ETV Bharat / sports

ଘରୋଇ ସିଜିନରୁ ଆଉଟ୍‌ ସୂର୍ଯ୍ୟକୁମାର ଯାଦବ, ଆଇପିଏଲ୍‌ ଖେଳିବା ନେଇ ଆଶଙ୍କା

author img

By ETV Bharat Odisha Team

Published : Jan 10, 2024, 6:55 AM IST

Suryakumar Yadav: ଭାରତୀୟ ବିସ୍ଫୋରକ ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ସ୍ପୋର୍ଟ୍ସ ହାର୍ନିଆରେ ପୀଡ଼ିତ ଅଛନ୍ତି । ଏଭଳି ସ୍ଥିତିରେ ସେ ଚଳିତ ବିସିସିଆଇର ଘରୋଇ ରଣଜୀ ସିଜିନ୍‌ରୁ ସମ୍ପୂର୍ଣ୍ଣ ବାଦ ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଆଗକୁ ଆଇପିଏଲ୍‌ ଓ ବିଶ୍ବକପ୍‌ ଥିବାରୁ ଚିନ୍ତାରେ ବିସିସିଆଇ । ଅଧିକ ପଢ଼ନ୍ତୁ

ଘରୋଇ ସିଜିନ୍‌ରୁ ଆଉଟ୍‌ ସୂର୍ଯ୍ୟକୁମାର ଯାଦବ
ଘରୋଇ ସିଜିନ୍‌ରୁ ଆଉଟ୍‌ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ: ଭାରତୀୟ ଦଳର ଚିନ୍ତା ବଢ଼ାଇଛନ୍ତି ଷ୍ଟାର ବ୍ୟାଟର ସୂର୍ଯ୍ୟ କୁମାର ଯାଦବ । ଆଗକୁ ଆସୁଛି ଆଇପିଏଲ୍‌, ଏହାପରେ ଆଇସିସି ଟି20 ବିଶ୍ବକପ୍‌ 2024 ପାଇଁ ବିଗୁଲ ମଧ୍ୟ ବାଜି ସାରିଲାଣି । ହେଲେ ଏହାରି ଭିତରେ ସୂର୍ଯ୍ୟ କୁମାର ଯାଦବଙ୍କ ସ୍ବାସ୍ଥ୍ୟ ସମସ୍ୟା ଗମ୍ଭୀର ହୋଇପଡ଼ିଛି । ଯାହାକୁ ନେଇ ବିସିସିଆଇ ଓ ଚୟନକର୍ତ୍ତାଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ । ସ୍ପୋର୍ଟ୍ସ ହାର୍ନିଆ ଜନିତ ସମସ୍ୟାରେ ଏବେ ପୀଡ଼ିତ ଅଛନ୍ତି ଏହି ଟି20 ଷ୍ଟାର ବ୍ୟାଟର । ଏଭଳି ସ୍ଥିତିରେ ସେ ଚଳିତ ବିସିସିଆଇର ଘରୋଇ ରଣଜୀ ସିଜିନ୍‌ରୁ ସମ୍ପୂର୍ଣ୍ଣ ବାଦ ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଛି । ତେବେ ସୂର୍ଯ୍ୟ କୁମାରଙ୍କ ଆଇପିଏଲ୍‌ ଖେଳିବା ନେଇ ମଧ୍ୟ ଆଶଙ୍କା ଉପୁଜିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିସିସିଆଇର ଜଣେ ଅଧିକାରୀ ନିଜର ପରିଚୟ ଗୋପନ ରଖି ଏଭଳି ସୂଚନା ଦେଇଛନ୍ତି । ଏହି ସୂଚନା ଅନୁସାରେ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ସୂର୍ଯ୍ୟ କୁମାର ଯାଦବଙ୍କ ଚିକିତ୍ସା ଚାଲିଛି । ତାଙ୍କର ଗୋଇଠିରେ ଲାଗିଥିବା ଆଘାତ ସମ୍ପୂର୍ଣ୍ଣ ଭଲ ହୋଇନଥିବା ବେଳେ ନିକଟରେ ତାଙ୍କର ସ୍ପୋର୍ଟ୍ସ ହାର୍ନିଆ ହୋଇଥିବା ଜଣାପଡ଼ିଛି । ଏଭଳି ସ୍ଥିତିରେ ତାଙ୍କର ସର୍ଜରୀ ନିହାତି ଆବଶ୍ୟକ । ଏଥିପାଇଁ ଆଗାମୀ 2ରୁ 3 ଦିନ ମଧ୍ୟରେ ଜର୍ମାନୀ ଗସ୍ତ କରିବେ ସୂର୍ଯ୍ୟ କୁମାର ଯାଦବ । ଜର୍ମାନୀର ମ୍ୟୁନିକ୍‌ରେ ତାଙ୍କର ଏହି ହାର୍ନିଆ ଅସ୍ତ୍ରୋପଚାର କରାଯିବ । ଏହି ଖବର ଅନୁସାରେ ସେ ଚଳିତ ରଣଜୀ ସିଜିନ୍‌ରେ ମୁମ୍ବାଇ ପକ୍ଷରୁ ଖେଳିବାରୁ ବଞ୍ଚିତ ହେବା ଏକ ପ୍ରକାର ନିଶ୍ଚିତ ।

ଏହା ମଧ୍ୟ ପଢ଼ନ୍ତୁ...ଅଫଗାନିସ୍ତାନ ବିପକ୍ଷ ଟି୨୦ ଦଳ ଘୋଷିତ, ଫେରିଲେ ରୋହିତ-କୋହଲି

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଗକୁ ଆଇପିଏଲ୍‌ ଓ ଏହା ପରେ ପରେ ଆଇସିସି ଟି20 ବିଶ୍ବକପ୍‌ 2024 ଖେଳାଯିବ । ଏଥିପାଇଁ କ୍ରୀଡ଼ାସୂଚୀ ମଧ୍ୟ ଘୋଷଣା କରିସାରିଛି ଆଇସିସି । ଟି20 ଫର୍ମାଟ୍‌ରେ ଭାରତକୁ ସୂର୍ଯ୍ୟ କୁମାରଙ୍କ ଭଳି ବିସ୍ଫୋରକ ଖେଳାଳିଙ୍କର ନିହାତି ଆବଶ୍ୟକ । ହେଲେ ଏବେ ତାଙ୍କର ଉପସ୍ଥିତି ନେଇ ଆଶଙ୍କା ଉପୁଜିଛି । ଯାହାକୁ ନେଇ ଚିନ୍ତାରେ ବିସିସିଆଇ ଓ ଚୟନକର୍ତ୍ତା । ପ୍ରକାଶଯୋଗ୍ୟ, ଗତ ଦକ୍ଷିଣ ଆଫ୍ରକା ଗସ୍ତ ବେଳେ ସୂର୍ଯ୍ୟ କୁମାରଙ୍କ ଗୋଇଠିରେ ଆଘାତ ଲାଗିଥିଲା । ଫଳରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଟି20 ଶୃଙ୍ଖଳା ପାଇଁ ତାଙ୍କୁ ଚୟନ କରାଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.