ETV Bharat / state

ଜଳ ସତ୍ୟାଗ୍ରହ: ହକ୍ ପାଇଁ ଜଳସମାଧି ଚେତାବନୀ ପରେ ଚେତିଲେ ପ୍ରଶାସନ ଓ ରାଜନେତା

author img

By ETV Bharat Odisha Team

Published : Dec 13, 2023, 10:46 PM IST

Updated : Dec 13, 2023, 10:52 PM IST

ଜଳ ସତ୍ୟାଗ୍ରହ: ହକ୍ ପାଇଁ ଜଳସମାଧି ଚେତାବନୀ ପରେ ଚେତିଲେ ପ୍ରଶାସନ
ଜଳ ସତ୍ୟାଗ୍ରହ: ହକ୍ ପାଇଁ ଜଳସମାଧି ଚେତାବନୀ ପରେ ଚେତିଲେ ପ୍ରଶାସନ

Jal Satyagraha: ରେଙ୍ଗାଲି ଠାରେ ଚାଲିଥିବା ଜଳ ସତ୍ୟାଗ୍ରହରେ ସାମିଲ ହେଲା ବିଜେପି । ପ୍ରଶାସନର ପ୍ରତିଶୃତି ପରେ ସତ୍ୟାଗ୍ରହରୁ ଓହରିଲେ ରେଙ୍ଗାଲି ବିସ୍ଥାପିତ ।ଅଧିକ ପଢନ୍ତୁ

ଜଳ ସତ୍ୟାଗ୍ରହ: ହକ୍ ପାଇଁ ଜଳସମାଧି ଚେତାବନୀ ପରେ ଚେତିଲେ ପ୍ରଶାସନ

ଅନୁଗୋଳ: ରେଙ୍ଗାଲି ଜଳ ଭଣ୍ଡାର ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଲୋକେ ୭ ଦଫା ଦାବି ନେଇ ଗତ ୧ ତାରିଖ ଠାରୁ କରିଥିବା ଜଳ ସତ୍ୟାଗ୍ରହରୁ ଓହରିଛନ୍ତି । ରେଙ୍ଗାଲି ପ୍ରକଳ୍ପ ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ ଏବଂ ପାଲଲହଡା ଉପଜିଲ୍ଲାପାଳ ସତ୍ୟାଗ୍ରହକାରୀଙ୍କ ପାଖକୁ ଯାଇ ବୁଝାସୁଝା କରିଥିଲେ । ଏଥିସହ ବିଜେପିର ଏକ ରାଜ୍ୟସ୍ତରୀୟ ନେତୃ ମଣ୍ଡଳୀ ମଧ୍ୟ ସେମାନଙ୍କ ପାଖକୁ ଯାଇ ଲୋକଙ୍କ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ପ୍ରତିଶୃତି ଦେଇଥିଲେ । ଏହାପରେ ସତ୍ୟାଗ୍ରହରୁ ଓହରିଥିଲେ ଲୋକେ ।


ସୂଚନାଯୋଗ୍ୟ ୧୯୭୦ ମସିହାରେ ଅନୁଗୋଳ ଜିଲ୍ଲାର ରେଙ୍ଗାଲି ଠାରେ ଏକ ବୃହତ ଜଳ ସେଚନ ପ୍ରକଳ୍ପ ପରିକଳ୍ପନା କରାଯାଇଥିଲା । ଏହି ପ୍ରକଳ୍ପ ଯୋଗୁଁ ପାଲଲହଡା ଏବଂ ଦେବଗଡ଼ ଅଞ୍ଚଳର ୨୬୩ଟି ଗାଁ ବୁଡି ଅଞ୍ଚଳ ଭିତରେ ରହୁଥିବାରୁ ସେହି ସବୁ ଗାଁଗୁଡିକୁ ବିସ୍ଥାପନ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ୧୯୮୦ ବେଳକୁ ସବୁ ଗାଁ ସ୍ଥାନାନ୍ତର କରାଯାଇଥିଲା । ଏଥିରେ ପ୍ରାୟ ୧୨ହଜାର ପରିବାର ପ୍ରଭାବିତ ହୋଇଥିଲେ। ସେ ସମୟରେ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ସରକାରଙ୍କ ତରଫରୁ ଅଳ୍ପ କିଛି କ୍ଷତିପୂରଣ ଅର୍ଥ ଦିଆ ଯାଇଥିଲା । କିନ୍ତୁ ଥଇଥାନ ବାବଦରେ ତତ୍କାଳୀନ ସରକାର କୌଣସି ପଦକ୍ଷେପ ନେଇ ନଥିଲା ।

ତେବେ ବିସ୍ଥାପିତ ଲୋକେ କିଏ କେଉଁଠି ଯାଇ ରହିଲେ ତାର କିଛି ହିସାବ ରହିଲା ନାହିଁ । ସେମାନଙ୍କୁ ଜମି ପଟା ମଧ୍ୟ ପ୍ରଦାନ କରାଗଲା ନାହିଁ । କିଛି ବର୍ଷ ପରେ ଲୋକେ ଏକାଠି ହୋଇ ନିଜର ହକ ପାଇଁ ଲଢେଇ ଆରମ୍ଭ କରିଛିନ୍ତି ।ପ୍ରାୟ ୪୦ବର୍ଷ ଧରି ସେମାନେ କ୍ଷତିପୂରଣ ଓ ଥଇଥାନ ପାଇଁ ଆନ୍ଦୋଳନ କରି ଆସୁଛନ୍ତି । ବିଭିନ୍ନ ଉପାୟରେ ଆନ୍ଦୋଳନ କରିଥିଲେ ମଧ୍ୟ ସରକାର ବିସ୍ଥାପିତଙ୍କ ସମସ୍ୟାକୁ ସାମାଧାନ କରୁନଥିବା ଅଭିଯୋଗ ହୋଇଛି । ସେପଟେ ଦେବଗଡ଼ ବିଧାୟକ ସୁବାଷ ପାଣି କହିଛନ୍ତି,"ରାଜ୍ୟ ସରକାର ବୁଡି ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ କରିବା ପଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ ସରକାର କୌଣସି କର୍ଣ୍ଣପାତ କରୁନାହାନ୍ତି ।"

ଏହା ମଧ୍ୟ ପଢନ୍ତୁ....ପାଞ୍ଚମ ଦିନରେ ରେଙ୍ଗାଲି ବିସ୍ଥାପିତ ଜଳ ସତ୍ୟାଗ୍ରହ, ବହାରୁନି ସମାଧାନର ବାଟ

ଏହାସହ ପ୍ରାୟ ୧୦ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳକୁ ଆସି ଏକର ପ୍ରତି ୫୦ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ମଧ୍ୟ ମିଳି ପାରିଲା ନାହିଁ ।ଫଳରେ ଗତ ୧ତାରିଖ ଠାରୁ ପ୍ରାୟ ୬୦ରୁ ଅଧିକ ଗାଁର ଲୋକେ ଦିନରାତି ପାଣି ଭିତରେ ଜଳ ସତ୍ୟାଗ୍ରହ ଆରମ୍ଭ କରିଥିଲେ । ଦୀର୍ଘ ୧୨ଦିନ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ସେମାନଙ୍କ କଥା ନଶୁଣିବାରୁ ବାଧ୍ୟ ହୋଇ ସେମାନେ ୧୩ ତାରିଖ ସାମୂହିକ ଜଳ ସମାଧି ଦେବାକୁ ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ । ଫଳରେ ଜିଲ୍ଳା ପ୍ରଶାସନ ପହିଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ରେଙ୍ଗାଲି ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ ଦୁଖବନ୍ଧୁ ନାୟକ କହିଛନ୍ତି, "କ୍ଷତିଗ୍ରସ୍ତ ସମସ୍ୟାକୁ ଖୁବ ଶିଘ୍ର ସମାଧାନ କରାଯିବ ।" ଅନ୍ୟପଟେ ବିଜେପି ଏକ ପ୍ରତିନିଧି ମଣ୍ଡଳୀ ସେମାନଙ୍କୁ ଭେଟିଛନ୍ତି । ଶେଷରେ ୧୨ଦିନ ଶୀତ କାକରରେ ଜଳ ସତ୍ୟାଗ୍ରହ କରିବା ପରେ ଲୋକେ ଓହରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

Last Updated :Dec 13, 2023, 10:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.