ETV Bharat / sports

ଟି୨୦ କ୍ରିକେଟ୍‌ରେ ଇତିହାସ; ପ୍ରଥମ କ୍ରିକେଟର ଭାବେ ୫ମ ଶତକ ହାସଲ କଲେ ରୋହିତ ଶର୍ମା

author img

By ETV Bharat Odisha Team

Published : Jan 17, 2024, 11:05 PM IST

ପ୍ରଥମ କ୍ରିକେଟର ଭାବେ ୫ମ ଶତକ ହାସଲ କଲେ ରୋହିତ ଶର୍ମା
ପ୍ରଥମ କ୍ରିକେଟର ଭାବେ ୫ମ ଶତକ ହାସଲ କଲେ ରୋହିତ ଶର୍ମା

Rohit Sharma: ଟି୨୦ କ୍ରିକେଟ୍‌ରେ ଇତିହାସ ରଚିଲେ ରୋହିତ ଶର୍ମା । ବିଶ୍ବର ପ୍ରଥମ ବ୍ୟାଟର ଭାବେ ଟି୨୦ କ୍ରିକେଟ୍‌ରେ ହାସଲ କଲେ ୫ ଅନ୍ତର୍ଜାତୀୟ ଶତକ । ଅଧିକ ପଢ଼ନ୍ତୁ

ବେଙ୍ଗାଲୁରୁ: ଆଫଗାନିସ୍ତାନ ବିପକ୍ଷ ୩ୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଇତିହାସ ରଚିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଏହି ମ୍ୟାଚ୍‌ରେ ସେ ବିସ୍ଫୋରକ ଶତକ ହାସଲ କରିଛନ୍ତି । ଏହା ସହିତ ବିଶ୍ବର ପ୍ରଥମ ବ୍ୟାଟର ଭାବେ ଟି୨୦ କ୍ରିକେଟ୍‌ରେ ୫ ଅନ୍ତର୍ଜାତୀୟ ଶତକ ହାସଲ କରିବାର ରେକର୍ଡ କରିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ । ଆଜି ଗୋଟିଏ ପଟେ ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ ଅନ୍ୟପଟେ ଏପରି ବିଶ୍ବ କୀର୍ତ୍ତିମାନ ରଚିଛନ୍ତି ଭାରତୀୟ ଅଧିନାୟକ ।

ଆଜିକ ଶତକକୁ ମିଶାଇ ଟି୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକମାତ୍ର ବ୍ୟାଟର ଭାବେ ରୋହିତ ଶର୍ମା ୫ଟି ଶତକ ହାସଲ କରିଛନ୍ତି । ରୋହିତଙ୍କ ପଛକୁ ରହିଛନ୍ତି ଭାରତୀୟ ଟି୨୦ ସ୍ପେଶାଲିଷ୍ଟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଓ ଅଷ୍ଟ୍ରେଲୀୟ ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ । ଉଭୟଙ୍କ ନାଁରେ ୪ଟି ଲେଖାଏଁ ଟି୨୦ ଶତକ ରହିଛି । ୧୪ ମାସ ପରେ ଟି୨୦ କ୍ରିକେଟ୍‌କୁ ଫେରିଥିବା ରୋହିତ ଲଗାତାର ଭାବେ ପ୍ରଥମ ୨ଟି ମ୍ୟାଚ୍‌ରେ ଖାତା ଖୋଲିବାରେ ଅସମର୍ଥ ହେବାପରେ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଏଭଳି ରେକର୍ଡ କରିଛନ୍ତି । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ପାଇଂ ଧିମା ଆରମ୍ଭ କରିଥିବା ରୋହିତ କେବଳ ୬୪ ବଲରେ ନିଜର ଶତକ ହାସଲ କରିନେଇଥିଲେ । ସେ ଆଜି ମୋଟ ୬୯ଟି ବଲ ଖେଳି ୧୧ ଚୌକା ଓ ୮ ଛକା ବଳରେ ୧୨୧ ରନର ବିଶାଳ ଅପରାଜିତ ପାଳି ଖେଳିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ହିଟ୍‌ମ୍ୟାନ୍‌ଙ୍କ ବିସ୍ଫୋରକ ଶତକ ପରେ ରିଙ୍କୁ ବି ଧୋଇଲେ, ୨୧୨ ରନର ବିଶାଳ ସ୍କୋର କଲା ଭାରତ

ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କେବଳ ୨୨ ରନରେ ୪ଟି ବହୁମୂଲ୍ୟ ୱିକେଟ୍‌ ହରାଇଥିଲା ଟିମ୍‌ ଇଣ୍ଡିଆ । ଶେଷରେ ରୋହିତ ଶର୍ମା ଓ ରିଙ୍କୁ ସିଂହ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ । ରୋହିତ ୬୯ଟି ବଲ ଖେଳି ୧୧ ଚୌକା ଓ ୮ ଛକା ବଳରେ ୧୨୧ ରନର ବିଶାଳ ଅପରାଜିତ ପାଳି ଖେଳିଥିଲେ । ରିଙ୍କୁ ମଧ୍ୟ ୩୯ ବଲରେ ୨ ଚୌକା ଓ ୬ ଛକା ବଳରେ ୬୯ ରନର ଧୂଆଁଧାର ପାଳି ଖେଳି ଭାରତର ସ୍କୋରକୁ ୨୧୨ରେ ପହଞ୍ଚାଇଥିଲେ । ତେବେ ଜବରଦସ୍ତ ଫାଇଟ୍‌ କରି ଏହି ମ୍ୟାଚ୍‌କୁ ପ୍ରଥମେ ଡ୍ର କରିଦେଇଥିଲା ଆଫଗାନିସ୍ତାନ । ଖବର ଲେଖା ହେବାବେଳକୁ ସୁପର ଓଭର ମଧ୍ୟ ଡ୍ର ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.