ETV Bharat / state

ନିଦ ହଜାଇ ଦେଇଛି ହାତୀ ଉପଦ୍ରବ, ବନ୍ତଳାକୁ କର ଗଜମୁକ୍ତ କରିବାକୁ ରାଜରାସ୍ତାରେ ଲୋକେ

author img

By ETV Bharat Odisha Team

Published : Oct 17, 2023, 2:15 PM IST

ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜରେ ହାତୀ ଆତଙ୍କ । ହାତୀକୁ ଘଉଡାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ 3 ଦିନ ଧାରଣାରେ ବସିଲେ ବନ୍ତଳା ରେଞ୍ଜ ବାସିନ୍ଦା । ବନ୍ତଳାକୁ ହାତୀମୁକ୍ତ କରିବାକୁ ଦାବି । ଦେଖନ୍ତୁ ଏହି ରିପୋର୍ଟ୍

ହାତୀ ପାଇଁ ଅତିଷ୍ଠ, ବନ୍ତଳାକୁ କର ଗଜମୁକ୍ତ କରିବାକୁ ଜିଲ୍ଲା କାର୍ଯ୍ଯାଳୟ ସମ୍ମୁଖରେ ଧାରଣା
ହାତୀ ପାଇଁ ଅତିଷ୍ଠ, ବନ୍ତଳାକୁ କର ଗଜମୁକ୍ତ କରିବାକୁ ଜିଲ୍ଲା କାର୍ଯ୍ଯାଳୟ ସମ୍ମୁଖରେ ଧାରଣା

ହାତୀ ପାଇଁ ଅତିଷ୍ଠ, ବନ୍ତଳାକୁ କର ଗଜମୁକ୍ତ କରିବାକୁ ଜିଲ୍ଲା କାର୍ଯ୍ଯାଳୟ ସମ୍ମୁଖରେ ଧାରଣା

ଅନୁଗୋଳ: ହାତୀ ପାଇଁ ତାତିଲେ ଲୋକେ । ଅନୁଗୋଳ ବନ ଖଣ୍ଡ ବନ୍ତଳା ରେଞ୍ଜ ଓ ଏହାର ଆଖପାଖ ପ୍ରାୟ ୧୨୮ଟି ଗାଁର ଲୋକେ ଆଜି(ମଙ୍ଗଳବାର)ଠାରୁ ଆସନ୍ତା ୩ଦିନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ୩ଦିନ ମଧ୍ୟରେ ହାତୀ ଘଉଡାଇବା ବ୍ୟବସ୍ଥା ନକଲେ ଆଗାମୀ ଦିନରେ ଆହୁରି ବଡ଼ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଗତକାଲି ବନ ବିଭାଗ, ପ୍ରଶାସନ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହେବାରୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି ଅନ୍ଦୋଳନକାରୀ ।

ଏହାମଧ୍ୟ ପଢନ୍ତୁ..କରଞ୍ଜିଆରେ ହାତୀ ଉପଦ୍ରବ, ଘର ଭାଙ୍ଗିବା ସହିତ କାନ୍ଥ ପଡି ଜଣେ ବୃଦ୍ଧା ଗୁରୁତର

ଅନୁଗୋଳ ବନଖଣ୍ଡର ବନ୍ତଳା ବନାଞ୍ଚଳରେ ଅସହ୍ୟ ହେଲାଣି ହାତୀ ଉପଦ୍ରଵ । ଏକ ବର୍ଷ ମଧ୍ୟରେ ଏହି ବନ୍ୟାଞ୍ଚଳରେ ହାତୀ ଆକ୍ରମଣରେ 30ରୁ ଉର୍ଦ୍ଧ୍ବ ଜୀବନ ଗଲାଣି । ଗାଁଠୁ ନେଇ ବିଲବାଡି ସବୁଠି ହାତୀ ପଲ । ପ୍ରାୟ ୫ ବର୍ଷ ହେଲା ଏହି ସମସ୍ୟାରେ ଯୁଝି ହେଉଛନ୍ତି ଲୋକେ । କେତେବେଳେ ଘର ଭାଙ୍ଗୁଛନ୍ତି ତ କେବେବେଳେ ଫସଲ ଉଜାଡି ଦେଉଛନ୍ତି ହାତୀପଲ । ଲୋକମାନେ ଏକପ୍ରକାର ଗୃହବନ୍ଦୀ କହିଲେ ଚଳେ । ଗାଁରୁ ହାତୀ ଘଉଡାଇବା ପାଇଁ ବନ ବିଭାଗ ଯେଉଁ ପଦକ୍ଷେପ ନେଉଛି ତାହା ଯଥେଷ୍ଟ ହେଉନଥିବା କହିଛନ୍ତି ଲୋକେ । ଏବେ ହାତୀମୁକ୍ତ ବନ୍ତଳା ଦାବି କରିଛନ୍ତି ଲୋକେ । ତେଣୁ ବନ୍ତଳା ଅଞ୍ଚଳରେ ଲୋକେ ନିଜର ସୁରକ୍ଷା ପାଇଁ ସାମାଜିକ ସୁରକ୍ଷା ମଞ୍ଚ ଗଠନ କରି ପ୍ରଶାସନ ଓ ବନ ବିଭାଗକୁ ହାତୀ ଉପଦ୍ରଵ ରୋକିବା ପାଇଁ ଚାପ ପକାଉଛନ୍ତି । ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ଓ ଏହାର ଆଖପାଖ ପ୍ରାୟ ୧୨୮ଟି ଗାଁର ଲୋକେ ଆଜିଠାରୁ ୩ଦିନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ୩ଦିନ ମଧ୍ୟରେ ହାତୀ ଘଉଡ଼ାଇବା ବ୍ୟବସ୍ଥା ନକଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ..ଅନୁଗୋଳରେ ହାତୀ ଆତଙ୍କ, କାମ କରିବାକୁ ଯାଉଥିବା ବେଳେ କଚାଡି ମାରିଲା ଦନ୍ତା

ଅନ୍ୟପଟେ ବନବିଭାଗର ସୂଚନା ଅନୁଯାୟୀ, ବନ୍ତଳା ଅଞ୍ଚଳରେ ହାତୀ ଉପଦ୍ରଵ ନିୟନ୍ତ୍ରଣ କରିବାକୁ ସରକାର ପ୍ରାୟ ସାଢ଼େ ୪କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ସେହି ଅର୍ଥରେ ବନ୍ତଳା ଅଞ୍ଚଳରେ ହାତୀ ଉପଦ୍ରଵ କରୁଥିବା ୪୩ଟି ଗାଁ ଚିହ୍ନଟ କରାଯାଇଛି । ସେହି ୪୩ଟି ଗାଁର ବିଭିନ୍ନ ସ୍ଥାନରେ ୪୩ଟି ଉଚ୍ଚ ଶକ୍ତି ସମ୍ପନ୍ନ ହାଇମାସ୍କ ଲାଇଟ ଲଗାଯିବ। ପ୍ରାୟ ୨୨କିମି ଟ୍ରେଞ୍ଚ୍‌ ଖନନ କରାଯିବ । ସେଥିମଧ୍ୟରୁ ବର୍ତ୍ତମାନ ସୁଧା ୫କିମିରୁ ଅଧିକ ଖନନ କାର୍ଯ୍ୟ ଶେଷ ହୋଇଛି । ୪୩କିମି ସୋଲାର ଫେନସିଂ ନିର୍ମାଣ କରାଯିବ । ବର୍ତ୍ତମାନ ୧୦କିମି ନିର୍ମାଣ ସରିଛି । ହାତୀ ଆସିବା ଆଗରୁ ଲୋକେ କିଭଳି ଜାଣି ପାରିବେ ସେଥିପାଇଁ ସାଇରନ୍‌ ସିଷ୍ଟମ ଲଗା ଯାଉଛି । ବର୍ତ୍ତମାନ ସୁଦ୍ଧା ୨୫ଟି ସିଷ୍ଟମ କାମ ସରିଛି । ଆଗକୁ ପ୍ରାୟ ୬୮ଟି ସ୍ଥାନରେ ଏଭଳି ସିଷ୍ଟମ ଲଗାଯିବାର ଯୋଜନା ରହିଛି । ଅକ୍ଟୋବର ମାସ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ଯୋଜନା କରାଯାଉଛି ।

ଏହାମଧ୍ୟ ପଢନ୍ତୁ..ହାତୀ ଆକ୍ରମଣରେ ଭାଙ୍ଗିଲା ବନ କର୍ମଚାରୀଙ୍କ ପଞ୍ଜରା ହାଡ଼

ଏହାଛଡା ଜଙ୍ଗଲ ଭିତରେ ବ୍ୟାପକ ଆମ୍ବ, ପଣସ ଓ ହାତୀ ଖାଦ୍ୟ ଭଳି ଗଛ ଲଗାଯିବ। ଗାଁ ଗାଁରେ ବୁଲୁଥିବା ହାତୀ ପଲକୁ ସାତକୋଶିଆ ଭିତରକୁ ଘଉଡାଇବାକୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବନ ବିଭାଗ କହିଛି । ଏ ସମସ୍ତ ପଦକ୍ଷେପ ସମ୍ପର୍କରେ ସୂଚନା ଦେବାପାଇଁ ପ୍ରଶାସନର ସହଯୋଗରେ ବନ ବିଭାଗ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ବୈଠକ ହୋଇଥିଲା । କିନ୍ତୁ ଲୋକେ କୌଣସି କଥା ନଶୁଣି କେବଳ ଗଜଶୂନ୍ୟ ବନ୍ତଳା ଅଞ୍ଚଳ ଦାବି କରିଥିଲେ ।

ତେବେ ବନ୍ତଳା ଅଞ୍ଚଳରେ ହାତୀ ଉପଦ୍ରଵ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରାୟ ୫ ବର୍ଷ ହେଲା ଏହି ସମସ୍ୟାରେ ଯୁଝି ହେଉଛନ୍ତି ଲୋକେ । ଲୋକଙ୍କୁ ହାତୀ ଆକ୍ରମଣ କରିବା ଏକ ନିତିଦିନିଆ ଘଟଣା ହୋଇ ଯାଇଛି । ଯାହାକୁ ନେଇ ଲୋକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.