ETV Bharat / sports

ଦିନିକିଆ ବିଶ୍ୱକପ ଖେଳିବାକୁ ଆସିବ ତ ପାକିସ୍ତାନ ? ସନ୍ଦେହ ବଢ଼ାଇଲା ପିସିବି ଅଧ୍ୟକ୍ଷଙ୍କ ବୟାନ

author img

By

Published : Jun 18, 2023, 10:08 PM IST

ଦିନିକିଆ ବିଶ୍ୱକପ ଖେଳିବାକୁ ଆସିବ ତ ପାକିସ୍ତାନ ?
ଦିନିକିଆ ବିଶ୍ୱକପ ଖେଳିବାକୁ ଆସିବ ତ ପାକିସ୍ତାନ ?

ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ରେ ପାକିସ୍ତାନର ଅଂଶଗ୍ରହଣ ନେଇ ଦ୍ବନ୍ଦ୍ବ ବଢ଼ାଇଲା ପିସିବି । ଏନେଇ କେବଳ ସରକାର ନିଷ୍ପତ୍ତି ନେଇ ପାରିବେ ବୋଲି କହିଛନ୍ତି ପିସିବି ଅଧ୍ୟକ୍ଷ ନଜମ ସେଠୀ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଚଳିତ ବର୍ଷ ଏସିଆ କପ୍‌କୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଦ୍ବନ୍ଦ୍ବରେ ପୂର୍ଣ୍ଣଚ୍ଛେଦ ପଡିଛି । ଏସିସିର ହାଇବ୍ରିଡ ମଡେଲକୁ ସମସ୍ତେ ସହମତି ଦେବାପରେ, ଶ୍ରୀଲଙ୍କା ଓ ପାକିସ୍ତାନ୍‌ରେ ଏସିଆ କପ୍ ଆୟୋଜନ ହେବା ନିଶ୍ଚିତ ହୋଇଛି । ତେବେ ଏସିଆ କପ୍‌ ପାଇଁ ରାସ୍ତା ଖୋଲିଯିବା ପରେ ଏବେ ଦିନିକିଆ ବିଶ୍ବକପ ଆୟୋଜନ ପୂର୍ବରୁ କେଁ ପୂରାଇଛି ପାକିସ୍ତାନ । ଭାରତରେ ଚଳିତ ବର୍ଷ ଦିନିକିଆ ବିଶ୍ବକପ ଆୟୋଜିତ ହେବାକୁ ଥିବାବେଳେ ଏଥିରେ ପାକିସ୍ତାନର ଅଂଶ ଗ୍ରହଣ ନେଇ ବଡ ବୟାନ ଦେଇଛନ୍ତି ପିସିବି ଅଧ୍ୟକ୍ଷ ନଜମ ସେଠୀ ।

ଏସିଆ କପ୍‌ ୨୦୨୩ ପାକିସ୍ତାନ୍‌ରେ ଆୟୋଜିତ ହେବାର ଥିଲା । ହେଲେ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଦଳ ପାକିସ୍ତାନକୁ ଯାତ୍ରା କରିବନି ବୋଲି ବିସିସିଆଇ ସ୍ପଷ୍ଟ କରିଥିଲା । ଏହାପରଠାରୁ ଆରମ୍ଭ ହୋଇଥିଲା ଦ୍ବନ୍ଦ୍ବ । ଏପରିକି ଯଦି ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଆୟୋଜନ ହୁଏ, ତେବେ ବିସିସିଆଇ ଏଥିରେ ଅଂଶଗ୍ରହଣ ପରିବର୍ତ୍ତେ ଏକାଧିକ ଦେଶକୁ ନେଇ ଅନ୍ୟ ଏକ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପ୍ରସ୍ତୁତ ହୋଇଥିଲା । ସେପଟେ ଭାରତ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ନଆସିଲେ, ପାକିସ୍ତାନ ମଧ୍ୟ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ରୁ ବିରତ ରହିବ ବୋଲି କହିଥିଲା । ହେଲେ ହାଇବ୍ରିଡ ମଡେଲକୁ ସମସ୍ତ ସଦସ୍ୟ ବୋର୍ଡ ମଞ୍ଜୁରୀ ଦେବାପରେ ଦିନିକିଆ ବିଶ୍ବକପକୁ ନେଇ କୌଣସି ଦ୍ବନ୍ଦ୍ବ ରହିବନି ବୋଲି କୁହାଯାଉଥିଲା । କିନ୍ତୁ ପିସିବି ଅଧ୍ୟକ୍ଷ ନଜମ ସେଠୀ ଭାରତରେ ହେବାକୁ ଥିବା ବିଶ୍ବକପରେ ପାକିସ୍ତାନ ଭାଗ ନେଇପାରିବ କି ନାହିଁ ତାହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ଯାହା କ୍ରିକେଟ୍‌ ପ୍ରେମୀଙ୍କୁ କିଛିମାତ୍ରାରେ ନିରାଶ କରିଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ନଜମ କହିଛନ୍ତି, "ଟିମ୍ କେଉଁ ଦେଶକୁ ଖେଳିବାକୁ ଯିବ କି ନାହିଁ ତାହା ସରକାରଙ୍କ ମଞ୍ଜୁରୀ ଅଧୀନ । ପାକିସ୍ତାନ ଓ ଭାରତ ମ୍ୟାଚକୁ ନେଇ ପିସିବି କିମ୍ବା ବିସିସିଆଇ ନିଷ୍ପତ୍ତି ନେଇପାରିବେ ନାହିଁ । କାରଣ ଉଭୟ ଦେଶ କେଉଁଠାରେ ଖେଳିବେ ତାହାର ନିଷ୍ପତ୍ତି ସରକାର ହିଁ ନେଇଥାନ୍ତି । ତେଣୁ ଏହି ମାମଲାରେ ମଧ୍ୟ ସରକାର ହିଁ ଶେଷ ନିଷ୍ପତ୍ତି ନେବେ । କାରଣ ଯେତେବେଳେ ପାକିସ୍ତାନରେ ଭାରତ ଖେଳିବା ନେଇ କଥା ଉଠେ, ସେତେବେଳେ ତାହା ଭାରତ ସରକାର ସ୍ଥିର କରନ୍ତି । ତେଣୁ ଆମକୁ ପଚାରିବାର ଆବଶ୍ୟକତା ନାହିଁ ଯେ, ଆମ ଟିମ୍ ଭାରତ ଯାଇ ଅହମ୍ମଦାବାଦରେ ଖେଳିବ କି ନାହିଁ । ସମୟ ଆସିଲେ ଏହା ମଧ୍ୟ ସ୍ପଷ୍ଟ ହେବ ।" ବିଶ୍ବକପ୍‌ ପୂର୍ବରୁ ନଜମଙ୍କ ଏଭଳି ବୟାନ ଏବେ ଆଇସିସି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.