ETV Bharat / sports

ଭାରତରେ ଦୁଇ ସ୍ପିନରଙ୍କୁ ନେଇ ବୋଲିଂ ଆରମ୍ଭ କରିପାରେ ଇଂଲଣ୍ଡ: ଆଣ୍ଡରସନ୍‌

author img

By ETV Bharat Odisha Team

Published : Jan 18, 2024, 9:27 AM IST

James Anderson: ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଭାରତ ଗସ୍ତରେ ଆସିବ ଇଂଲଣ୍ଡ । ଏହା ପୂର୍ବରୁ ଭାରତରେ ହାସଲ କରିଥିବା ନିଜ ଅଭିଜ୍ଞତା ବିଷୟରେ କହିଛନ୍ତି ଅନୁଭବୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌ । ଅଧିକ ପଢ଼ନ୍ତୁ

James Anderson
ଜେମ୍ସ ଆଣ୍ଡରସନ୍‌

ହାଇଦ୍ରାବାଦ: ଜାନୁଆରୀ ୨୫ରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବ ଭାରତର ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଅଭିଯାନ । ଭାରତ ଆଫଗାନିସ୍ତାନ ବିପକ୍ଷରେ ଟି୨୦ ଖେଳୁଥିବା ସମୟରେ ଇଂଲଣ୍ଡ ଦଳ ଏହି ଟେଷ୍ଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ତେବେ ହାଇଦ୍ରାବାଦରେ ଆରମ୍ଭ ହେବାକୁ ଥିବା ଏହି ଶୃଙ୍ଖଳାରେ ଇଂଲଣ୍ଡ ୨ ସ୍ପିନରଙ୍କୁ ନେଇ ମଧ୍ୟ ବୋଲିଂ ଆରମ୍ଭ କରିପାରେ । ଏଭଳି କହିଛନ୍ତି ଇଂଲଣ୍ଡର ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌ ।

ଶେଷ ଥର ୨୦୧୨-୧୩ ସିଜିନ୍‌ରେ ଇଂଲଣ୍ଡ ଭାରତରେ ଟେଷ୍ଟ ଶୃଙ୍ଖଳା ଜିତିଥିଲା । ଶେଷ ଥର ଯେତେବେଳେ ୨୦୨୧ରେ ଭାରତ ଗସ୍ତରେ ଇଂଲଣ୍ଡ ଦଳ ଆସିଥିଲା, ଚେନ୍ନାଇରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜିତିବା ପରେ ମଧ୍ୟ ୩-୧ରେ ସିରିଜ୍‌କୁ ଘରୋଇ ଭାରତ କବ୍‌ଜା କରିନେଇଥିଲା । ଏଥର ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳରେ ଜ୍ୟାକ୍‌ ଲିଚ୍‌, ରେହାନ ଅହମ୍ମଦ, ଟମ୍‌ ହାର୍ଟଲେ ଓ ସୋଏବ ୱସିର୍‌ଙ୍କ ଭଳି ପ୍ରମୁଖ ସ୍ପିନ୍‌ ଆଟାକ୍‌ ରହିଛି । ଆଣ୍ଡରସନ୍, ଓଲି ରବିନ୍‌ସନ୍‌ ଏବଂ ମାର୍କ ଉଡଙ୍କ ଦ୍ରୁତ ବୋଲିଂ ଟ୍ରାଇ ବ୍ୟତୀତ କେବଳ ଲିଚ୍‌ ପୂର୍ବରୁ ଭାରତରେ ଟେଷ୍ଟ ଖେଳିଛନ୍ତି । ତେଣୁ ସାମ୍ପ୍ରତିକ ସମୟରେ ଦଳର ଜଣେ ବରିଷ୍ଠ ଖେଳାଳି ଭାବରେ ଯୁବ ଖେଳାଳିଙ୍କ ପରାମର୍ଶଦାତା ଭୂମିକାରେ ପାଦ ଦେବା ମୋର କର୍ତ୍ତବ୍ୟ ହେବ ବୋଲି କହିଛନ୍ତି ଆଣ୍ଡରସନ୍‌ । ଏପରି ବୋଲର ଅଛନ୍ତି ଯେଉଁମାନେ ପୂର୍ବରୁ ଭାରତରେ ବୋଲିଂ କରିନାହାଁନ୍ତି, ତେଣୁ ଏହା ସେମାନଙ୍କ ପାଇଁ ଏକ ଭିନ୍ନ ଚ୍ୟାଲେଞ୍ଜ ହେବ । ଯେଉଁଠାରେ ସମ୍ଭବ ଆମକୁ ସାହାଯ୍ୟ କରିବାକୁ ପଡିବ ବୋଲି ଆଣ୍ଡରସନ୍‌ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କୋହଲିଙ୍କ ପାଇଁ ଆସୁଛି ରେକର୍ଡ ବ୍ରେକିଂ ସିଜିନ୍‌; ଭାଙ୍ଗିବେ ସଚିନ-ଗାଭାସ୍କରଙ୍କ ରେକର୍ଡ

ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଣ୍ଡରସନ୍‌ କହିଛନ୍ତି, "ଭାରତ ବିପକ୍ଷ ଟେଷ୍ଟ ବେଳେ ରିଭର୍ସ ସୁଇଙ୍ଗ୍‌ ଏକ ବଡ଼ ଭୂମିକା ଗ୍ରହଣ କରିବ । ଏପରି ଏକ ସୁଯୋଗ ମଧ୍ୟ ହୋଇପାରେ ଯେତେବେଳେ ଆମେ କେବଳ ସିମରଙ୍କ ଠାରୁ ବୋଲିଂ ଆରମ୍ଭ ନକରି ଦୁଇଜଣ ସ୍ପିନରଙ୍କ ସହିତ ପାଳି ଆରମ୍ଭ କରିପାରୁ । ଏହାପରେ ଦ୍ରୁତ ବୋଲରଙ୍କ ଭୂମିକା ବହୁତ ବଦଳିଯାଏ, ସେମାନଙ୍କ ପାଳି ସେଟ୍‌ ବ୍ୟାଟରଙ୍କ ସହ ତୃତୀୟ କିମ୍ବା ଚତୁର୍ଥ ବିକଳ୍ପ ଭାବେ ଆସିବ । ଏହା ହେଉଛି ଭାରତରେ ଖେଳିବାର ଆହ୍ବାନ ।" ଅଭିଜ୍ଞ ପେସର ଜେମ୍ସ ଆଣ୍ଡରସନ୍‌ଙ୍କର ଭାରତୀୟ ମାଟିରେ ଟେଷ୍ଟରେ ବହୁତ ଭଲ ରେକର୍ଡ ରହିଛି । ସେ ଏଠାରେ ୩୯ ୱିକେଟ୍‌ ହାସଲ କରିଛନ୍ତି । ସେ ଏବେ ପର୍ଯ୍ୟନ୍ତ ଟେଷ୍ଟରେ ସମୁଦାୟ ୬୯୦ ୱିକେଟ୍‌ ହାସଲ କରିଛନ୍ତି । ଏଭଳି ସ୍ଥିତିରେ ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ତାଙ୍କୁ ୭୦୦ ଟେଷ୍ଟ ୱିକେଟ୍‌ ହାସଲ କରିବାର ସୁଯୋଗ ମିଳିବ ।

୪୧ ବର୍ଷୀୟ ଜେମ୍ସ ଆଣ୍ଡରସନ୍‌ଙ୍କ ମତରେ ନିଜ ଦଳକୁ ଦେବାକୁ ତାଙ୍କ ନିକଟରେ ଏବେ ବି ବହୁତ କିଛି ବାକି ଅଛି । ସେ କହିଛନ୍ତି, "ଏହା ଖରାପ ଲାଗିପାରେ, କିନ୍ତୁ ଆପଣଙ୍କୁ କେବଳ ଆଗକୁ ବଢ଼ିବାକୁ ହେବ । ଖେଳ ସାରିବାକୁ ନେଇ ଏବେ ମୋ ମନରେ କୌଣସି ଚିନ୍ତା ଆସିନାହିଁ । ମୋତେ ଲାଗୁଛି ଶେଷ ୫ରୁ ୬ ବର୍ଷ ମୋ କ୍ରିକେଟ୍‌ କ୍ୟାରିୟରର ସର୍ବଶ୍ରେଷ୍ଠ ବର୍ଷ । ଯଦିଓ ଗତବର୍ଷ ଆସେସ୍‌ରେ ମୋର ପ୍ରଦର୍ଶନ ଆଶାନୁରୂପ ଭଲ ନଥିଲା, ହେଲେ ଏଭଳି ଅନେକ ସିରିଜ୍‌ ଅଛି, ଯେଉଁଥିରେ ମୁଁ ଭଲ ପ୍ରଦର୍ଶନ କରିନାହିଁ । ହେଲେ ଏହା କେବଳ ଆଗକୁ ଭଲ ଖେଳିବାକୁ ଉତ୍ସାହ ଯୋଗାଏ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.