ETV Bharat / sports

WPL 2023: ଆଜି ଦିଲ୍ଲୀ-ମୁମ୍ବାଇ ଫାଇନାଲ ଫାଇଟ

author img

By

Published : Mar 26, 2023, 10:51 AM IST

WPL Final between mumbai indians and delhi
WPL 2023

ମହିଳା ପ୍ରିମିୟର ଲିଗରେ ଆଜି ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ । ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଟ୍ରଫି ଟକ୍କର । ଅଧିକ ପଢନ୍ତୁ

ମୁମ୍ବାଇ: ସେଇ ରୋମାଞ୍ଚକର ମୁହୂର୍ତ୍ତ ଆସି ଯାଇଛି । କିଏ ହେବ ମହିଳା ପ୍ରିମିୟର ଲିଗ ପ୍ରଥମ ସଂସ୍କରଣର ବିଜେତା । ମୁମ୍ବାଇ ଇଣ୍ଡିଆନ୍ସ ନା ଦିଲ୍ଲୀ କ୍ୟାପିଟାଲ୍ସ କିଏ ମାରି ନେବ ବାଜି । ଫ୍ୟାନ୍ସଙ୍କ ମଧ୍ୟରେ ଭରି ରହିଛି ଉତ୍ସାହ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆଜି ମହିଳା ଆଇପିଏଲ ପ୍ରଥମ ସଂସ୍କରଣର ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ । ଟ୍ରଫି ଟକ୍କରରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । 8ଟି ଲେଖାଏଁ ଲିଗ ମ୍ୟାଚ ଖେଳି ବିଜୟ ଓ ପରାଜୟ ପଥ ଅତିକ୍ରମ କରି WPL ଫାଇନାଲରେ ପହଞ୍ଚିଛନ୍ତି ହର୍ମନପ୍ରୀତ କୌରଙ୍କ ନେତୃତ୍ବଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ମେଗ ଲାନିଂଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । 24 ଦିନ ଧରି ଚାଲିଥିବା ମହିଳା ଆଇପିଏଲର ଆଜି ଶେଷ ମୁକାବିଲା । ପ୍ରଥମ ସଂସ୍କରଣ ବିଜେତା ହୋଇ ଇତିହାସ ରଚିବା ଲକ୍ଷ୍ୟରେ ରହିଛନ୍ତି ଦୁଇ ଦଳ । ରାତି 7ଟା 30ରେ ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ ଫାଇନାଲ ଫାଇଟ ।

ଉଭୟ ଦଳ ଲିଗ ପର୍ଯ୍ୟାୟରେ 8ଟି ଲେଖାଏଁ ମ୍ୟାଚ ଖେଳି 6ଟିରେ ବିଜୟ ହାସଲ କରିଥିବା ବେଳେ 2ଟି ଲେଖାଏଁ ମ୍ୟାଚରେ ପରାସ୍ତ ହୋଇଥିଲେ । 12 ପଏଣ୍ଟ ପାଇଁ ତାଲିକାରେ ଦିଲ୍ଲୀ ଶୀର୍ଷରେ ରହିଥିବାବେଳେ ମୁମ୍ବାଇ ଦ୍ବିତୀୟ ସ୍ଥାନରେ ରହିଥିଲା । ସମାନ ପଏଣ୍ଟ ପାଇଥିଲେ ସୁଦ୍ଧା ନେଟ ରନରେଟରେ ମୁମ୍ବାଇ ଦ୍ବିତୀୟ ସ୍ଥାନରେ ରହିଥିଲା । ୟୁପି ୱାରିୟର୍ଜକୁ ହରାଇ ପ୍ରଥମ ଦଳ ଭାବେ ଦିଲ୍ଲୀ ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା । ଏହାପରେ ମୁମ୍ବାଇ ଏଲିମିନେଟର ମ୍ୟାଚରେ ୟୁପିକୁ 72 ରନରେ ହରାଇ ଦ୍ବିତୀୟ ଦଳ ଭାବେ ଫାଇନାଲ ଟିକେଟ ହାତେଇଥିଲା । ଲିଗ ପର୍ଯ୍ୟାୟରେ ଦୁଇ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଥିଲେ ଆଜି ଫାଇନାଲ ମୁକାବିଲା ଜିତି ବିଜୟରେ WPL ପ୍ରଥମ ସଂସ୍କରଣ ଶେଷ କରିବା ଲକ୍ଷ୍ୟରେ ଦୁଇଦଳ କ୍ୟାପ୍ଟେନ ।

ମୁମ୍ବାଇର ସମସ୍ତ ବିଭାଗ ସନ୍ତୁଳିତ ରହିଛି । ନାତାଲି ସ୍କିଭର ବ୍ରଣ୍ଟ, ହେଲି ମାଥ୍ୟୁସ ଦିଲ୍ଲୀ ପାଇଁ ଚିନ୍ତାର କାରଣ ହୋଇପାରନ୍ତି । ଏଲିମିନେଟର ମୁକାବିଲାଲେ ନାତାଲି ସ୍କିଭର ବ୍ରଣ୍ଟ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ । ହେଲି ମାଥ୍ୟୁସ ମଧ୍ୟ ଭଲ ଫର୍ମରେ ରହିଛନ୍ତି । ବୋଲିଂରେ ଇସି ୟଙ୍ଗ ଓ ଆମେରିଆ କେର ମୁମ୍ବାଇ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ । ୟୁପି ବିପକ୍ଷ ଏଲିମିନିନେଟର ମୁକାବିଲାରେ ଇସି ୟଙ୍କ ହ୍ୟାଟ୍ରିକ ନେଇଥିଲେ ଯାହା WPLର ପ୍ରଥମ ହ୍ୟାଟ୍ରିକ ଥିଲା । ଅନ୍ୟପଟେ ଦିଲ୍ଲୀ ମଧ୍ୟ ମୁମ୍ବାଇକୁ କଡ୍ଡା ଲଢେଇ କରିବ । ନିର୍ଣ୍ଣାୟକ ଭୂମିକାରେ ଲାନିଂ, କାପ, କାପସେ ଓ ଜେମିମା ରୋଡ୍ରିଗ୍ସଙ୍କ ଦାୟିତ୍ବ ରହିବ ।

ଏହା ବି ପଢନ୍ତୁ...World Boxing Championship: ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ, ଚୀନର ୱାଙ୍ଗ ଲୀନାଙ୍କୁ ୩-୨ର ହରାଇଲେ ସ୍ବିଟି ବୁରା

ହେଡ ଟୁ ହେଡ: ମହିଳା ଆଇପିଏଲ ପ୍ରଥମ ସଂସ୍କରଣରେ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ 2ଟି ମ୍ୟାଚ ଖେଳାଯାଇଛି । ଆଜି ମୁକାବିଲା ତୃତୀୟ ମୁକାବିଲା ହେବ । ଲିଗର ପ୍ରଥମ ମ୍ୟାଚରେ ମୁମ୍ବାଇ 8 ୱିକେଟରେ ଦିଲ୍ଲୀକୁ ହାଇଥିଲା । ମାର୍ଚ୍ଚ 20 ତାରିଖରେ ଦ୍ବିତୀୟ ଲିଗ ମ୍ୟାଚରେ ଦିଲ୍ଲୀ ପ୍ରଥମ ପରାଜୟର ପ୍ରତିଶୋଧ ନେଇଥିଲା ।

ଟି-20 ବିଶ୍ବକପ ପ୍ରତିଶୋଧ ନେବେ କି ହର୍ମନପ୍ରୀତ: ଆଇସିସି ମହିଳା ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ମୁକାବିଲା ହୋଇଥିଲା । ଅଷ୍ଟ୍ରେଲିଆ କ୍ୟାପଟେନ ମେଗ ଲାନିଂ ଯିଏକି ଡବ୍ଲ୍ୟୁପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ନେଇଛନ୍ତି ଭାରତକୁ ପରାସ୍ତ କରିଥିଲେ । ହର୍ମନପ୍ରୀତ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା 5 ରନରେ ଭାରତ ପରାସ୍ତ ହୋଇଥିଲା । ଫଳରେ ଭାରତର ବିଶ୍ବକପ ଫାଇନାଲ ଖେଳିବା ସ୍ବପ୍ନ ଧୂଳିସାତ ହୋଇଥିଲା । ମହିଳା ଆଇପିଏଲରେ ମେଗ ଲାନିଂଙ୍କୁ ହରାଇ ବିଶ୍ବକପର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛନ୍ତି ହର୍ମନପ୍ରୀତ କୌର ।

ମୁମ୍ବାଇ ସାମ୍ଭାବ୍ୟ ସ୍କ୍ବଡ: ହର୍ମନପ୍ରୀତ କୌର, ନାତାଲି ସ୍କିଭର ବ୍ରଣ୍ଟ, ଆମେରିଆ କେର, ପୂଜା ବସ୍ତ୍ରାକାର, ୟସ୍ତିକା ଭାଟିଆ, ହିଥର ଗ୍ରାହମ, ଇସି ୟଙ୍ଗ, ଅମନଜୌତ କୌର, ଧାରା ଗୁଜର, ସାଇକା ଇସାକ, ହିଲି ମାଥ୍ୟୁସ, ସୋନମ ଯାଦବ, ନୀଲମ ବିଷ୍ଟି ।

ଦିଲ୍ଲୀ ସାମ୍ଭାବ୍ୟ ସ୍କ୍ବାଡ: ମେଗ ଲାନିଂ, ଜେମିମା ରୋଡ୍ରିଗ୍ସ, ଶେଫାଳି ବର୍ମା, ଆଲିସା କାପସେ, ରାଧା ଯାଦବ, ଶିଖା ପାଣ୍ଡେ, ମାରିଜନେ କାପ, ତାରା ନୋରିସ, ଲଉରା ହାରିସ, ଜସିଆ ଅଖତାର, ତାନିଆ ଭାଟିଆ, ଜେସ ଜୋନାସେନ, ଅରୁନ୍ଧତୀ ରେଡ୍ଡୀ, ଅପର୍ଣ୍ଣା ମଣ୍ଡଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.