍ଗଳାଙ୍କ ପାଖରେ ଶୋଇବ । ତୁ ଅନ୍ୟତ୍ର ଶୋଇବୁ । ବାସନ୍ତୀ ପୁଅକୁ ରାତିସାରା ଏକୁଟିଆ ଛାଡିବାକୁ ପ୍ରଥମେ ଅରାଜି ହୋଇଥିଲେ ମଧ୍ୟ କଥା କାଟି ପାରିନଥିଲେ । ଏହାଛଡା ପୁଅର ଆରୋଗ୍ୟ ତାଙ୍କର ପ୍ରଥମ ଆଶା ଥିଲା ।

ଏହା ମଧ୍ୟ ପଢନ୍ତୁ-ନାବାଳକକୁ ବଳି ସନ୍ଦେହରେ ଉତ୍ତେଜନା: ପୋଲିସ ଗାଡ଼ି ଜାଳିଦେଲେ ଲୋକେ

ତେଣୁ ସଞ୍ଜୀବ ମାଆଙ୍କ କୋଠିରେ ରହିଲେ । ବାସନ୍ତୀ ପୂଜା କରୁଥିବା ମହିଳାଙ୍କ ଘର ବାରଣ୍ଡାରେ ଶୋଇଲେ । ସକାଳ ପ୍ରାୟ ସାଢ଼େ ୪ଟାରେ ବାସନ୍ତୀ ଉଠି ଦେଖିଲା ବେଳକୁ କୋଠିରେ ତାଙ୍କ ପୁଅ ନାହିଁ । ଏକଥା ପୂଜା କରୁଥିବା ମହିଳାଙ୍କୁ ପଚାରିଲେ । ହେଲେ କୌଣସି ସନ୍ତୋଷ ଜନକ ଉତ୍ତର ମିଳିଲା ନାହିଁ । ଫଳରେ ବାସନ୍ତୀ ଆସି ଗାଁ ଲୋକଙ୍କୁ ଜଣାଇଲେ । ଏକଥା ଜଣା ପଡିବା ପରେ ମଙ୍ଗଳାଙ୍କୁ ପୂଜା କରୁଥିବା ମହିଳା ଫେରାର ହୋଇ ଯାଇଥିଲେ । ବାସନ୍ତୀଙ୍କ ଗାଁ ଲୋକେ କିଆକଟା ଥାନାରେ ଅଭିଯୋଗ କଲେ । କିନ୍ତୁ ପୋଲିସ ଘଟଣାକୁ ଅତି ହାଲୁକା ଭାବେ ନେଇଥିଲା । ପ୍ରଥମେ ଅଭିଯୋଗ ଗ୍ରହଣ କରି ନଥିଲା । କିନ୍ତୁ ଲୋକଙ୍କ ଚାପରେ ଦୁଇଦିନ ପରେ ଏତଲା ଗ୍ରହଣ କଲା ପୋଲିସ । କିନ୍ତୁ ତଦନ୍ତ କଲା ନାହିଁ ।

ଏହାପରେ ଘଟଣାର ଠିକ ୭ଦିନ ପରେ ଅର୍ଥାତ ଜୁଲାଇ 28 ତାରିଖ ସକାଳେ ଏକ ଜଙ୍ଗଲକୁ ସଞ୍ଜୀବର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିଲା । ଏକ ଗଛ ଉପରେ ମୁହଁ ଘୋଡା ଯାଇଥିବା ଅଧା ଶରୀର ଝୁଲୁଥିଲା । ତଳେ ଗୋଟିଏ ହାତ ଓ ଗୋଡ଼ ପଡିଥିଲା । ଅଣ୍ଟା ଠାରୁ ତଳକୁ ଶରୀର ନଥିଲା । ସେଠାରେ ଡାକ୍ତରୀ ହାତ ଗ୍ଲୋବ ମଧ୍ୟ ପଡିଥିଲା । ଏନେଇ ଖବର ପାଇ ଆଖପାଖ ଗାଁର ଶତାଧିକ ଲୋକ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ସଞ୍ଜୀବକୁ ନିଶ୍ଚିତ ଭାବେ ବଳି ଦିଆ ଯାଇଛି ବୋଲି ଅଭିଯୋଗ କରିଥିଲେ ।

ଏହାପରେ କିଆକଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ଉତ୍ୟକ୍ତ ଲୋକେ ପୋଲିସକୁ ଆକ୍ରମଣ କରିବାକୁ ଗୋଡ଼ାଇବାରୁ ଖୋଦ ଥାନା ଅଧିକାରୀ ଜୀବନ ବିକଳରେ ଦୌଡ଼ି ପଳାଇ ଥିଲେ । ତେବେ ସେଠାରେ ଥିବା ପୋଲିସ ଗାଡି ଉପରେ ରାଗ ସୁଝାଇଥିଲେ ଉତ୍ୟକ୍ତ ଲୋକେ । ଗାଡ଼ିରେ ନିଆଁ ଲଗାଇ ଦେବାରୁ ନିମିଷକ ମଧ୍ୟରେ ହୁ ହୁ ହୋଇ ଜଳିଗଲା ପୋଲିସ ଗାଡି । ଆଠମଲ୍ଲିକ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ । ଘଟଣାର ତଦନ୍ତ କରାଯିବ, ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲୋକଙ୍କୁ ପ୍ରତିଶୃତି ଦେବାପରେ ଉତ୍ତେଜନା ସାମାନ୍ୟ କମିଥିଲା ।

ଏହି ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଅନୁଗୋଳ ଏସପି । ଏହି ପ୍ରସଙ୍ଗକୁ ପୋଲିସ ଗୁରୁତର ସହ ନେଇଛି । ପ୍ରାଥମିକ ତଦନ୍ତରୁ ବଳି ହୋଇ ଥାଇପାରେ ବୋଲି ସନ୍ଦେହ ମଧ୍ୟ କରାଯାଇ ସେଇ ଆଧାର ରେ ତଦନ୍ତ ଜାରି ରହିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ କଟକର ଫରେନ୍ସି କି ଲ୍ୟାବକୁ ପଠାଯାଇଛି । ଘଟଣାରେ ଏକାଧିକ ଅଭିଯୁକ୍ତ ଥିବା ନେଇ ଅଭିଯୋଗ ହେବା ପରେ ଦୁଇଜଣ ଅତିରିକ୍ତ ଏସପି ଘଟଣାର ଅନୁଧ୍ୟାନ କରୁଥିବା ଜଣାପଡିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.