ETV Bharat / sports

ବିଶ୍ବକପ୍‌ ୨୦୨୩: ୫ମରେ ବ୍ୟାଟିଂ କରି ରେକର୍ଡ, ରାହୁଲ୍‌ ଦ୍ରାବିଡ୍‌ଙ୍କୁ ପଛରେ ପକାଇଲେ କେଏଲ୍‌ ରାହୁଲ୍‌

author img

By ETV Bharat Odisha Team

Published : Nov 19, 2023, 11:06 PM IST

ରାହୁଲ୍‌ ଦ୍ରାବିଡ୍‌ଙ୍କୁ ପଛରେ ପକାଇଲେ କେଏଲ୍‌ ରାହୁଲ୍‌
ରାହୁଲ୍‌ ଦ୍ରାବିଡ୍‌ଙ୍କୁ ପଛରେ ପକାଇଲେ କେଏଲ୍‌ ରାହୁଲ୍‌

ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ରେ ଭାରତ ହାରିଥିବାବେଳେ ଭାରତୀୟ ଖେଳାଳି କିନ୍ତୁ ଅନେକ ଐତିହାସିକ ରେକର୍ଡ କରି ଯାଇଛନ୍ତି । ଏହି କ୍ରମରେ ୫ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ପ୍ରଥମ ଭାରତୀୟ ବ୍ୟାଟର ଭାବେ ୪୦୦ରୁ ଅଧିକା ସ୍କୋର କରିଛନ୍ତି ୱିକେଟ୍‌ କିପର-ବ୍ୟାଟର କେଏଲ୍‌ ରାହୁଲ । ଅଧିକ ପଢ଼ନ୍ତୁ

ଅହମ୍ମଦାବାଦ: ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ରେ ଭାଙ୍ଗିଛି କୋଟି କୋଟି ଭାରତୀୟଙ୍କ ସ୍ବପ୍ନ । ଟ୍ରଫି ନଜିତିଲେ ମଧ୍ୟ କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିଛି ଟିମ୍‌ ଇଣ୍ଡିଆ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦଳର ଖେଳାଳିମାନେ ଅନେକ ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି । ଏହି କ୍ରମରେ ଭାରତୀୟ ୱିକେଟ୍‌କିପର-ବ୍ୟାଟର କେଏଲ୍‌ ରାହୁଲ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । କୌଣସି ବିଶ୍ବକପ୍‌ରେ ପ୍ରଥମ ଭାରତୀୟ ବ୍ୟାଟର ଭାବେ ୫ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୪୦୦ରୁ ଅଧିକ ସ୍କୋର କରିଛନ୍ତି ରାହୁଲ । ଏହି ରେକର୍ଡ ପାଇଁ ସେ ପୂର୍ବତନ ଭାରତୀୟ କ୍ରିକେଟର ତଥା ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଛନ୍ତି ।

କେଏଲ୍‌ ରାହୁଲ ବିଶ୍ବକପ୍‌ ୨୦୨୩ରେ ୧୦ ଇନିଂସ୍‌ ଖେଳିଥିଲେ । ସେ ୫ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ଗୋଟିଏ ଶତକ ସମେତ ସେ ୪୫୨ ରନ୍‌ ସଂଗ୍ରହ କରିଛନ୍ତି । ଏହା ପୂର୍ବରୁ ୫ମ ସ୍ଥାନରେ ବ୍ୟାଟିଂ କରୁଥିବା କୌଣସି ଭାରତୀୟ ବ୍ୟାଟର ବିଶ୍ବକପ୍‌ର ଗୋଟିଏ ସଂସ୍କରଣରେ ୪୦୦ ରନ କରିନଥିଲେ । ରାହୁଲ ଦ୍ରାବିଡ୍‌ ପୂର୍ବରୁ ୯ ମ୍ୟାଚ୍‌ ଖେଳି ଗୋଟିଏ ସଂସ୍କରଣରେ ୩୫୫ ରନ କରିଥିଲେ । ଯାହା 5ମ ସ୍ଥାନରେ ବ୍ୟାଟିଂ କରୁଥିବା ଭାରତୀୟ ବ୍ୟାଟର ପାଇଁ ସର୍ବାଧିକ ଥିଲା । ଏହି ବିଶ୍ବକପ୍‌ରେ ନିଜ କୋଚ୍‌ଙ୍କୁ ପଛରେ ପକାଇ ୪୫୨ ରନ ସଂଗ୍ରହହ କରିଥିଲେ କେଏଲ୍‌ ରାହୁଲ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ପୁଣି ଭାଙ୍ଗିଲା କୋଟି ଭାରତୀୟଙ୍କ ସ୍ବପ୍ନ, ଟ୍ରଫି ଛଡ଼ାଇ ନେଲେ ଟ୍ରାଭିସ୍‌ ହେଡ୍‌

ସେହିଭଳି ଗୋଟିଏ ବିଶ୍ବକପ୍‌ ସଂସ୍କରଣରେ ୱିକେଟ୍‌ ପଛରେ ସର୍ବାଧିକ ୱିକେଟ୍‌ ନେବାରେ ମଧ୍ୟ ସେ ମହେନ୍ଦ୍ର ସିଂହ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ବିଶ୍ବକପ୍‌ ୨୦୨୩ରେ ରାହୁଲ୍‌ ୱିକେଟ୍‌ ପଛରେ ରହି ୧୭ ୱିକେଟ୍‌ ନେଇଛନ୍ତି (ଷ୍ଟମ୍ପିଂ ଓ କ୍ୟାଚ୍‌) । ପୂର୍ବରୁ ୨୦୧୫ ବିଶ୍ବକପ୍‌ରେ ପୂର୍ବତନ ଅଧିନାୟକ ଧୋନୀ ୧୫ ୱିକେଟ୍‌ ନେଇ ନିଜ ନାମରେ ଏହି ରେକର୍ଡ ରଖିଥିଲେ । ତେବେ ଚଳିତ ବିଶ୍ବକପ୍‌ରେ ୧୦ ଇନିଂସ ଖେଳି ୪୫୨ ରନ କରିଥିବା ୩୧ ବର୍ଷୀୟ ରାହୁଲ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ମଧ୍ୟ ଅପରାଜିତ ୯୭ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ସେ ଦଳକୁ ମ୍ୟାଚ୍‌ ଜିତାଇବାରେ ଏକ ପ୍ରମୁଖ ଭୂମିକା ନିଭାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.