ETV Bharat / sports

IND vs NZ 1st ODI: ରୋମାଞ୍ଚପୂର୍ଣ୍ଣ ମ୍ୟାଚରେ ଭାରତ ବିଜୟୀ, ୩୩୭ ରନରେ ନ୍ୟୁଜିଲାଣ୍ଡ ଅଲ ଆଉଟ

author img

By

Published : Jan 18, 2023, 10:09 PM IST

Updated : Jan 18, 2023, 10:39 PM IST

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ବିଜୟୀ
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ବିଜୟୀ

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ କଡ଼ା ସଙ୍ଘର୍ଷ ପରେ ଭାରତର ରୋମାଞ୍ଚପୂର୍ଣ୍ଣ ବିଜୟ । ୩୩୭ ରନରେ ନ୍ୟୁଜିଲାଣ୍ଡ ଅଲ ଆଉଟ ହେବା ଫଳରେ ଭାରତ ୧୨ ରନରେ ବିଜୟ ହୋଇଛି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ରୋମାଞ୍ଚପୂର୍ଣ୍ଣ ବିଜୟ । ବ୍ରାସୱେଲଙ୍କ ଦମଦାର ଶତକ ସତ୍ତ୍ବେ ଭାରତ ୧୨ ରନରେ ବିଜୟୀ ହୋଇଛି । ୩୩୭ ରନରେ ଅଲ ଆଉଟ ହେଲା ନ୍ୟୁଜିଲାଣ୍ଡ । ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଆଗୁଆ ହେଲା ଭାରତ । ଧୂଆଁଧାର ଦ୍ବିଶତକ ହାସଲ କରିଥିବା ଶୁଭମନ ଗିଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ହାଇଦ୍ରାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମ ଦିନିକିଆ ଖେଳିବାକୁ ଓହ୍ଲାଇଥିଲେ ଘରୋଇ ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ତେବେ ଭାରତ ପ୍ରଥମ ଇନିଂସରେ ଶୀଘ୍ର ୩ ୱିକେଟ ହରାଇଥିଲେ ମଧ୍ୟ ଯୁବ ତାରକା ବ୍ୟାଟର ଶୁଭମନ ଗିଲଙ୍କ ଦ୍ବିଶତକ ବଳରେ ୭ ୱିକେଟ ହରାଇ ୩୪୯ ରନ ସଂଗ୍ରହ କରିଥିଲା ଭାରତ । କିନ୍ତୁ ଦ୍ବିତୀୟ ଇନିଂସରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ଭାରତୀୟ ବୋଲର ।

ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭନ କନ୍‌ୱେ ଦଳକୁ ଭଲ ଆରମ୍ଭ ଦେଇ ପାରିନଥିଲେ । ମାତ୍ର ୧୦ ରନ କରି ଷଷ୍ଠ ଓଭରରେ ସେ ମହମ୍ମଦ ସିରାଜଙ୍କ ଶିକାର ହୋଇଥିଲେ । ଏହାପରେ ହେନ୍‌ରି ନିକୋଲ୍ସ ଓ ଡେରାଇଲ ମିଚେଲ ଉଭୟ ଯଥାକ୍ରମେ ୧୮ ଓ ୯ ରନ କରି କୁଲଦୀପ ଯାଦବଙ୍କ ବଲରେ ଆଉଟ ହୋଇଥିଲେ । ତେବେ ନ୍ୟୁଜିଲାଣ୍ଡର ଅନ୍ୟ ପ୍ରାରମ୍ଭିକ ବ୍ୟାଟର ଫିନ ଆଲେନ ୩୯ ବଲରୁ ୭ ଚୌକା ଓ ଗୋଟିଏ ଛକା ସହିତ ୪୦ ରନ କରି ପାଭିଲିୟନ ଫେରିଥିଲେ ।

ମାତ୍ର ୧୧ ରନ କରିଥିବା ଗ୍ଲେନ ଫିଲିପ୍ସଙ୍କୁ ମହମ୍ମଦ ସାମି ବୋଲ୍ଡ କରିଥିଲେ ମଧ୍ୟ ପରିସ୍ଥିତି ସମ୍ଭାଳିଥିଲେ ବ୍ରାସୱେଲ ଓ ସାଣ୍ଟନର । ଉଭୟ ନ୍ୟୁଜିଲାଣ୍ଡ ପାଇଁ ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ଦୃଢ଼ ଭାଗିଦାରୀ କରିଥିଲେ । ତେବେ ଏମାନଙ୍କ ଭାଗିଦାରୀ ଭାଙ୍ଗିବା ଭାରତୀୟ ବୋଲରଙ୍କ ପାଇଁ ଏତେ ସହଜ ହୋଇନଥିଲା । ତେବେ ଶେଷରେ ସିରାଜଙ୍କ ବଲରେ ସାଣ୍ଟନର ଆଉଟ ହେବାପରେ ଏହି ଦୃଢ଼ ଭାଗିଦାରୀ ଭାଙ୍ଗିଥିଲା । ବ୍ରାସୱେଲ ଶେଷ ଓଭର ପର୍ଯ୍ୟନ୍ତ ପିଚ୍‌ରେ ରହି ୭୮ ବଲରୁ ୧୨ ଚୌକା ଓ ୧୦ ଛକା ସହ ଧୂଆଁଧାର ଇନିଂସ ଖେଳି ନ୍ୟୁଜିଲାଣ୍ଡକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । କିନ୍ତୁ ଶେଷ ଓଭରରେ ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ସେ ଆଉଟ ହେବାପରେ ମ୍ୟାଚ୍‌ ଜିତିଥିଲା ଭାରତ ।

ଅନ୍ୟପଟେ ଭାରତୀୟ ବୋଲର ଆଜିର ମ୍ୟାଚ୍‌ରେ ଫିକା ପଡ଼ିଥିଲେ । ମହମ୍ମଦ ସିରାଜ ୧୦ ଓଭରରେ ୪୬ ବ୍ୟୟରେ ୪ ୱିକେଟ ସଂଗ୍ରହ କରି ଆଜିର ମ୍ୟାଚ୍‌ରେ ଅନ୍ୟ ବୋଲରଙ୍କ ତୁଳନାରେ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୧୦ ଓଭରରେ ୬୯ ରନ ଦେଇ ମାତ୍ର ଗୋଟିଏ ୱିକେଟ ପାଇଥିଲେ ମହମ୍ମଦ ସାମି । ହାର୍ଦ୍ଦିକ ପାଣ୍ଡ୍ୟା ୭ ଓଭରରେ ୭୦ ରନ ଦେଇ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଶାର୍ଦ୍ଦୁଲ ଠାକୁର ଓ କୁଲଦୀପ ଯାଦବ ଉଭୟ ୨ଟି ଲେଖାଏଁ ୱିକେଟ ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 18, 2023, 10:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.