IPL 2023: ଅବସରକୁ ନେଇ ବଡ଼ ସଂକେତ ଦେଲେ ଧୋନୀ

author img

By

Published : May 25, 2023, 7:31 AM IST

ଅବସରକୁ ନେଇ ବଡ଼ ସଂକେତ ଦେଲେ ଧୋନୀ

ନିଜ ଦଳ ସିଏସକେକୁ ଫାଇନାଲରେ ପହଞ୍ଚାଇବା ପରେ ଆଇପିଏଲରୁ ନିଜର ଅବସର ସମ୍ବନ୍ଧୀୟ ବଡ଼ ସୂଚନା ଦେଇଛନ୍ତି ଅଧିନାୟକ ଏମଏସ ଧୋନୀ । କହିଲେ ସିଏସକେ ପାଇଁ ସବୁବେଳେ ଅଛି ଓ ରହିବି । ଅଧିକ ପଢ଼ନ୍ତୁ

ଚେନ୍ନାଇ: ପୁଣିଥରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପର କିଙ୍ଗସ । ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ବାଲିଫାୟରରେ ବିଗତ ସଂସ୍କରଣର ବିଜେତା ଗୁଜରାଟ ଟାଇଟନ୍ସକୁ ହରାଇ ଆଇପିଏଲ ୨୦୨୩ର ଫାଇନାଲରେ ପ୍ରବେଶ କରିଛି ଏମଏସ ଧୋନୀଙ୍କ ନେତୃତ୍ବାଧୀନ ସିଏସକେ । ତେବେ ଏହାରି ଭିତରେ ଆଇପିଏଲରୁ ନିଜର ଅବସର ସମ୍ବନ୍ଧୀୟ ବଡ଼ ସୂଚନା ଦେଇଛନ୍ତି ଚେନ୍ନାଇର ଅଧିନାୟକ ଏମଏସ ଧୋନୀ ।

ବିଗତ କିଛି ବର୍ଷ ଭଳି ଆଇପିଏଲ ୨୦୨୩ ଆରମ୍ଭରୁ ମଧ୍ୟ ଏହା ଧୋନୀଙ୍କର ଶେଷ ସଂସ୍କରଣ ହୋଇପାରେ ବୋଲି ଚର୍ଚ୍ଚା ଜାରି ରହିଛି । ତେବେ ପ୍ରଥମ କ୍ବାଲିଫାୟରରେ ଗୁଜୁରାଟକୁ ହରାଇବା ପରେ ଯେତେବେଳେ ଧୋନୀଙ୍କ ଏନେଇ ପ୍ରଶ୍ନ ପଚରା ଯାଇଥିଲା ଯେ, କଣ ଆଇପିଏଲର ଆଗାମୀ ସଂସ୍କରଣରେ ପ୍ରଶଂସକମାନେ ଧୋନୀଙ୍କୁ ଖେଳୁଥିବା ଦେଖିବାକୁ ପାଇବେ ? ଉତ୍ତରରେ ଧୋନୀ କହିଛନ୍ତି, "ମୁଁ ଜାଣେନି । ଆସନ୍ତା ସଂସ୍କରଣ ପାଇଁ ହେବାକୁ ଥିବା ନିଲାମୀ ପ୍ରକ୍ରିୟାକୁ ୮-୯ ମାସ ବାକି ଅଛି । ନିଲାମୀ ପ୍ରକ୍ରିୟା ନଭେମ୍ବର- ଡିସେମ୍ବର ମାସରେ ହେବ । ସେଥିପାଇଁ ଏବେ ଠାରୁ ଏଭଳି ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆଇପିଏଲରେ ମୋର ଭବିଷ୍ୟତ ବିଷୟରେ ଚିନ୍ତା କରିବାକୁ ମୋ ପାଖରେ ଅନେକ ସମୟ ରହିଛି । କିନ୍ତୁ ମୁଁ ସବୁବେଳେ ସିଏସକେ ପାଇଁ ରହିବି । ତାହା ଖେଳିବା ଅବସ୍ଥାରେ ହେଉ, କିମ୍ବା ବାହାରେ ।"

ପ୍ରକାଶ ଥାଉ କି, ଚଳିତ ଆଇପିଏଲ ସଂସ୍କରଣରେ ଧୋନୀଙ୍କ ନେତୃତ୍ବରେ ଚେନ୍ନାଇ ସୁପର କିଙ୍ଗସ ଫାଇନାଲରେ ପ୍ରବେଶ କରି ସାରିଛି । ଆଇପିଏଲର ୧୬ ସଂସ୍କରଣ ମଧ୍ୟରେ ଏହା ଚେନ୍ନାଇର ୧୦ମ ଫାଇନାଲ ପ୍ରବେଶ । ରେକର୍ଡ ୧୦ ଥର ଆଇପିଏଲ ଫାଇନାଲରେ ପହଞ୍ଚିଥିବାରୁ ଧୋନୀ ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଦୁନିଆର ସର୍ବଶ୍ରେଷ୍ଠ ଖେଳାଳୀଙ୍କ ସହ ପ୍ରତିଯୋଗିତା କରିବାକୁ ଆଗରୁ ଆଇପିଏଲରେ ୮ଟି ଟିମ ରହିଥିଲେ । ଏବେ ଏଠାରେ ୧୦ଟି ଟିମ ରହିଛନ୍ତି । ତେଣୁ ଏହି ସ୍ଥାନରେ ପହଞ୍ଚିବା ଆହୁରି ମଧ୍ୟ କଠିନ । ଆମେ ଦୀର୍ଘ ୨ ମାସ ଧରି ଯେଉଁ କଠିନ ପରିଶ୍ରମ କରିଥିଲୁ, ତାର ଫଳ ସ୍ବରୂପ ଆମେ ଆଜି ଏଠାରେ ପହଞ୍ଚିପାରିଛୁ ।

ସେପଟେ ଗତକାଲିର ମ୍ୟାଚ୍‌ରେ ଲକ୍ଷ୍ନୌକୁ ହରାଇ ଦ୍ବିତୀୟ କ୍ବାଲିଫାୟରରେ ପହଞ୍ଚିଛି ମୁମ୍ବାଇ ଇଣ୍ଡିଆନ୍ସ । ଦ୍ବିତୀୟ କ୍ବାଲିଫାୟରରେ ଗୁଜୁରାଟକୁ ଭେଟିବ ମୁମ୍ବାଇ । ଏହି ମ୍ୟାଚ୍‌ରେ ଯେଉଁ ଦଳ ବାଜି ମାରିବ, ସେହି ଦଳ ଫାଇନାଲରେ ଚେନ୍ନାଇକୁ ଭେଟିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.