ETV Bharat / sports

ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଭାରତ

author img

By

Published : Jul 18, 2021, 10:32 PM IST

Updated : Jul 18, 2021, 10:44 PM IST

Ind vs SL, 1st ODI: India won by 7 wkts
ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଭାରତ

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆକୁ ୭ ୱିକେଟ ଜିତିଲା ଭାରତ । ଅଧିକ ପଢନ୍ତୁ...

କଲମ୍ବୋ(ଶ୍ରୀଲଙ୍କା): ଦମଦାର ପ୍ରଦର୍ଶନ ସହ ଶ୍ରୀଲଙ୍କାକୁ ପ୍ରଥମ ଦିନିକିଆରେ ହରାଇଲା ଭାରତ । ପ୍ରଥମେ ବୋଲରଙ୍କ କମାଲ ପରେ ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ୨୬୩ ରନର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଛି ଯୁବ ଟିମ ଇଣ୍ଡିଆ । ମାତ୍ର ୩୬. ୪ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି ଭାରତ । ଫଳରେ ୭ ୱିକେଟରେ ବିଜୟୀ ହେବାସହ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି ।

263 ରନ୍‌କୁ ପିଛା କରିଥିବା ଭାରତକୁ ଦମଦାର ଆରମ୍ଭ ଦେଇଥିଲେ ଓପନର ପୃଥ୍ବୀ ଶ । ଘରୋଇ ଦଳର ଦ୍ରୁତ ବୋଲରଙ୍କୁ ଜୋରଦାର ପ୍ରହାର କରିଥିଲେ ଶ । ତେବେ ଭାରତୀୟ ଇଂନିସର ଷଷ୍ଠ ଓଭରରେ ଶ'ଙ୍କ ୪୩ ରନ୍‌ର ବିସ୍ଫୋରକ ଇଂନିସ ଶେଷ ହୋଇଥିଲା । ଧନଞ୍ଜୟ ଦି ସିଲଭା ଶ'ଙ୍କୁ ପାଭିଲିୟନ ଫେରାଇବା ପରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳୁଥିବା ଇଶାନ କିଶନ କ୍ୟାପଟେନ ଶିଖର ଧାୱନଙ୍କ ସହ ଯୋଗ ଦେଇଥିଲେ ।

ଶ୍ରୀଲଙ୍କା ସ୍ପିନରଙ୍କୁ ମହଙ୍ଗା ସାବ୍ୟସ୍ତ କରାଇବା ସହ ମାତ୍ର ୩୩ ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଦ୍ବିତୀୟ ୱିକେଟ ଯୋଡିରେ ଧାୱନଙ୍କ ସହ ମିଶି ୮୫ ରନର୍‌ ଭାଗିଦାରୀ କରିଥିଲେ । ୫୯ ରନର ଅର୍ଦ୍ଧଶତକୀୟ ଇଂନିସ ଖେଳି କିଶନ ଆଉଟ ହୋଇଥିଲେ ।

ପରେ ମନୀକ୍ଷା ପାଣ୍ଡେ ଓ ଧାୱନ ମିଶି ତୃତୀୟ ୱିକେଟ ଯୋଡିରେ ୭୨ ରନ ଯୋଡିଥିଲେ । ତେବେ ବିଜୟ ଲକ୍ଷ୍ୟ ଠାରୁ ମାତ୍ର ୪୮ ରନ ଦୂରରେ ଭାରତ ଥିବାବେଳେ ପାଣ୍ଡେ ୨୬ ରନ୍‌ରେ ଆଉଟ ହୋଇଥିଲେ । ପରେ ସୂର୍ଯ୍ୟକୁମାର ଯାଦବ ଅପରାଜିତ ୩୧ ରନ୍‌ର ଇଂନିସ ଖେଳିଥିଲେ । ଭାରତୀୟ ବ୍ୟାଟିଂ ଇଂନିସର ହିରୋ ରହିଥିଲେ କ୍ୟାପଟେନ ଶିଖର ଧାୱନ । ୯୫ ବଲ୍‌ରୁ ୬ ଚୌକା ଓ ଗୋଟିଏ ଛକା ସହାୟତାରେ ୮୬ ରନ୍‌ର ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ ଧାୱନ । ଫଳରେ ୮୦ ବଲ୍‌ ବାକିଥାଇ ୭ ୱିକେଟରେ ବିଜୟୀ ହୋଇଥିଲା ଟିମ ଇଣ୍ଡିଆ ।

ପୂର୍ବରୁ ଦୁଇ ସ୍ପିନର ୟୁଜଭେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିବାର ଘରୋଇ ଦଳର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ। ଦୀପକ ଚହର ଦୁଇଟି, ପାଣ୍ଡ୍ୟା ବଦର୍ସ ଗୋଟିଏ ଲେଖାଏଁ ୱିକେଟ କରିବା ସହ ଶ୍ରୀଲଙ୍କାର ୨୬୨ ରନ୍‌ରେ ରୋକିଥିଲେ ।

ଘରୋଇ ଦଳ ପକ୍ଷରୁ ସି କରୁଣାରତ୍ନେ ସର୍ବାଧିକ ୪୩ ଓ କ୍ୟାପଟେନ ଦାସୁନ ସନାକା ୩୯ ରନ୍‌ କରିବାକୁ ସମର୍ଥ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jul 18, 2021, 10:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.