ETV Bharat / sports

Ind vs Aus 2nd ODI: ଭାରତର ବ୍ୟାଟିଂ ବିପର୍ଯ୍ୟୟ, ଅଷ୍ଟ୍ରେଲିଆକୁ ୧୧୮ ରନ୍‌ ଟାର୍ଗେଟ

author img

By

Published : Mar 19, 2023, 4:44 PM IST

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ଦିନିକିଆରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ୫ ୱିକେଟ ସଫଳତା ହାସଲ କରି ଭାରତର ବ୍ୟାଟିଂ କ୍ରମକୁ ଧ୍ବଂସ କରିଦେଇଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ । ୧୧୭ ରନ କରି ଭାରତ ଅଲ ଆଉଟ ହୋଇଥିବା ବେଳେ ୧୧୮ ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଛି ଅଷ୍ଟ୍ରେଲିଆ । ଅଧିକ ପଢ଼ନ୍ତୁ

ଭାରତର ବ୍ୟାଟିଂ ବିପର୍ଯ୍ୟୟ, ଅଷ୍ଟ୍ରେଲିଆକୁ ୧୧୮ ରନ ଟାର୍ଗେଟ
ଭାରତର ବ୍ୟାଟିଂ ବିପର୍ଯ୍ୟୟ, ଅଷ୍ଟ୍ରେଲିଆକୁ ୧୧୮ ରନ ଟାର୍ଗେଟ

ବିଶାଖାପାଟଣା: ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ପ୍ରଥମ ମୁକାବିଲା ଜିତି ୧-୦ରେ ଆଗୁଆ ରହିଥିବା ଭାରତୀୟ ଦଳ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ କଙ୍ଗାରୁ ଦଳର ବୋଲିଂକୁ ସାମ୍ନା କରିବାରେ ବିଫଳ ହୋଇଛି । ପ୍ରଥମ ପାଳିରେ ୫ ୱିକେଟ ହାସଲ କରି ଭାରତର ବ୍ୟାଟିଂ କ୍ରମକୁ ଧ୍ବଂସ କରିଦେଇଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ । ଭାରତ କେବଳ ୨୬ ଓଭର ଖେଳି ୧୧୭ ରନ କରିଥିବା ବେଳେ ୧୧୮ ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଛି ଅଷ୍ଟ୍ରେଲିଆ ।

ଭାରତ ପାଇଁ ଦିନିକିଆରେ ଲଗାତାର ଭଲ ପ୍ରଦର୍ଶନ ଦେଇ ଆସୁଥିବା ଯୁବ ତାରକା ବ୍ୟାଟର ଶୁଭମନ ଗିଲ ଆଜି ଖାତା ଖୋଲି ପାରିନଥିଲେ । ଗିଲଙ୍କୁ ଲାବୁସାନଙ୍କ ହାତରେ ଧରା ପକାଇଥିଲେ ଆଜିର ସଫଳତମ ବୋଲର ମିଚେଲ ଷ୍ଟାର୍କ । ଏହାପରେ ସେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ ପାଭିଲିୟନର ରାସ୍ତା ଦେଖାଇଥିଲେ । ୧୫ ବଲରୁ ୨ଟି ଚୌକା ବଳରେ ୧୩ ରନ ସ୍କୋର କରିଥିବା ରୋହିତ ଶର୍ମାଙ୍କୁ କଙ୍ଗାରୁ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ହାତରେ ଧରା ପକାଇଥିଲେ ଷ୍ଟାର୍କ । ଏହାପରେ ଗୋଟିଏ ପଟରେ ଭାରତର ପାଳି ସମ୍ଭାଳିଥିଲେ ବିରାଟ କୋହଲି । ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ଓ କେଏଲ ରାହୁଲଙ୍କୁ ଶିକାର କରିଥିଲେ ଷ୍ଟାର୍କ । ପୂର୍ବ ମ୍ୟାଚ୍‌ରେ ଭାରତର ସଙ୍କଟମୋଚକ ସାଜିଥିବା ରାହୁଲ ଆଜି କେବଳ ୯ ରନ କରିବାରେ ସମର୍ଥ ହୋଇଥିଲେ । ଅନ୍ୟପଟେ ସୂର୍ଯ୍ୟକୁମାର ଖାତା ମଧ୍ୟ ଖୋଲିପାରିନଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟା କେବଳ ଗୋଟିଏ ରନ୍‌ କରିଥିବା ବେଳେ ତାଙ୍କୁ ସେନ ଆବଟ୍‌ ଆଉଟ କରିଦେଇଥିଲେ । ପରେପରେ ଚାପ ସମ୍ଭାଳୁଥିବା ବିରାଟ କୋହଲି ମଧ୍ୟ ଆଉଟ ହୋଇଯ।ଇଥିଲେ । ନାଥନ ଏଲିସଙ୍କ ବଲରେ ଏଲବି ଆଉଟ ହୋଇଥିଲେ କୋହଲି । ସେ ଆଜିର ମ୍ୟାଚ୍‌ରେ ଭାରତ ପାଇଁ ସର୍ବାଧିକ ୩୫ ବଲରୁ ୪ଟି ଚୌକା ସହାୟତାରେ ୩୧ ରନ ସଂଗ୍ରହ କରିଥିଲେ । କୋହଲିଙ୍କ ସହ ପାଳି ସମ୍ଭାଳୁଥିବା ରବୀନ୍ଦ୍ର ଜାଡେଜା ୩୯ ବଲରୁ ଗୋଟିଏ ଚୌକା ସହ ୧୬ ରନ କରି ନାଥନ ଏଲିସଙ୍କ ଶିକାର ହୋଇଥିଲେ । ସ୍ପିନର କୁଲଦୀପ ଯାଦବ ୪ ରନ କରି ପାଭିଲିୟନ ଫେରିଥିବା ବେଳେ ଦ୍ରୁତ ବୋଲର ମହମ୍ମଦ ସାମି ଓ ମହମ୍ମଦ ସିରାଜ ଖାତା ମଧ୍ୟ ଖୋଲିପାରିନଥିଲେ । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଅପରାଜିତ ୨୯ ରନ ବଳରେ ଭାରତ ୧୧୭ରନରେ ପହଞ୍ଚିଥିଲା ।

ସେପଟେ କଙ୍ଗାରୁ ଦଳର ବୋଲର ମାନେ ପାଳି ଆରମ୍ଭରୁ ହିଁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ମିଚେଲ ଷ୍ଟାର୍କ ୮ ଓଭର ବୋଲିଂ କରି ୫୩ ରନ ବ୍ୟୟରେ ସର୍ବାଧିକ ୫ ୱିକେଟ ହାସଲ କରିଥିଲେ । ସେହିଭଳି ସିନ୍‌ ଆବଟ୍‌ ୬ ଓଭରରୁ ୨୩ ରନ ବ୍ୟୟରେ ୩ ୱିକେଟ ଓ ନାଥନ ଏଲିସ ୫ ଓଭରରେ ୧୩ ରନ ବ୍ୟୟରେ ୨ ୱିକେଟ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ୟାମେରନ ଗ୍ରୀନ ଓ ଆଦାମ ଜାମ୍ପାଙ୍କୁ କୌଣସି ସଫଳତା ମିଳିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.