ETV Bharat / sports

IPL 2023 CSK vs KKR: ଚେପକରେ ହାରିଲା ଚେନ୍ନାଇ, 6 ୱିକେଟରେ କୋଲକାତା ବିଜୟୀ

author img

By

Published : May 15, 2023, 1:12 AM IST

IPL 2023 CSK vs KKR
IPL 2023 CSK vs KKR

ଆଇପିଏଲ 2023 ଆଜି ଚେନ୍ନାଇ ସୁପରକିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହୋଇଥିଲେ । ତେବେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ 144 ରନ କରିଥିବା ବେଳେ ଏହି ଟାର୍ଗେଟ ହାସଲ କରି ଚେନ୍ନାଇକୁ 6 ୱିକେଟରେ ମାତ ଦେଇଛି କୋଲକାତା । ଅଧିକ ପଢ଼ନ୍ତୁ

ଚେନ୍ନାଇ: ଆଇପିଏଲ 2023 ପ୍ଲେ ଅଫ ପୂର୍ବରୁ ଶେଷ ପର୍ଯ୍ୟାୟ ଲିଗ ମ୍ୟାଚ ଗୁଡ଼ିକ ବେଶ ରୋମାଞ୍ଚକର ହେଉଛି । ଆଜି ଚେନ୍ନାଇରେ ଚେନ୍ନାଇକୁ ହରାଇ ପ୍ଲେ ଅଫ ରେସରେ ଆହୁରି ରୋମାଞ୍ଚ ଭରିଛି କୋଲକାତା । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପରକିଙ୍ଗସ କେବଳ 144 ରନ କରିପାରିଥିଲା । ତେବେ 18.3 ଓଭରରେ ଏହି ବିଜୟଲକ୍ଷ୍ୟ ହାସଲ କରିନେଇଛି କୋଲକାତା ନାଇଟ ରାଇଡର୍ସ । ଆଜିର ମ୍ୟାଚରେ ରିଙ୍କୁ ସିଂହ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ଘରୋଇ ଗ୍ରାଉଣ୍ଡରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଚେନ୍ନାଇ ଅଧିନାୟକ ଏମଏସ ଧୋନୀ । ପ୍ରଥମରୁ ଦଳକୁ ଭଲ ଆରମ୍ଭ ମଧ୍ୟ ମିଳିଥିଲା । ହେଲେ 17 ରନ କରି ଋତୁରାଜ ଗାଏକୱାଡ ଆଉଟ ହୋଇଯାଇଥିଲେ । ଏହାପରେ ଆଜିଙ୍କ୍ୟ ରାହାଣେ 16 ରନ କରି ଆଉଟ ହୋଇଥିବା ବେଳେ 28 ବଲରୁ 30 ରନ କରି ତୁରନ୍ତ ଡେଭନ କନୱେ ମଧ୍ୟ ଆଉଟ ହୋଇଥିଲେ । ଏହାପରେ ହିଁ ଚେନ୍ନାଇର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ଗୋଟିଏ ପଟେ ଶିବମ ଦୁବେ ସ୍କୋର ବୋର୍ଡକୁ ଗତି ଦେଉଥିବା ବେଳେ ଅନ୍ୟପଟେ କୋଲକାତା ବୋଲରଙ୍କ ହାତକୁ ନିଜ ୱିକେଟ ଟେକି ଦେଉଥିଲେ ଚେନ୍ନାଇ ବ୍ୟାଟର । ତେବେ କିଛି ସମୟ ଦୁବେଙ୍କ ସାଥ ଦେଇଥିଲେ ରବିନ୍ଦ୍ର ଜାଡେଜା । ହେଲେ ସେ 24 ବଲରୁ ସଙ୍ଘର୍ଷପୂର୍ଣ୍ଣ 20 ରନ କରି ଆଉଟ ହୋଇଥିଲେ । ତେବେ ଶିବମ ଦୁବେଙ୍କ 34 ବଲରୁ 48 ରନର ପାଳି ବଳରେ ଦଳ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 144 ରନ କରିପାରିଥିଲା ।

କୋଲକାତା ପକ୍ଷରୁ ସୁନୀଲ ନାରାୟଣ ନିଜର ପୁରୁଣା ଫର୍ମ ପ୍ରଦର୍ଶନ କରିଥିଲେ । ସେ 4 ଓଭରରେ କେବଳ 15 ରନ ଦେଇ 2ଟି ୱିକେଟ ଅକ୍ତିଆର କରିଥିଲେ । ବରୁଣ ଚକ୍ରବର୍ତ୍ତୀ ଯଦିଓ 2ଟି ୱିକେଟ ହାସଲ କରିଥିଲେ, କିନ୍ତୁ ସେ ଦଳ ପକ୍ଷରୁ ସର୍ବାଧିକ 36 ରନ ବ୍ୟୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈଭବ ଆରୋରା ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ଏହାପରେ ନିଜର ପ୍ଲେ ଅଫ ଆଶାକୁ ଉଦ୍ଜୀବୀତ ରଖିବାପାଇଁ କୋଲକାତାକୁ ମାତ୍ର 145 ରନର ଆବଶ୍ୟକତା ଥିଲା । ହେଲେ ପ୍ରଥମ ଓଭରରେ ହିଁ ଓପନର ରାମାନୁଲ୍ଲା ଗୁରବାଜ ଉଟ ହୋଇ ଦଳକୁ ଝଟକା ଦେଇଥିଲେ । ଜାଶନ ରୟ 12 ଓ ଭେଙ୍କଟେଶ ଆୟର 9 ରନ କରି ଆଉଟ ହୋଇ ଦଳ ଉପରେ ଚାପ ବଢ଼ାଇଥିଲେ । ତେବେ ପରିସ୍ଥିତିକୁ ଅଧିନାୟକ ନୀତିଶ ରାଣା ଓ ରିଙ୍କୁ ସିଂହ ସମ୍ଭାଳିଥିଲେ । ରିଙ୍କୁ 43 ବଲରୁ 4 ଚୌକା ଓ 3 ଛକା ସହ ବହୁମୂଲ୍ୟ 54 ରନ କରି ରିଙ୍କୁ ସିଂହ ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ସେପଟେ 44 ବଲରୁ 6 ଚୌକା ଓ 1 ଛକା ବଳରେ ଅପରାଜିତ 57 ରନର ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ ଅଧିନାୟକ ନୀତିଶ ରାଣା ।

ଚେନ୍ନାଇ ପକ୍ଷରୁ କେବଳ ଦୀପକ ଚହରଙ୍କୁ 3ଟି ୱିକେଟ ସଫଳତା ମିଳିଥିଲା । ଏଥିପାଇଁ ତାଙ୍କୁ 3 ଓଭରରେ 27 ରନ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିଥିଲା । ଅନ୍ୟ କୌଣସି ବୋଲରଙ୍କୁ ଆଜି ସଫଳତା ମିଳିନଥିଲା । ଫଳରେ ଦଳ ପ୍ଲେ ଅଫରେ ନିଜର ସ୍ଥାନ ପକ୍କା କରିବାରେ ଅସଫଳ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.