ETV Bharat / state

ପାଣି ନ ପାଇ ବାଇଗଣ ଚାଷୀ ହତାଶ, ବୁଡିଯିବାକୁ ବସିଲାଣି ଜୀବିକା

author img

By

Published : May 23, 2022, 5:25 PM IST

ପାଣି ନ ପାଇ ବାଇଗଣ ଚାଷୀ ହତାଶ, ବୁଡିଯିବାକୁ ବସିଲାଣି ଜୀବିକା
ପାଣି ନ ପାଇ ବାଇଗଣ ଚାଷୀ ହତାଶ, ବୁଡିଯିବାକୁ ବସିଲାଣି ଜୀବିକା

ବାଇଗଣ ଚାଷ ପାଇଁ ବେଶ ଜଣାଶୁଣା ଅନୁଗୋଳ ଜିଲ୍ଲା । ହେଲେ ଜଳସେଚନ ବ୍ୟବସ୍ଥା ନଥିବାରୁ ଏବେ ଚିନ୍ତାର ସାନ୍ତରାପୁର ନୂଆସାହିର ଅନେକ ଚାଷୀ । ଜଳ ଅଭାବରୁ ଗଛ ଶୁଖିଯାଉଥିବା ବେଳେ ଫଳୁଛି ହଳଦିଆ ବାଇଗଣ । ଫଳରେ ଏମାନଙ୍କ ଏକମାତ୍ର ଜୀବିକା ବୁଡିବାକୁ ବସିଲାଣି । ଯାହାକୁ ନେଇ ଚିନ୍ତାରେ ଚାଷୀ । ଦେଖନ୍ତୁ ଏହି ରିପୋର୍ଟ

ଅନୁଗୋଳ: ବାଇଗଣ ଚାଷ ପାଇଁ ବେଶ୍‌ ଜଣାଶୁଣା ଅନୁଗୋଳ ଜିଲ୍ଲା । ହେଲେ ବଅଁରପାଳ ବ୍ଲକର ସାନ୍ତରାପୁର ନୂଆସାହିର ଶତାଧିକ ଚାଷୀ ଏବେ ଚିନ୍ତାରେ । ପାଣି ଅଭାବରୁ ଏକର ଏକର ଜମିରେ ବାଇଗଣ ଗଛ ଶୁଖି ଗଲାଣି । ଫଳିଥିବା ବାଇଗଣ ପୋକ ଲାଗି ନଷ୍ଟ ହୋଇ ଯାଇଛି । ବହୁ ସଂଖ୍ୟାରେ ବାଇଗଣ ହଳଦିଆ ରଙ୍ଗ ଗୋଇ ଗଛରୁ ଝଡି ଯାଉଛି । ବହୁ ଖର୍ଚ୍ଚ କରି ଲାଭ ଆଶା କରିଥିବା ଚାଷୀ କ'ଣ କରିବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ପାଣି ନ ପାଇ ବାଇଗଣ ଚାଷୀ ହତାଶ, ବୁଡିଯିବାକୁ ବସିଲାଣି ଜୀବିକା

ପାଣି ପାଇଁ କିଏ ପୋଖରୀରେ ଚୁଆ ଖୋଲି ପାଣି ଖୋଜୁଛି ତ ପୁଣି ଆଉ କିଏ ବହିଯାଇଥିବା ନାଳରେ ଚୁଆ ଖୋଳି ଜମିକୁ ପାଣି ଚଢାଇବାର ବ୍ୟବସ୍ଥା କରୁଛି । ପାଣି ଅଭାବରୁ ଏକର ଏକର ବାଇଗଣ କ୍ଷେତ ମରିଯିବାକୁ ବସିଲାଣି । ଯୁଆଡେ ଚାହିଁଲେ ଶୁଖିଲା ଓ ହଳଦିଆ ବାଇଗଣ ଗଛ । ପ୍ରତେକ ଦିନ ଚାଷୀମାନେ ସକାଳ ହେଲେ ବାଇଗଣ ବାଡିକୁ ଆସି କେବଳ ବୁଲି ଦେଖୁଛନ୍ତି । କୌଣସି ଉପାୟ ନପାଇ ଘରକୁ ଫେରୁଛନ୍ତି । ଏଭଳି ଦୃଶ୍ୟ ଜିଲ୍ଲାର ବଅଁରପାଳ ବ୍ଲକର ସାନ୍ତରାପୁର ଓ ନୂଆସାହି ଗାଁରେ ଦେଖିବାକୁ ମିଳିଛି ।

ଜଳସେଚନର କୌଣସି ସୁବିଧା ନଥିବାରୁ ସେମାନଙ୍କ ଏକ ମାତ୍ର ଜୀବିକା ବୁଡିଯିବାକୁ ବସିଲାଣି । ଯାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଶହ ଶହ ବାଇଗଣ ଚାଷୀ । ଏହି ଦୁଇ ଗାଁର ୩୦୦ରୁ ଅଧିକ ଚାଷୀ ୪୦୦ ଏକରରୁ ଅଧିକ ଜମିରେ ବାଇଗଣ ଚାଷ କରନ୍ତି । ଏଠାରେ ଉନ୍ନତ ମାନର ବାଇଗଣ ଅମଳ ହେଉଥିବା ବେଳେ ବିକ୍ରି ପାଇଁ କଟକ, ଭୁବନେଶ୍ବର, ଆଠଗଡ଼, ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଏ । ବର୍ଷକୁ ଏକର ପ୍ରତି ୧୫ଶହ କୁଇଣ୍ଟାଲରୁ ଅଧିକ ବାଇଗଣ ଉତ୍ପାଦନ ହୁଏ । କିନ୍ତୁ ଚାଷୀ ମାନଙ୍କର ସବୁଠାରୁ ଦୁଃଖ ଜଳସେଚନର କୌଣସି ସୁବିଧା ନାହିଁ ।

ବର୍ଷା ଅଭାବରୁ ଗାଁ ଦେଇ ବହି ଯାଇଥିବା ଯେଉଁ ବଉଳି ନାଳ ଉପରେ ନିର୍ଭର କରି ସେମାନେ ଚାଷ କରନ୍ତି ଏଥର ସେ ନାଳ ଶୁଖି ଯାଇଛି । ଆଖପାଖରେ ଥିବା ଜଳାଶୟ ଗୁଡିକ ଶୁଖିଗଲାଣି । ଯାହାର ପ୍ରଭାବ ପଡିଛି ବାଇଗଣ ଚାଷ ଉପରେ । କାଁ ଭାଁ ଚାଷୀ ଯାହା ଉତ୍ପାଦନ କରୁଛନ୍ତି ସେସବୁ ବହୁତ କମ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏଣୁ କ୍ଷତି ସହିବାକୁ ପଡୁଛି । ଦୁଇ ଗାଁର ଶତାଧିକ ଚାଷୀଙ୍କ ମୁଖ୍ୟ ବେଉସା ବାଇଗଣ ଚାଷ । ତେଣୁ ସରକାରଙ୍କ ପକ୍ଷରୁ ବଉଳି ନାଳରେ ଚେକ ଡ୍ୟାମ କରାଗଲେ ଭବିଷ୍ୟତରେ ଏଭଳି ଜଳ ସମସ୍ୟା ହେବ ନାହିଁ ବୋଲି ଚାଷୀ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.