ETV Bharat / sports

କ୍ବାରେଣ୍ଟିନରେ ଭାରତୀୟ ଫୁଟବଲ

author img

By

Published : Aug 23, 2022, 8:01 AM IST

Updated : Oct 29, 2022, 3:39 PM IST

କ୍ବାରେଣ୍ଟିନରେ ଭାରତୀୟ ଫୁଟବଲ । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କଥାଟି ସତ । କାରଣ ଏବେ ବିଶ୍ବ ଫୁଟବଲ ଜଗତରେ ଭାରତ ଉପରେ ଲାଗିଛି ଅନିର୍ଦ୍ଦିଷ୍ଟ କାଳ ପାଇଁ କଟକଣା ।

Centre urges SC to handover control to AIFF from CoA
Etv Bharatକ୍ବାରେଣ୍ଟିନରେ ଭାରତୀୟ ଫୁଟବଲ

ହାଇଦ୍ରାବାଦ: କ୍ବାରେଣ୍ଟିନରେ ଭାରତୀୟ ଫୁଟବଲ । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କଥାଟି ସତ । କାରଣ ଏବେ ବିଶ୍ବ ଫୁଟବଲ ଜଗତରେ ଭାରତ ଉପରେ ଲାଗିଛି ଅନିର୍ଦ୍ଦିଷ୍ଟ କାଳ ପାଇଁ କଟକଣା । ବିଶ୍ବର ସର୍ବାଧିକ ଲୋକପ୍ରିୟ ଖେଳ ହେଉଛି ଫୁଟବଲ । ପ୍ରାୟ ୨୦୦ରୁ ଅଧିକ ଦେଶର ୨୫କୋଟି (୨୫୦ ମିଲିଅନ) ଖେଳାଳି ଏହି ଖେଳ ଖେଳନ୍ତି । ସେଥିପାଇଁ ଏହି ଖେଳର ନିକ୍‌ ନେମ୍‌ 'ୱାର୍ଲ୍ଡ ଗେମ୍‌' ଓ 'ବିୟୁଟିଫୁଲ ଗେମ୍‌' ମଧ୍ୟ ରହିଛି । ଭାରତରେ ଏକଦା ଏହି ଖେଳ ବେଶ୍‌ ଲୋକପ୍ରିୟ ଥିଲା ଓ ଅଘୋଷିତ ଜାତୀୟ ଖେଳ ଭାବେ ପରିଗଣିତ ହେଉଥିଲା ।

ଏହାର ପ୍ରମାଣ ହେଉଛି ୧୯୪୯ରୁ ଭାରତୀୟ ସେନାର ଏକ ଟିମ ଫୁଟବଲ ଖେଳିବା ଓ ଦେଶରେ ଫୁଟବଲର ଆରମ୍ ପରେ ବିଶ୍ବର ସର୍ବପୁରାତନ ଫୁଟବଲ କ୍ଲବର ଘର ବୋଲି ଭାରତକୁ କୁହାଯାଉଥିଲା । ଭାରତର ଏକ ଫୁଟବଲ ପ୍ରତିଯୋଗୀତା-'ଦୂରନ୍ତ' କପ୍‌ ବିଶ୍ବର ତୃତୀୟ ସର୍ବପୁରାତନ ଫୁଟବଲ ପ୍ରତିଯୋଗିତା । ଏକ ସମୟରେ ଭାରତରେ ଫୁଟବଲକୁ ଉତ୍ସବ ଭାବେ ପାଳନ କରାଯାଉଥିଲା ଓ ଭାରତୀୟ ଫୁଟବଲକୁ ବ୍ରାଜିଲିଆନ୍ସ ଅଫ୍‌ ଏସିଆ କୁହାଯାଉଥିଲା ।

ତେବେ ଭାରତୀୟ ଫୁଟବଲ ପାଇଁ ଏବେ ବିଲକୁଲ ଭଲ ସମୟ ଚାଲିନାହିଁ । କଟକଣାରେ ଭାରତୀୟ ଫୁଟବଲ । ସତେ ଯେପରି କାହାରି ନଜର ଲାଗିଯାଇଛି । ଫୁଟବଲର ସର୍ବୋଚ୍ଚ ପରିଚାଳନା ବୋର୍ଡ(FIFA), ଭାରତୀୟ ଫୁଟବଲ ସଂଘ ଉପରେ କଟକଣା ଲଗାଇଛି (FIFA Supends AIFF)। ସାଧାରଣତଃ କ୍ରୀଡା ମହାସଂଘର ଗୁଡିକ ସ୍ବୟଂଚାଳିତ ଓ ସ୍ବାଧୀନ ହୋଇଥାଏ । ଏହାର ସମ୍ବିଧାନରେ କୌଣସି ପ୍ରକାର ରାଜନୈତିକ ହସ୍ତକ୍ଷେପ କିମ୍ବା ତୃତୀୟ ପକ୍ଷଙ୍କ ହସ୍ତକ୍ଷେପକୁ ବାରଣ ନେଇ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥାଏ ।

ଅର୍ଥାତ ସ୍ବଚ୍ଛ ପ୍ରକ୍ରିୟାରେ ନିର୍ବାଚିତ ପ୍ରତିନିଧି ଏହାର ପରିଚାଳନା ଦାୟିତ୍ବରେ ରହିବେ । ଏଥିରେ ବ୍ୟତିକ୍ରମ ଅର୍ଥାତ ସଦସ୍ୟ ସଂଘକୁ ଦଣ୍ଡିତ ହେବାକୁ ପଡିଥାଏ । ଯାହା ଅଖିଳ ଭାରତୀୟ ଫୁଟବଲ ମହାସଂଘ(AIFF) ସହ ଘଟିଛି । ଭାରତୀୟ ଫୁଟବଲ ମହାସଂଘର ପୂର୍ବତନ ସଭାପତି ପ୍ରଫୁଲ୍ଲ ପଟେଲଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ସେ କାର୍ଯ୍ୟଭାର ତ୍ୟାଗ କରିନଥିଲେ । ବରଂ ସଂଘର ପରିଚାଳନାରେ ସଂପୂର୍ଣ୍ଣ ହସ୍ତକ୍ଷେପ କରୁଥିଲେ ।

ଭାରତୀୟ ସୁପ୍ରିମକୋର୍ଟ ପଟେଲଙ୍କ ଅଧ୍ୟକ୍ଷପଦକୁ ଅବୈଧ କରିବା ସହ ଏକ ପ୍ରଶାସକ କମିଟି ଗଠନ କରି ଶୀଘ୍ର ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ପାଇଁ ଭାରତୀୟ ଫୁଟବଲ ସଂଘ ନିଲମ୍ବନ ଦଣ୍ଡ ଭୋଗୁଛି । ନିଲମ୍ବନ ଅନୁଯାୟୀ, ଅକ୍ଟୋବରରେ ଭାରତରେ ଆୟୋଜନ ହେବାକୁ ଥିବା ୧୭ ବର୍ଷରୁ କମ ମହିଳା ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଏବେ ଆଶଙ୍କାରେ । ଏହି ଟୁର୍ଣ୍ଣାମେଣ୍ଟର ଏକ ଭେନ୍ୟୁ ଦେଶର କ୍ରୀଡା ରାଜଧାନୀ ଭାବେ ଚର୍ଚ୍ଚିତ ଓଡିଶାର ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ମଧ୍ୟ ରହିଛି ।

ଏହାମଧ୍ୟ ପଢନ୍ତୁ: FIFA ନିଲମ୍ବନ ପରେ ଅନ୍ଧାରରେ ଭାରତୀୟ ମହିଳା ଫୁଟବଲ ଖେଳାଳିଙ୍କ ଭାଗ୍ୟ

ବିଶ୍ବରେ ସବୁକ୍ଷେତ୍ରରେ ଭାରତ ଏକ ପ୍ରମୁଖ ଶକ୍ତିଭାବେ ଉଭାହେଉଥିବା ସମୟରେ ୧୩୦ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ, ଏକ କ୍ରୀଡା ସଂଘରେ ପରିଚାଳନାଗତ ସମସ୍ୟା ଯୋଗୁଁ ବାସନ୍ଦ ହେବା ଖବର ଭାରତୀୟଙ୍କ ମନରେ ଆଘାତ ଦେଇଥିବା ନିଶ୍ଚୟ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଅମୃତ ମହୋତ୍ସବ ମନାଉଛି । ଦେଶ ସ୍ବାଧିନତା ସ୍ମୃତିର ଏ ସମୟ ଯେପରି କିଛି ମୂହୂର୍ତ୍ତ ଅଟକିଯାଇଥିବା ପ୍ରତୀତ ହେଉଛି । ସବୁରି ଘରେ ଫରଫର ଉଡୁଛି ତ୍ରିରଙ୍ଗା । ଦେଶପ୍ରେମର କଥା ଓ ଗାଥା, ସଂଗ୍ରାମୀଙ୍କ ବନ୍ଦନା ସହ ଚାରିଆଡେ ଭାରତୀୟତାର ଅଭିମାନ ତ୍ରିରଙ୍ଗାମୟ ହୋଇଛି । ଏପରି ସମୟରେ କିପରି ଜଣେ କ୍ରୀଡା ପ୍ରଶାସକଙ୍କ ପାଇଁ ଦେଶର ସମ୍ମାନ ପ୍ରାଥମିକତା ନହୋଇ ବ୍ୟକ୍ତିଗତ ସ୍ବାର୍ଥ କିପରି ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସମୟ ବଦଳିବା ସହ ବିଶ୍ବ ସମୁଦାୟରେ ଭାରତର ଗୁରୁତ୍ବ ବଢୁଛି । ଭାରତର ସର୍ବୋଚ୍ଚ ନେତାଙ୍କ ସହ ସୁସଂପର୍କ ପାଇଁ କିପରି ବ୍ୟାକୁଳ ହେଉଛନ୍ତି ଆମେରିକା ଓ ଋଷ ଭଳି ଦେଶର ଶୀର୍ଷନେତା । ନିକଟରେ ସଂଯୁକ୍ତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଆସି ପଛରୁ ଡାକି କଥାହେବାକୁ ଆଗ୍ରହ ଦେଖାଇଥିଲେ ତାହା ବିଶ୍ବ ଦେଖିଥିଲା ଓ ଭାରତୀୟଙ୍କ ଛାତି ଚଉଡା କରିବାର ଅବସର ମିଳିଥିଲା ।

ତେବେ ସବୁଠୁ ଲଜ୍ଜାକର କଥା ହେଉଛି, ଯେଉଁ ଦେଶରେ ଝିଅ ସାଜେ ଭାରତ ମାତା, ଯେଉଁ ଦେଶରେ ନାରୀ ପୂଜ୍ୟ, ସେହି ଦେଶର ପ୍ରାୟ ୨୩ଜଣ ଝିଅ ବିଦେଶରେ ସଭାପତି ବାବୁଙ୍କ ପଦଲୋଭପାଇଁ ଅସମ୍ମାନିତ ହେଲେ, ଲଜ୍ଜିତ ହୋଇ ଭାରତ ଫେରିଲେ । ଭାରତର ଭବିଷ୍ୟତ ଫୁଟବଲ ଖେଳାଳିଟିଏ ଗୁମୁରି କାନ୍ଦୁଛି ଓ ଭାଗ୍ୟକୁ ନିନ୍ଦିବା ଛଡା ଆଉ କିଛି ବିକଳ୍ପ ନାହିଁ ।

ଭାରତୀୟ ମହିଳା ଫୁଟବଲ ଟିମର ଅଧିନାୟିକା ଆଶାଦେବୀଙ୍କ ନେତୃତ୍ବରେ ଉଜବେକିସ୍ତାନରେ AFC ମହିଳା କ୍ଳବ୍‌ ଚମ୍ପିଆନସିପ୍‌ରେ ଅଂଶଗ୍ରହଣ କରିବାକୁ ଯାଇଥିବା ଗୋକୁଲାମ କେରଳ ମହିଳା ଟିମକୁ ଲଜ୍ଜିତ ହୋଇ ଫେରିବାକୁ ପଡିଲା । କାରଣ ଏହି ଟିମର ବିମାନ ତାସକେଣ୍ଟରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଭାରତୀୟ ଫୁବଟଲ ସଂଘକୁ FIFA ବ୍ୟାନ କରିସାରିଛି । କୌଣସି ପ୍ରକାର ବୟସ ବର୍ଗର ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ଅଂଶଗ୍ରହଣ କରିପାରିବ ନାହିଁ ।

ଏପରିକି ଭାରତୀୟ କ୍ରୀଡା ମନ୍ତ୍ରଣାଳୟ AFC ମହିଳା କ୍ଳବ୍‌ ଚମ୍ପିଆନସିପ୍‌ରେ ଏହି ଟିମକୁ ଅଂଶଗ୍ରହଣ ଅନୁମତି ପାଇଁ ଅନୁରୋଧ କରିଥିଲେ ମଧ୍ୟ କିଛି ଲାଭ ହୋଇନଥିଲା । ଉଜବେକିସ୍ତାନ ରାଜଧାନୀରେ ଅଗଷ୍ଟ ୧୬ରେ ଏହି ଟିମ ପହଞ୍ଚିବାପରେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ସମସ୍ତ ପ୍ରୟାସ ସତ୍ତ୍ବେ ବିଫଳ ହେବାପରେ ୬ ଦିନ ପରେ ନିରାଶ ହୋଇ ସ୍ବଦେଶ ଫେରିଛି ଏହି ଟିମ ।

ଏହାମଧ୍ୟ ପଢନ୍ତୁ: FIFA suspends AIFF, କଳିଙ୍ଗରେ ହେବନି ମହିଳା ଫୁଟବଲ ବିଶ୍ବକପ

ନେଡିଗୁଡ କହୁଣୀକୁ ବୋହିଯିବା ଦେଖି ଭାରତ ସରକାର ଫିଫା ଓ ସୁପ୍ରିମକୋର୍ଟ ନିକଟରେ ଗୁହାରି(Centre Urges SC) କରିବାରେ ଲାଗିପଡିଛନ୍ତି । ସର୍ବୋଚ୍ଚ କୋର୍ଟ ନିଯୁକ୍ତ କରିଥିବା ପ୍ରଶାସକ କମିଟିର କାର୍ଯ୍ୟକାଳ(COA) ଶେଷକରି, ଅଖିଳ ଭାରତୀୟ ଫୁଟବଲ ମହାସଂଘର ସମସ୍ତ ଦୈନଦିନ ପରିଚାଳନା ଭାର, କାର୍ଯ୍ୟକାରୀ ସାଧାରଣ ସମ୍ପାଦକଙ୍କ ନେତୃତ୍ବରେ AIFF ପ୍ରଶାସନକୁ ହସ୍ତାନ୍ତର କରିବାକୁ ଅନୁମତି ଦେବାକୁ ଅପିଲ କରିଛନ୍ତି ଭାରତ ସରକାର(Handover Control to AIFF from CoA) । ସୁପ୍ରିମକୋର୍ଟ AIFFର ସମସ୍ୟା ସମାଧାନ ପାଇଁ ୩ ସଦସ୍ୟ ବିଶିଷ୍ଟ COA ନିଯୁକ୍ତ କରିଛନ୍ତି ।

ଭାରତୀୟ ଫୁଟବଲ ସଂଘର ନିର୍ବାଚିତ ପ୍ରତିନିଧିଙ୍କ ଦ୍ବାରା ସଂଘର ସଂପୂର୍ଣ୍ଣ ପରିଚାଳନ ଦାୟିତ୍ବ ଫେରିଲେ ବାସନ୍ଦାଦେଶ ହଟିବାର ବାଟ ଫିଟିପାରିବ । ଏପରିସ୍ଥିତିରେ ଅବିଳମ୍ବେ ଫୁଟବଲ ସଂଘର ନିର୍ବାଚନ ଆବଶ୍ୟକତା ରହିଛି । ବିଶ୍ବ ଫୁଟବଲ ଜଗତରେ ନିଜର ଅସ୍ତିତ୍ବ ଖୋଜୁଛି ଭାରତ । ଜାତୀୟ ମହିଳା ଟିମ ବିଶ୍ବ ଫୁଟବଲ ରାକିଂରେ ୫୮ତମ ସ୍ଥାନରେ ଥିବାବେଳେ ଓ ପୁରୁଷ ଟିମ ୧୦୪ତମ ସ୍ଥାନରେ ରହିଛି ।

ତେବେ ଅଲମ୍ପିକ୍ସ, ପାରାଲମ୍ପିକ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ଐତିହାସିକ ପ୍ରଦର୍ଶନ ଓ ଆଥଲେଟିକ୍ସ ଭଳି ଖେଳରେ କେବେ ସଫଳ ହୋଇନଥିବା ଖେଳରେ ପଦକ ବିଜୟ, ଦେଶର କ୍ରୀଡାଶକ୍ତିର ଉତ୍ଥାନରେ ନୂଆ ଆଶାସଞ୍ଚାର କରିଛି । ଏପରି ସ୍ଥିତିରେ ପ୍ରଥମକରି ଭାରତର ଏକ ମହିଳା ଟିମ AFC କ୍ଳବ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିବା ଦର୍ଶାଉଛି ଆଗାମୀ ସମୟ ଭାରତର ହେବ ।

ପୁଣି ଭାରତୀୟ ଫୁଟବଲର ଚମକ ପେରିବ । ୫୦ ଦଶକର ଭାରତୀୟ ଫୁଟବଲର ସୁବର୍ଣ୍ଣ ଯୁଗ ଫେରିବ । ପୁନଃ ପ୍ରଭାବୀ ପ୍ରଦର୍ଶନ ବଳରେ ଅନ୍ୟଖେଳ ପରି ଫୁଟବଲରେ ମଧ୍ୟ ଆଧିପତ୍ୟ ବିସ୍ତାର କରିବ ଭାରତ ।

କ୍ରୀଡାକ୍ଷେତ୍ରରେ ଭାରତକୁ ଏକ ପ୍ରମୁଖ ଶକ୍ତିଭାବେ ପରିଚିତ କରିବାକୁ ଭାରତ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି । ଭାରତୀୟ ଫୁଟବଲ ଖେଳାଳି ମଧ୍ୟ ଦେଶକୁ ଏହି ଖେଳରେ ପ୍ରତିଷ୍ଠିତ କରିବାକୁ ସବୁ ପ୍ରୟାସ କରୁଛନ୍ତି । ପ୍ରତିଭାଙ୍କ କମି ନାହିଁ । ବାସ୍‌ କ୍ରୀଡାସଂଘ ପରିଚାଳନାରେ ସ୍ବଚ୍ଛତା ଓ ସଂସ୍କାର, ବହୁଳ ମାତ୍ରାରେ ପ୍ରଚାର ଓ ପ୍ରସାର ସହିତ ପରାଜୟରୁ ଶିକ୍ଷାଲାକ୍ଷ କରି ଆତ୍ମବିଶ୍ବାସର ସହ ବିଜୟୀ ହେବାର ଭୋଗ ସକରାତ୍ମକ ଫଳାଫଳ ଓ ମାନ୍ୟତା ବୃଦ୍ଧିରେ ସହାୟତ ହେବ । ଏହା ଭାରତୀୟ ଫୁଟବଲ ପାଇଁ ଭ୍ଯାକ୍ସିନ ହୋଇପାରିବ ।

-:ସଂଗ୍ରାମ କେଶୋରୀ ବେହେରା

Last Updated : Oct 29, 2022, 3:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.