ETV Bharat / state

ଜନ୍ମଦାତ୍ରୀ ହିଁ ହତ୍ୟାକାରୀ, ଯାଆଁଳା ଛୁଆଙ୍କ ଜୀବନ ନେଇଥିଲା ପିଶାଚୀ ମା’

author img

By ETV Bharat Odisha Team

Published : Jan 18, 2024, 9:58 PM IST

Mother Killed Twins: 4 ରୁ 5 ମାସର ଦୁଇ ଛୁଆଙ୍କୁ ନିଜେ କୂଅରେ ପକାଇ ହତ୍ୟା କରିଛନ୍ତି ତପସ୍ୱିନୀ ସାହୁ । ଅଭିଯୁକ୍ତ ମା'କୁ ବାନ୍ଧିଛି ପୋଲିସ । ଅଧିକ ପଢନ୍ତୁ

Mother Killed Twins
ଯାଆଁଳା ଛୁଆଙ୍କୁ ହତ୍ୟା

ଯାଆଁଳା ଛୁଆଙ୍କୁ ହତ୍ୟା

ଅନୁଗୋଳ: ଦୁଇ କଅଁଳ ଶିଶୁଙ୍କୁ ହତ୍ୟା କରିଛି ମା' । ମାତ୍ର 4 ରୁ 5 ମାସର ଦୁଇ ଛୁଆଙ୍କୁ ନିଜେ କୂଅରେ ପକାଇ ହତ୍ୟା କରିଛନ୍ତି ତପସ୍ୱିନୀ ସାହୁ । ହତ୍ୟାକାଣ୍ଡର କୌଣସି ନିର୍ଦ୍ଦିଷ୍ଟ କାରଣ ସେ କହୁନଥିଲେ ବି ନିଜ ବଂଶ ବୁଡାଇଥିବା କଥା ସ୍ୱୀକାର କରିଛନ୍ତି । ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଘଟିଥିଲା ଏହି ହତ୍ୟାକାଣ୍ଡ । "ମୁଣ୍ଡାଢ଼ିପ ସାହିର ସୁନୀଲ କୁମାର ସାହୁଙ୍କ ଘରୁ ହଠାତ ଚିତ୍କାର ଶୁଭିଲା । ଘରେ ତାଙ୍କର ୪ ମାସର ଦୁଇ ଶିଶୁ ନଥିଲେ । ତୁରନ୍ତ ସ୍ଥାନୀୟଲୋକେ ଘର ଆଗରେ ରୁଣ୍ଡ ହୋଇଗଲେ । ଶିଶୁଙ୍କ ମା' ତପସ୍ୱିନୀ ସାହୁ କୁଆଡେ ସେତେବେଳେ ସାହି ମୁଣ୍ଡରେ ଥିବା ଜଣକ ଘରକୁ କ୍ଷୀର ଆଣିବାକୁ ଯାଇଥିଲେ ବୋଲି କହିଥିଲେ ।

ସେତେବେଳକୁ ତପସ୍ବିନୀଙ୍କ ସ୍ୱାମୀ ସୁନୀଲ ଓ ଅନ୍ୟମାନେ କେହି ଘରେ ନଥିଲେ । ବହୁ ଖୋଜା ଖୋଜି ପରେ ଶିଶୁ ଦୁହିଁଙ୍କ ମୃତଦେହ ଘର ପଛପଟେ ଥିବା କୂଅ ଭିତରେ ଭାସୁଥିଲା । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ବନ୍ତଳା ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସେତେବେଳେ ପରିବାର ଲୋକେ କେହି ପୂର୍ବ ଶତ୍ରୁତାରୁ ଏଭଳି କରିଥାଇପାରେ ବୋଲି ସନ୍ଦେହ କରୁଥିଲେ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ହେଲେ ଶିଶୁଙ୍କ ମୃତ୍ୟୁର କାରଣ ପୋଲିସ ବହୁ ଉଦ୍ୟମ କରି ମଧ୍ୟ ପାଇପାରିନଥିଲା । ହେଲେ ଆଜି ତପସ୍ୱିନୀ ନିଜେ ତାଙ୍କ ସ୍ୱାମୀଙ୍କ ଆଗରେ ସବୁ ସତ ସ୍ବୀକାର କରିଥିବା ଜଣାପଡିଛି ।

ନିଜେ ଶିଶୁଙ୍କୁ ନେଇ କୂଅରେ ପକାଇ ଦେଇଥିବା କଥା ସେ ସ୍ବୀକାର କରିଛନ୍ତି । ହେଲେ ଏହାର କାରଣ କ'ଣ ତାହା ଆଦୌ କହିନଥିଲେ। ତପସ୍ୱିନୀଙ୍କ ମୁହଁରୁ ଏକଥା ଶୁଣିବା ପରେ ସୁନିଲ ନିଜେ ପୋଲିସକୁ ଫୋନ କରି ଜଣାଇ ଦେଇଥିଲେ । ପୋଲିସ ତପସ୍ୱିନୀଙ୍କୁ ଥାନାକୁ ନେଇଥିଲେ । ବହୁ ପଚରାଉଚରା ପରେ ମଧ୍ୟ ତପସ୍ୱିନୀ ଶିଶୁମାନଙ୍କୁ ହତ୍ୟା କରିବା ପଛର କାରଣ କହିନାହାନ୍ତି । ଯାହାକୁ ନେଇ ପରିବାର ଲୋକେ ମଧ୍ୟ ଦ୍ଵନ୍ଦରେ ରହିଛନ୍ତି । ପରିବାରଲୋକଙ୍କ କହିବା ଅନୁସାରେ, କେବେବି ତପସ୍ୱିନୀ ଓ ସୁନୀଲ ମଧ୍ୟରେ ମନାନ୍ତର ନଥିଲା । ବିବାହର ୧୨ବର୍ଷ ପରେ ବହୁ ଅର୍ଥ ଖର୍ଚ୍ଚ କରିବା ପରେ ଦୁଇ ଶିଶୁ ଜନ୍ମ ହୋଇଥିଲେ । ଏଭଳି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ...କୂଅରେ ପକାଇ ଯାଆଁଳା ଭାଇ-ଭଉଣୀଙ୍କୁ ହତ୍ୟା

ସୂଚନା ଅନୁସାରେ, କିଛିଦିନ ହେଲା ତପସ୍ୱିନୀଙ୍କର ପେଟ ଯନ୍ତ୍ରଣା ହେଉଥିଲା । ସେ ଦୈନିକ ଔଷଧ ଖାଉଥିଲେ । ତେଣୁ ଶିଶୁ ମାନଙ୍କର ଯତ୍ନ ନେବା ଠାରୁ ଘରର କିଛି କାମ ସେ କରୁ ନଥିଲେ । ଘରେ ଅନ୍ୟମାନେ ଏସବୁ କରୁଥିଲେ । ଏଭଳି ସ୍ଥିତିରେ କାହିଁକି ସେ ଏମିତି କଲେ ତାହା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ସୁନୀଲ ସାହୁ ଲିଖିତ ଅଭିଯୋଗ କରିବା ପରେ ବନ୍ତଳା ଥାନାରେ ଦଫା ଏକ ହତ୍ୟା ମାମଲା ରୁଜୁ କରାଯିବା ସହ ତପସ୍ୱିନୀଙ୍କୁ ଗିରଫ କରିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.