ETV Bharat / state

କୋରୋନା ଗୁଜବ, ସଙ୍କଟରେ କୁକୁଡା ଚାଷ

author img

By

Published : Mar 17, 2020, 9:59 AM IST

Updated : Mar 17, 2020, 10:07 AM IST

Corona rumors
କୋରୋନା ଗୁଜବ, ସଙ୍କଟରେ କୁକୁଡା ଚାଷ

କୁକୁଡାମାଂସରେ କୋରୋନା ଭାଇରସ ଗୁଜବ ଯୋଗୁଁ ଅନୁଗୋଳର ଶତାଧିକ କୁକୁଡା ଚାଷୀ ଏବେ ଲକ୍ଷାଧିକ ଟଙ୍କା କ୍ଷତି ସହୁଛନ୍ତି । ଲୋକେ କୁକୁଡା କିଣିବା ଦୂରର କଥା ମାଗଣା ଦେଲେବି ନେଉ ନାହାନ୍ତି । ଫଳରେ ବହୁ କୁକୁଡା ଦୋକାନରେ ତାଲା ପଡିଲାଣି ।

ଅନୁଗୋଳ: କୁକୁଡାମାଂସରେ କୋରୋନା ଭାଇରସ ଗୁଜବ ଯୋଗୁଁ ଅନୁଗୋଳର ଶତାଧିକ କୁକୁଡା ଚାଷୀ ଏବେ ଲକ୍ଷାଧିକ ଟଙ୍କା କ୍ଷତି ସହୁଛନ୍ତି । ଲୋକେ କୁକୁଡା କିଣିବା ଦୂରର କଥା ମାଗଣା ଦେଲେବି ନେଉ ନାହାନ୍ତି । ଫଳରେ ବହୁ କୁକୁଡା ଦୋକାନରେ ତାଲା ପଡିଲାଣି । ସେପଟେ କୁକୁଡାଫାର୍ମ ଗୁଡିକରେ ହଜାର ହଜାର କୁକୁଡା ବିକ୍ରି ହୋଇନପାରି ରହିଥିବା ଦେଖିବାକୁ ମିଳୁଛି । ଯାହାକୁ ଚାଷୀମାନେ ଦାନା ଦେଇପାରୁନଥିବାରୁ ଭୋକରେ କୁକୁଡା ମରୁଛନ୍ତି ।

କୋରୋନା ଗୁଜବ, ସଙ୍କଟରେ କୁକୁଡା ଚାଷ

ସବୁଠି କୋରୋନା ଭୟ । କୋରୋନା ପାଇଁ ଏବେ ରୋଜଗାର ହରାଇବାକୁ ବସିଛନ୍ତି ଅନୁଗୋଳ ଜିଲ୍ଲାର କୁକୁଡା ଚାଷୀ । ଅନୁଗୋଳ ଜିଲ୍ଲାରେ ପ୍ରାୟ 12ଶହରୁ ଅଧିକ କୁକୁଡାଫାର୍ମ ରହିଥିବାବେଳେ ପ୍ରତ୍ୟକ ଫାର୍ମରେ 2ହଜାରରୁ 10ହଜାର ପର୍ଯ୍ୟନ୍ତ କୁକୁଡା ପାଳନ କରାଯାଏ । ଗତ ପ୍ରାୟ ଦୁଇ ମାସ ତଳେ ବାର୍ଡଫ୍ଲୁ ବେଳେ କୁକୁଡା ବିକ୍ରି କମି ଯାଇଥିବାବେଳେ ଏବେ କୋରୋନା ଯୋଗୁ ଯେଉଁ ଗୁଜବ ସୃଷ୍ଟି ହୋଇଛି ସେଥିପାଇଁ କୁକୁଡା ବିକ୍ରି ହେଉନି। । ଖୁଚୁରା ଦୋକାନ ସବୁ ବନ୍ଦ ହୋଇଯାଇଥିବାରୁ ଫାର୍ମରୁ ନେଇ ସେହି ଦୋକାନ ଗୁଡିକରେ ମଧ୍ୟ ବିକ୍ରି କରିପାରୁ ନାହାନ୍ତି । ଏଭଳି ପରିସ୍ଥିତିକୁ ନେଇ କୁକୁଡା ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । କୁକୁଡା ବିକ୍ରି ବନ୍ଦ ଯୋଗୁ କେବଳ ଚାଷୀ କାହିଁକି ଫାର୍ମରେ କାମକରୁଥିବା ଶ୍ରମିକ ସେମାନଙ୍କ ଜୀବିକା ହରାଇଛନ୍ତି ।

ଏହି କ୍ଷତିରେ ବିଶେଷ ପ୍ରଭାବିତ ହୋଇଛନ୍ତି ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳର କୁକୁଡା ଫାର୍ମ କରିଥିବା ଚାଷୀ । ସାତକୋଶିଆ ଅଭ୍ୟାରଣ୍ୟକୁ ଲାଗିଥିବା ନୂଆଖେତା, କଲେଇପଡା, ଜମ୍ବୁଡିହ ସମେତ ଅନେକ ଗାଁରେ ଶତକଡା ପ୍ରାୟ 70 ଭାଗ ଲୋକ କେବଳ କୁକୁଡା ଫାର୍ମ କରି ଚଳୁଛନ୍ତି । ହେଲେ କୁକୁଡାକୁ ନେଇ ଯେଉଁ ଗୁଜବ ହେଲା ଏଥିରେ ସେମାନଙ୍କ ମେରୁଦଣ୍ଡ ଦୋହଲି ଯାଇଛି । ଖାଲି ସେତିକି ନୁହେଁ କୁକୁଡା ବିକ୍ରି ନହୋଇ ରହିବା ଏବଂ ଶହ ଶହ କୁକୁଡା ମରିଯିବା ପରେ ବାହାରେ ପକାଇ ଦିଆଯାଉଥିବା ଯୋଗୁ ଅଞ୍ଚଳର ପରିବେଶ ଉପରେ ପ୍ରଭାବ ପଡିଛି । ଚାରିଆଡେ ଦୁର୍ଗନ୍ଧର ବାତା ବରଣ ଦେଖିବାକୁ ମିଳିଛି ।

କୁକୁଡା ମାଂସ ଓ ଅଣ୍ଡା ଖାଇବା ଦ୍ବାରା କୋରୋନାର କୌଣସି ଭୟନାହିଁ ବୋଲି ସରକାରଙ୍କ ପକ୍ଷରୁ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଲୋକଙ୍କ ଉପରେ କିଛିପ୍ରଭାବ ପଡି ନଥିବା ଦେଖାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated :Mar 17, 2020, 10:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.