ETV Bharat / sports

Cricket World Cup 2023: ଆଜି ଅଷ୍ଟ୍ରେଲିଆ ଓ ବାଂଲାଦେଶ ମୁକାବିଲା, ସେମିରେ ପ୍ରବେଶ ପାଇଁ ଲଢିବ ପାକ୍

author img

By ETV Bharat Odisha Team

Published : Nov 11, 2023, 10:50 AM IST

Cricket World Cup 2023
Cricket World Cup 2023

ଆଜି ବିଶ୍ବକପରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ବାଂଲାଦେଶ । ଅପରାହ୍ନରେ ପାକିସ୍ତାନ ଇଂଲଣ୍ଡ ମୁକାବିଲା । ଅଧିକ ପଢନ୍କୁ

ହାଇଦ୍ରାବାଦ: ଆଇସିସି ପୁରୁଷ ବିଶ୍ବକପରେ ଆଜି ରହିଛି ଦୁଇଟି ମ୍ୟାଚ । ପ୍ରଥମେ ଅଷ୍ଟ୍ରେଲିଆ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ । ଏହାପରେ ଅପରାହ୍ନରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯିବ । ଅଷ୍ଟ୍ରେଲିଆ ସେମିଫାଇନାଲକୁ ପ୍ରବେଶ କରିଥିଲେ ମଧ୍ୟ ଆଜିର ମ୍ୟାଚରେ ବିଜୟୀ ହେବାକୁ ଜୋରଦାର ଉଦ୍ୟମ କରିବ । ଏହି ମ୍ୟାଚରେ ବିଜୟୀ ହେଲେ ଦଳ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିବ । ବିଶ୍ବକପରେ ବର୍ତ୍ତମାନ ସୁଦ୍ଧା 8ଟି ମ୍ୟାଚ ଖେଳି 6ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ ।

ଅନ୍ୟପଟେ ବାଂଲାଦେଶ ଆଜି ବିଶ୍ବକପରେ ଶେଷ ମ୍ୟାଚ ଖେଳିବ । ଏହି ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ବିଜୟ ସହ ବିଶ୍ବକପରେ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଦଳ । ଚଳିତ ବିଶ୍ବକପ ଲିଗ ମ୍ୟାଚରେ ବାଂଲାଦେଶର ପ୍ରଦର୍ଶନ ନୌରାଶ୍ୟଜନକ ରହିଛି । ବର୍ତ୍ତମାନ ସୁଦ୍ଧା ମୋଟ 8ଟି ମ୍ୟାଚ ଖେଳି ଦଳ ମାତ୍ର 2ଟିରେ ବିଜୟୀ ହୋଇପାରିଛି । ଯାହାଫଳରେ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି ବାଂଲାଦେଶ ।

ଆଜି ବିଶ୍ବକପର ଶେଷ ଲିଗ ମ୍ୟାଚ ଖେଳି ନପାରନ୍ତି ଗ୍ଲେନ୍‌ ମ୍ୟାକ୍ସୱେଲ୍‌ । ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଆଜିର ମ୍ୟାଚରୁ ବାଦ ପଡିପାରନ୍ତି । ବାଂଲାଦେଶ ବିପକ୍ଷ ମ୍ୟାଚରେ ବିସ୍ଫୋରକ ପାଳି ଖେଳି ସେ ଦମଦାର ଦ୍ବିଶତକ ହାସଲ କରିଥଲେ । ଯଦି ସେ ଆଜିର ମ୍ୟାଚ ନଖେଳନ୍ତି ତାଙ୍କ ଅନୁପସ୍ଥିତି ଦଳ ଉପରେ ପ୍ରଭାବ ପକାଇପାରେ । ଅନ୍ୟପଟେ ଆଜିର ମ୍ୟାଚରେ ଦଳକୁ ଫେରିପାରନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ । ଅସୁସ୍ଥ ଥିବାରୁ ସେ ପୂର୍ବ ମ୍ୟାଚ ମଧ୍ୟ ଖେଳି ନଥିଲେ ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ଆଜି ବାଂଲାଦେଶ ବିପକ୍ଷ ମ୍ୟାଚ ଖେଳିବେନି ମ୍ୟାକ୍ସୱେଲ୍‌ !

ଅପରାହ୍ନରେ ଇଡେନ ଗାର୍ଡେନରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପାକିସ୍ତାନ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ପାକିସ୍ତାନ ସେମିଫାଇନାଲକୁ ଯିବ ନା ନାହିଁ ତାହା ଆଜିର ମ୍ୟାଚ ହିଁ ନିର୍ଣ୍ଣୟ କରିବ । କାରଣ ସେମିଫାଇନାଲ ରେସ୍‌ରେ ରହିବାକୁ ହେଲେ ଆଜିର ମ୍ୟାଚ୍‌ରେ ଇଂଲଣ୍ଡକୁ 287 ରନରେ ପରାସ୍ତ କରିବାକୁ ପଡ଼ିବ । କିମ୍ବା ଟାର୍ଗେଟ୍‌ର ପିଛା କରି ପ୍ରାୟ ୩ ଓଭରରେ ବିଜୟ ହାସଲ କରିବାକୁ ହେବ । ଯାହା ପ୍ରାୟତଃ ଅସମ୍ଭବ । କିନ୍ତୁ ଆଜିର ମ୍ୟାଚରେ ବିଜୟୀ ହେବାକୁ ଦଳ ସବୁ ପ୍ରକାର ଚେଷ୍ଟା କରିବ ବୋଲି କହିଛନ୍ତି ପାକ୍ ଅଧିନାୟକ ବାବର ଆଜମ । ଏଥିସହ ଚମ୍ପିଆନ୍ତ ଟ୍ରଫି ଯୋଗ୍ୟତା ଅର୍ଜନ କରିବାକୁ ଦଳ ଲକ୍ଷ୍ୟ ରଖିଛି ।

ଦଳ ଗୁଡିକର ପଏଣ୍ଟ ଓ ନେଟ ରନ ରେଟକୁ ଦୃଷ୍ଟିରେ ରଖି କେଉଁ ଦଳ ସେମିକୁ ଯିବ ତାହା ସ୍ଥିର ହୋଇଥାଏ । ବର୍ତ୍ତମାନ ସୁଦ୍ଧା ପାକିସ୍ତାନ 8ଟି ମ୍ୟାଚରୁ 4ଟିରେ ବିଜୟୀ ହୋଇ 8 ପଏଣ୍ଟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ସେହିପରି ନେଟ ରନ ରେଟ +0.036 ରହିଛି । ଅନ୍ୟପଟେ ନ୍ୟୁଜିଲାଣ୍ଡର ନେଟ ରନ ରେଟ +0.743 ରହିଛି । ଯଦି ଆଜିର ମ୍ୟାଚ ବିଜୟୀ ହୁଏ ତେବେ ପାକ 10 ପଏଣ୍ଟ ହାସଲ କରିବା ସହ ନେଟ ରନ ରେଟରେ ମଧ୍ୟ ପଛରେ ପକାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.