ETV Bharat / sports

Asia Cup 2023: ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର, ଅପେକ୍ଷାରେ ଅନେକ ରେକର୍ଡ

author img

By ETV Bharat Odisha Team

Published : Aug 27, 2023, 10:01 PM IST

ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର
ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର

ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳି ଏସିଆ କପ୍‌ ଅଭିଯାନ ଆରମ୍ଭ କରିବ ଭାରତ । ତେବେ ଏଥର ଏସିଆ କପ୍‌ ଦିନିକିଆ ଫର୍ମାଟ୍‌ରେ ଖେଳାଯିବାକୁ ଥିବାବେଳେ ଏଥିରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ରହିବ ସମସ୍ତଙ୍କ ନଜର । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି ଏସୀୟ କ୍ରିକେଟ୍‌ର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ଏସିଆ କପ୍‌ ୨୦୨୩ । ସେପ୍ଟେମ୍ବର ୨ରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ନିଜର ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ସମସ୍ତ ପ୍ରଶଂସକ ଉତ୍ସାହର ସହିତ ଏହାକୁ ଅପେକ୍ଷା କରିଛନ୍ତି । ଚଳିତ ଥର ଦିନିକିଆ ଫର୍ମାଟ୍‌ରେ ଖେଳାଯିବ ଏସିଆ କପ୍‌ । ତେବେ ଏଥର ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବାବେଳେ ଏଥିରେ ରୋହିତ ଶର୍ମାଙ୍କ ରେକର୍ଡ ମଧ୍ୟ ଚମତ୍କାର ।

ଦ୍ବିତୀୟ ସର୍ବାଧିକ ରନ ସଂଗ୍ରହକାରୀ ଭାରତୀୟ ବ୍ୟାଟର: ଭାରତୀୟ ଅଧିନାୟକ ରୋହିତ ଶର୍ମା ଏସିଆ କପ୍‌ରେ ଦ୍ବିତୀୟ ସର୍ବାଧିକ ରନ ସଂଗ୍ରହକାରୀ ଭାରତୀୟ ବ୍ୟାଟର । ଏହି ପ୍ରତିଯୋଗିତାରେ ୨୨ ମ୍ୟାଚ୍‌ ଖେଳି ରୋହିତ ୪୬.୫୬ ହାରରେ ସମୁଦାୟ ୭୪୫ ରନ ସଂଗ୍ରହ କରିଛନ୍ତି । ଏଥିରେ ତାଙ୍କ ନାଁରେ ଗୋଟିଏ ଶତକ ଓ ୬ ଅର୍ଦ୍ଧଶତକ ସାମିଲ ରହିଛି । ତେବେ ରୋହିତ ଶର୍ମାଙ୍କ ଆଗରେ କେବଳ ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ରହିଛନ୍ତି । ସଚିନ ଏସିଆ କପ୍‌ରେ ୨୩ ମ୍ୟାଚ୍‌ ଖେଳି ୯୭୧ ରନ ସଂଗ୍ରହ କରିଥିଲେ । ତେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଏହି ରେକର୍ଡ ଭାଙ୍ଗିବା ପାଇଁ ହିଟ୍‌ମ୍ୟାନ୍‌ଙ୍କୁ ଆଉ ମାତ୍ର ୨୨୬ ରନର ଆବଶ୍ୟକତା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: କିଛିଦିନ ପରେ ଟକ୍କର, କୋହଲିଙ୍କୁ ନିଜର ଆଦର୍ଶ କହିଲେ ପାକିସ୍ତାନୀ କ୍ରିକେଟର

ଧୋନୀଙ୍କ ରେକର୍ଡ ଭାଙ୍ଗିବାକୁ ଲକ୍ଷ୍ଯ: ଏହି ପ୍ରତିଯୋଗିତାରେ ଭାରତର ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନୀଙ୍କ ରେକର୍ଡ ମଧ୍ୟ ଭାଙ୍ଗିବା ଲକ୍ଷ୍ୟରେ ରହିବେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା । ଏସିଆ କପ୍‌ ଇତିହାସରେ ଅଧିନାୟକ ଭାବେ ସବୁଠାରୁ ଅଧିକ ରନ ସଂଗ୍ରହ କରିବାର ରେକର୍ଡ ଏବେ ଧୋନୀଙ୍କ ନାଁରେ ରହିଛି । ଅଧିନାୟକ ଭାବେ ସେ ୧୪ ମ୍ୟାଚ୍‌ ଖେଳି ୫୭୯ ରନ କରିଛନ୍ତି । ଅନ୍ୟପଟେ ଅଧିନାୟକ ଭାବେ ଏସିଆ କପ୍‌ରେ ୫ ମ୍ୟାଚ୍‌ ଖେଳିଥିବା ରୋହିତ ଶର୍ମା ୩୧୭ ରନ ସହିତ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି । ତେବେ ଏଥର ଏସିଆ କପ୍‌ରେ କେବଳ ୨୬୨ ରନ ସଂଗ୍ରହ କରିବା କ୍ଷଣି ଧୋନୀଙ୍କ ରେକର୍ଡ ଭାଙ୍ଗି ସର୍ବାଧିକ ରନ ସଂଗ୍ରହକାରୀ ଅଧିନାୟକ ବନିଯିବେ ରୋହିତ ଶର୍ମା ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ପାକିସ୍ତାନ ଯିବେ ରୋଜର ବିନ୍ନି ଓ ରାଜୀବ ଶୁକ୍ଳା

୧୦ ହଜାର କ୍ଲବ୍‌ରେ ସାମିଲ ହେବେ: ଚଳିତ ଥର ଏସିଆ କପ୍‌ ଦିନିକିଆ ଫର୍ମାଟ୍‌ରେ ଖେଳାଯିବ । ଏଥିପାଇଁ ଏସିଆ କପ୍‌ ମଧ୍ୟରେ ଦିନିକିଆ କ୍ୟାରିୟରରେ ୧୦ ହଜାର ରନ ସଂଗ୍ରହ କରିବା ଲକ୍ଷ୍ୟରେ ରହିବେ ଭାରତୀୟ ଅଧିନାୟକ । ରୋହିତ ଶର୍ମା ଏବେ ପର୍ଯ୍ୟନ୍ତ ୨୪୪ ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ୪୮.୬୯ ହାରରେ ସମୁଦାୟ ୯୮୩୭ ରନ ସଂଗ୍ରହ କରିଛନ୍ତି । ତେଣୁ ଦିନିକିଆ କ୍ରିକେଟ୍‌ରେ ୧୦ ହଜାର କ୍ଲବ୍‌ରେ ସାମିଲ ହେବାପାଇଁ ରୋହିତ୍‌ଙ୍କୁ ଆଉ ମାତ୍ର ୧୬୩ ରନର ଆବଶ୍ୟକତା ରହିଛି । ତେବେ ଯଦି ରୋହିତ ଦିନିକିଆରେ ନିଜର ୧୦ ହଜାର ରନ ପୂରଣ କରିଦିଅନ୍ତି, ତେବେ ଏଭଳି ଉପଲବ୍ଧି ହାସଲ କରିବାରେ ସେ ଷଷ୍ଠ ଭାରତୀୟ ଖେଳାଳି ହୋଇଯିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.