ETV Bharat / sports

T20 World Cup: ପାକିସ୍ତାନର ସେମି ଆଶା ଉଜ୍ଜିବୀତ, ହାରିଲା ଦକ୍ଷିଣ ଆଫ୍ରିକା

author img

By

Published : Nov 3, 2022, 6:21 PM IST

Pakistan clinched win against South Africa to keep semi final hopes alive
T20 World Cup: ପାକିସ୍ତାନର ସେମି ଆଶା ଉଜ୍ଜିବୀତ, ୩୩ ରନ୍‌ରେ ହାରିଲା ଦକ୍ଷିଣ ଆଫ୍ରିକା

ପାକିସ୍ତାନ ନିଜର ଚତୁର୍ଥ ଲିଗ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୩୩ ରନ୍‌ରେ ମାତ୍‌ ଦେଇଛି । ଯାହାଫଳରେ ପାକିସ୍ତାନର ସେମି ଫାଇନାଲ ଖେଳିବା ଆଶା ଉଜ୍ଜିବୀତ ରହିଛି । ଅଧିକ ପଢ଼ନ୍ତୁ

ସିଡନୀ: ଚଳିତ ଟି୨୦ ବିଶ୍ବକପରେ ପାକିସ୍ତାନ ନିଜର ଚତୁର୍ଥ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୩୩ ରନ୍‌ରେ ମାତ୍‌ ଦେଇଛି । ଫଳରେ ସେମି ଫାଇନାଲ ଖେଳିବା ଆଶା ଉଜ୍ଜିବୀତ ରଖିଛି ମେନ୍‌ ଇନ ଗ୍ରୀନ । ବର୍ଷାବାଧାପ୍ରାପ୍ତ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ପାଳି ଆରମ୍ଭରୁ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ପ୍ରଥମ ଓଭରରେ ହିଁ ଓପନର ମହମ୍ମଦ ରିଜୱାନ୍‌ ମାତ୍ର ୪ ରନ୍‌ କରି ପାଭିଲିୟନ ଫେରିଥିଲେ ।

ଏହାପରେ ମହମ୍ମଦ ହାରିସ ଓ ଅଧିନାୟକ ବାବର ଆଜମ ପାଳି ସମ୍ଭାଳିଥିଲେ । ତେବେ ପ୍ରାରମ୍ଭରୁ ଦକ୍ଷିଣ ଆଫ୍ରିକା ବୋଲର ଶୃଙ୍ଖଳିତ ବୋଲିଂ କରିଥିଲେ । ଯାହାଫଳରେ ପାକିସ୍ତାନର ଟପ୍‌ ଅର୍ଡର ବ୍ୟାଟର ଧରାଶାୟୀ ହୋଇଥିଲେ । ମାତ୍ର ୪୩ ରନ୍‌ ଦଳୀୟ ସ୍କୋର୍‌ ବେଳେ ପାକିସ୍ତାନ ୪ଟି ୱିକେଟ ହରାଇଥିଲା । ଏହାପରେ ଇଫ୍‌ତିଖାର୍‌ ଅହମ୍ମଦ ଗୋଟିଏ ପଟେ ବଡ଼ ସଟ୍‌ ଖେଳିବା ଆରମ୍ଭ କରିଥିଲେ । ଏହାରି ମଧ୍ୟରେ ମହମ୍ମଦ ନୱାଜ୍‌ ମଧ୍ୟ ବଡ଼ ସଟ୍‌ ଖେଳିବା ଆଶାରେ ୱିକେଟ ହରାଇଥିଲେ । ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲ ଅଲରାଉଣ୍ଡର ସଦାବ ଖାନ୍‌ । ସଦାବ ଓ ଇଫ୍‌ତିଖାର୍‌ ମଧ୍ୟରେ ଶେଷ ବେଳକୁ ୩୬ ବଲ୍‌ରେ ୮୫ ରନ୍‌ର ଭାଗିଦାରୀ ହୋଇଥିଲା । ଯାହାଫଳରେ ପାକିସ୍ତାନର ଦଳୀୟ ସ୍କୋର୍‌ ୧୮୫ ରନ୍‌ରେ ପହଞ୍ଚିଥିଲା । ସଦାବ ଖାନ୍‌ ୨୦ ବଲ୍‌ରୁ ଦ୍ରୁତ ଅର୍ଦ୍ଧ ଶତକ ହାସଲ କରିଥିଲେ ।

୧୮୬ ରନ୍‌ ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଓଭରରେ ହିଁ କ୍ବିଣ୍ଟନ ଡିକକ୍‌ଙ୍କ ୱିକେଟ ହରାଇଥିଲା । ପାକିସ୍ତାନର ଆକ୍ରାମକ ପେସ ଆଟାକ୍‌ ଆଗରେ ତିଷ୍ଟି ପାରିନଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟର । ଅଧିକ ତେମ୍ବା ବଭୁମା କେତେକ ବଡ଼ ସଟ୍‌ ଖେଳିଥିଲେ । ତେବେ ସେ ବଡ଼ ସ୍କୋର୍‌ କରିବାରେ ଅସମର୍ଥ ରହିଥିଲେ । ୯ ଓଭରରେ ୬୬ ରନ୍‌ କରି ୪ଟି ୱିକେଟ ହରାଇ ମ୍ୟାଚ୍‌ରେ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା ଦକ୍ଷିଣ ଆଫ୍ରିକା । ସେହି ସମୟରେ ବର୍ଷା ଆରମ୍ଭ ହୋଇଥିଲା ।

ବର୍ଷା ଯୋଗୁଁ DL ନିୟମ ଅନୁଯାୟୀ ଦକ୍ଷିଣ ଆଫ୍ରିକାକୁ ୧୪ ଓଭରରେ ୧୪୨ ରନ୍‌ ଟାର୍ଗେଟ ମିଳିଥିଲା । ପାକିସ୍ତାନର ମାମଚୁପ ବୋଲିଂ ସମ୍ମୁଖରେ ଦକ୍ଷିଣ ଆଫ୍ରିକା ବ୍ୟାଟର ବଡ ସଟ୍‌ ଖେଳିବାକୁ ସଂଘର୍ଷ କରିଥିଲେ । ଦକ୍ଷିଣ ଆଫ୍ରିକାର ୭ଜଣ ବ୍ୟାଟର ଦୁଇ ଅଙ୍କ ସ୍କୋର୍‌ରେ ପହଞ୍ଚି ପାରିନଥିଲେ । ଅଧିନାୟକ ତେମ୍ବା ବଭୁମା ସର୍ବାଧିକ ୩୬ ରନ୍‌ କରିଥିଲେ ।

ଏହି ବିଜୟ ସହ ପାକିସ୍ତାନର ସେମିଫାଇନାଲ ଖେଳିବା ଆଶା ଉଜ୍ଜିବୀତ ରହିଛି । ଦକ୍ଷିଣ ଆଫ୍ରିକା ତାର ପରବର୍ତ୍ତୀ ମ୍ୟାଚ୍‌ରେ ପରାଜିତ ହେଲେ କିମ୍ବା ଭାରତ ତାର ପରବର୍ତ୍ତୀ ମ୍ୟାଚ୍‌ରେ ପରାଜିତ ହେଲେ ପାକସ୍ତାନ ପାଇଁ ସେମି ଖେଳିବା ସମୀକରଣ ତିଆରି ହୋଇପାରେ । ତେବେ ଏଥିପାଇଁ ପାକିସ୍ତାନକୁ ବାଂଲାଦେଶ ବିପକ୍ଷରେ ଖେଳିବାକୁ ଥିବା ତାର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଜିତିବାକୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.