ETV Bharat / sports

IPL 2023 RCB vs MI: ଡୁପ୍ଲେସିସ୍‌-କୋହଲିଙ୍କ ଧୂଆଁଧାର ପାଳି, ୮ ୱିକେଟରେ MIକୁ ମାତ ଦେଲା RCB

author img

By

Published : Apr 3, 2023, 12:21 AM IST

୮ ୱିକେଟରେ MIକୁ ମାତ ଦେଲା RCB
୮ ୱିକେଟରେ MIକୁ ମାତ ଦେଲା RCB

ଆଇପିଏଲ ୨୦୨୩ର ପଞ୍ଚମ ମ୍ୟାଚ୍‌ରେ ମୁମ୍ବାଇକୁ ୮ ୱିକେଟରେ ହରାଇଛି ବାଙ୍ଗାଲୋର । ୧୬.୨ ଓଭରରେ କେବଳ ୨ ୱିକେଟ ହରାଇ ୧୭୨ ରନର ବିଜୟ ଲକ୍ଷ୍ୟରେ ପହଞ୍ଚିବା ସହିତ ବିଜୟରୁ ଆଇପିଏଲ ଅଭିଯାନ କରିଛି ଆରସିବି । ଅଧିକ ପଢ଼ନ୍ତୁ

ବେଙ୍ଗାଲୁରୁ: ଆଇପିଏଲ ୨୦୨୩ର ପଞ୍ଚମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୮ ୱିକେଟରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ମୁମ୍ବାଇ ତିଲକ ବର୍ମାଙ୍କ ୮୪ ରନର ଧୂଆଁଧାର ପାଳି ବଳରେ ୧୭୧ ରନରେ ପହଞ୍ଚିଥିଲା । କିନ୍ତୁ ମ୍ୟାଚ୍‌ ଜିତିବା ପାଇଁ ଏହି ରନ ପର୍ଯ୍ୟାପ୍ତ ନଥିଲା । ୧୬.୨ ଓଭରରେ କେବଳ ୨ ୱିକେଟ ହରାଇ ୧୭୨ ରନର ବିଜୟ ଲକ୍ଷ୍ୟ ହାସଲ କରିନେଇଛି ଆରସିବି । ଆଜିର ମ୍ୟାଚ୍‌ରେ ବିରାଟ କୋହଲିଙ୍କ ସମେତ ଦଳର ଅଧିନାୟକ ଫାଫ ଡୁପ୍ଲେସିସଙ୍କ ଦମଦାର ପାଳି ଦେଖିବାକୁ ମିଳିଥିଲା ।

ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ । ତେବେ ପ୍ରଥମେ ବ୍ୟାଟିଂ କରିବାକୁ ଆସି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ରୋହିତ ବାହିନୀ । ଦଳୀୟ ସ୍କୋର ମାତ୍ର 11 ରନ ହୋଇଥିବା ବେଳେ ଇଶାନ କିଶାନଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ସିରାଜ । ବଡ଼ ସଟ ଖେଳିବା ପ୍ରଚେଷ୍ଟାରେ ସେ ହର୍ଷଲ ପଟେଲଙ୍କ ହାତରେ ଧରା ପଡ଼ିଥିଲେ । ଏହାପରେ କ୍ୟାମେରନ ଗ୍ରୀନ ମଧ୍ୟ ବେଶି ସମୟ ପିଚରେ ବିତାଇ ପାରିନଥିଲେ। ସେ ମାତ୍ର 5 ରନ କରି ପାରିଥିଲେ। ଅଧିନାୟକ ରୋହିତ ଶର୍ମା ମଧ୍ୟ ଆଜି ସଂଘର୍ଷ କରୁଥିବା ନଜର ଆସିଥିଲେ । ସେ 10 ବଲ ଖେଳି ମାତ୍ର 1 ରନ ହିଁ କରି ପାରିଥିଲେ। ଦଳ ପକ୍ଷରୁ କେବଳ ତିଲକ ବର୍ମା ହିଁ ବଡ଼ ସଟ ଖେଳିବା ସହ ଅର୍ଦ୍ଧ ଶତକ ପୂରଣ କରିଥିଲେ। ସେ 46 ବଲ ଖେଳି 84 ରନ କରି ଅପରାଜିତ ରହିଥିଲେ । ଯାହା ଫଳରେ ଦଳୀୟ ସ୍କୋର 171ରେ ପହଞ୍ଚି ପାରିଥିଲା। ଅନ୍ୟମାନଙ୍କ ମଧ୍ୟରେ ନେହାଲ ୱଧେରା ମାତ୍ର 21 ରନ ହିଁ କରି ପାରିଥିଲେ। ଅନ୍ୟ କୌଣସି ବ୍ୟାଟର ପିଚରେ ସମୟ ବିତାଇ ପାରିନଥିଲେ।

ଅନ୍ୟପଟେ ଆରସିବି ବୋଲର ଆଜି ଶୃଙ୍ଖଳିତ ବୋଲିଂ କରିଥିଲେ। ମୁମ୍ବାଇକୁ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ସକ୍ଷମ ଥିଲେ। ସ୍ପିନର କର୍ଣ୍ଣ ଶର୍ମା ଦୁଇଟି ୱିକେଟ ନେଇଥିଲେ । ସିରାଜ, ଟୋପ୍ଲି, ଆକାଶଦୀପ, ହର୍ଷଲ ପଟେଲ ଓ ବ୍ରେସୱେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ବିନିମୟରେ 171 ରନ କରିଥିଲା ମୁମ୍ବାଇ ।

172 ରନ ଟାର୍ଗେଟ ପିଛା କରିବାକୁ ଆସି ଆରସିବି ପ୍ରଥମରୁ ଆକ୍ରାମକ କୌଶଳ ଆପଣାଇ ଥିଲା। ପ୍ରଥମ ଓଭରରୁ ହିଁ ମୁମ୍ବାଇ ବୋଲରଙ୍କ ଉପରେ ଆଟାକ କରିଥିଲେ ଅଧିନାୟକ ଡୁପ୍ଲେସିସ ଓ ବିରାଟ କୋହଲି । ପ୍ରଥମ ୱିକେଟ ପାଇଁ ଉଭୟଙ୍କ ମଧ୍ୟରେ 148 ରନର ଭାଗିଦାରୀ ହୋଇଥିଲା। ଏହାପରେ ଆରସିବି ପାଇଁ ଏକ ପ୍ରକାର ବିଜୟ ଦ୍ୱାର ଖୋଲି ଯାଇଥିଲା। ତେବେ ଡୁପ୍ଲେସିସ 43 ବଲରେ 73 ରନ କରି ଅର୍ଷଦ ଖାନଙ୍କ ଶିକାର ପାଲଟିଥିଲେ। ଏଥିରେ 6ଟି ଛକା ଓ 5ଟି ଚୌକା ସାମିଲ ରହିଥିଲା । ଏହାପରେ କାର୍ତ୍ତିକ ମଧ୍ୟ ଖାତା ଖୋଲିବା ପୂର୍ବରୁ ପାଭିଲୟନ ରାସ୍ତା ଖୋଜିଥିଲେ। ମାକ୍ସୱେଲ 3 ବଲ ଖେଳି 12 ରନ କରିଥିଲେ। ଅନ୍ୟପଟେ କୋହଲି ବଡ଼ ସଟ ଖେଳିବା ଜାରି ରଖିଥିଲେ। ସେ 49 ବଲରୁ 6ଟି ଚୌକା ଓ 5 ଛକା ବଳରେ 82 ରନ ସଂଗ୍ରହ କରି ଅପରାଜିତ ରହିଥିଲେ।

ମୁମ୍ବାଇ ପକ୍ଷରୁ ଅର୍ଷଦ ଖାନ ଓ କ୍ୟାମେରନ ଗ୍ରୀନ ଗୋଟିଏ ଲେଖାଏଁ ୱିକେଟ ନେବାରେ ସକ୍ଷମ ହୋଇଥିଲେ। ଦଳ ପକ୍ଷରୁ ଜେଶନ ବେରେଣ୍ଡ୍ରଫ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । 3 ଓଭର ବୋଲିଂ କରି 37 ରନ ବ୍ୟୟ କରିଥିଲେ। ଯାହାଫଳରେ ପ୍ରଥମ ମ୍ୟାଚରେ ମୁମ୍ବାଇକୁ ପରାଜୟ ବରଣ କରିବାକୁ ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.