ETV Bharat / sports

Cricket World Cup 2023: ପାକିସ୍ତାନୀ ଖେଳାଳିଙ୍କୁ ମିଳିନି ୫ମାସର ଦରମା ! ଗୁମର ଖୋଲିଲେ ପୂର୍ବତନ ଅଧିନାୟକ

author img

By ETV Bharat Odisha Team

Published : Oct 28, 2023, 10:44 PM IST

ଚାପରେ ପାକିସ୍ତାନୀ ଖେଳାଳି ! ୫ ମାସ ହେଲା ପିସିବି ଦରମା ଦେଉନଥିବା ଅଭିଯୋଗ କଲେ ପୂର୍ବତନ ଅଧିନାୟକ ରଶିଦ ଲତିଫ । ବାବରଙ୍କ ସମେତ ବିଶ୍ବକପ୍‌ ଖେଳୁଥିବା ଅନ୍ୟ ଖେଳାଳିଙ୍କ ମେସେଜକୁ ପିସିବି ଅଧ୍ୟକ୍ଷ ଓ ଅନ୍ୟ ଅଧିକାରୀମାନେ ଅଣଦେଖା କରୁଥିବା ଅଭିଯୋଗ କଲେ ଲତିଫ । ଅଧିକ ପଢ଼ନ୍ତୁ

ପାକିସ୍ତାନୀ ଖେଳାଳିଙ୍କୁ ମିଳିନି ଦରମା !
ପାକିସ୍ତାନୀ ଖେଳାଳିଙ୍କୁ ମିଳିନି ଦରମା !

ହାଇଦ୍ରାବାଦ: ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ ପାକିସ୍ତାନ ଟିମ୍‌ର ଶୋଚନୀୟ ପ୍ରଦର୍ଶନ ଜାରି ରହିଛି । ଏପରିକି ସେମିଫାଇନାଲ୍‌ ରେସ୍‌ରୁ ପାକ୍‌ ଦଳ ଏକ ପ୍ରକାର ବାଦ ପଡ଼ିଛି । ଏହାରି ଭିତରେ ବାବରଙ୍କ ଟିମ୍‌କୁ ନେଇ ଅନେକ ତଥ୍ୟ ଧିରେ ଧିରେ ସାମ୍ନାକୁ ଆସିବାକୁ ଲାଗିଛି । କିଛିଦିନ ତଳେ ଦଳ ଭିତରେ ଅନ୍ତଃକନ୍ଦଳ ଲାଗି ରହିଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକୁ ପରବର୍ତ୍ତୀ ମୂହୂର୍ତ୍ତରେ ପିସିବି ଖଣ୍ଡନ କରିଥିଲା । ଏବେ ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ରଶିଦ ଲତିଫଙ୍କ ବୟାନ ସାମ୍ନାକୁ ଆସିଛି । ପିସିବି ଅଧ୍ୟକ୍ଷ ଜାକା ଅଶ୍ରଫଙ୍କ ସମେତ ଅନ୍ୟ ଅଧିକାରୀମାନେ ବାବରଙ୍କ ସମେତ ବିଶ୍ବକପ୍‌ ଖେଳୁଥିବା ଅନ୍ୟ ଖେଳାଳିଙ୍କ ମେସେଜକୁ ଅଣଦେଖା କରିବାରେ ଲାଗିଛନ୍ତି ବୋଲି ସେ ଅଭିଯାଗ କରିଛନ୍ତି । ଏପରିକି ଖେଳାଳିଙ୍କୁ ପିସିବି ୫ ମାସ ହେଲା ଦରମା ମଧ୍ୟ ଦେଉ ନାହିଁ ବୋଲି ସେ ଦାବି କରିଛନ୍ତି ।

ଭାରତରେ ଚାଲିଥିବା ଦିନିକିଆ ବିଶ୍ବକପ୍‌ରେ ପାକିସ୍ତାନ ଆରମ୍ଭରୁ ପ୍ରଭାବୀ ପ୍ରଦର୍ଶନ ଦେଇଥିଲା । ପ୍ରଥମରୁ କ୍ରମାଗତ ଭାବେ ଦୁଇଟି ମ୍ୟାଚ୍‌ ଜିତି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଥିଲା ବାବର ବାହିନୀ । ହେଲେ ଏହାପରେ କ୍ରମାଗତ ୪ଟି ମ୍ୟାଚ୍‌ ହାରି ସେମିଫାଇନାଲ୍‌ ରେସ୍‌ରୁ ବାଦ ପଡ଼ିଛି ପାକିସ୍ତାନ । ଶୁକ୍ରବାର କଡ଼ା ସଙ୍ଘର୍ଷ ସତ୍ତ୍ବେ ଦକ୍ଷିଣ ଆଫ୍ରିକା ଠାରୁ ୧ ୱିକେଟ୍‌ରେ ହାରିଯାଇଛି ପାକିସ୍ତାନ । ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ଥିବାବେଳେ ଦଳର ସେମିଫାଇନାଲରେ ପ୍ରବେଶ କରିବା ଆଶା କ୍ଷୀଣ । ଏହାରି ଭିତରେ ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ରଶିଦ ଲତିଫଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ପାକିସ୍ତାନ ଖେଳାଳିଙ୍କ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ବିଭିନ୍ନ ପ୍ରକାର ମତ ସାମ୍ନାକୁ ଆସୁଥିବାବେଳେ ୫ ମାସ ହେଲା ଦରମା ନପାଇବା ଏକ ପ୍ରମୁଖ କାରଣ ବୋଲି ଲତିଫ କହିଛନ୍ତି ।଼

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ପାକିସ୍ତାନ ଟିମ୍‌ରେ ଅନ୍ତଃକନ୍ଦଳ ! ରିପୋର୍ଟକୁ ଖଣ୍ଡନ କଲା PCB

ଏକ କାର୍ଯ୍ୟକ୍ରମରେ ଲତିଫ କହିଛନ୍ତି, "ବାବର ଆଜମ ବାରମ୍ବାର ପିସିବି ଅଧ୍ୟକ୍ଷଙ୍କୁ ମେସେଜ କରୁଛନ୍ତି । କିନ୍ତୁ ସେ କୌଣସି ପ୍ରକାରର ଉତ୍ତର ଦେଉନାହାନ୍ତି । ପିସିବି ସିଓଓ ସଲମାନ ନାସୀରଙ୍କୁ ମଧ୍ୟ ବାବର ମେସେଜ କରିଥିଲେ । ହେଲେ ସେ ମଧ୍ୟ କୌଣସି ଉତ୍ତର ଦେଉନାହାନ୍ତି । ଦେଶର ଅଧିନାୟକଙ୍କ ମେସେଜର ଜବାବ ନଦେବାର କାରଣ କଣ ? ଏହାପରେ ପିସିବି କେବଳ ପ୍ରେସ ରିଲିଜ ଜାରି କରୁଛି । ଆହୁରି କହୁଛନ୍ତି ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିକୁ ପୁଣି ବିଚାର କରାଯିବ । ଖେଳାଳିମାନେ ୫ ମାସ ହେଲା ଦରମା ପାଇନାହାନ୍ତି । ଏପରି ସ୍ଥିତିରେ ଖେଳାଳିମାନଙ୍କ ମାନସିକ ଅବସ୍ଥା କଣ ଥିବ ? ସେମାନେ ପିସିବି କଥା ଶୁଣିବେ କି ?" ପିସିବି ପାକିସ୍ତାନ ଖେଳାଳିମାନଙ୍କୁ ଉପଯୁକ୍ତ ସମର୍ଥନ କରୁନଥିବାରୁ, ସେମାନେ ଅସନୁଷ୍ଟ ଥିବା ଖବର ପୂର୍ବରୁ ପ୍ରକାଶ ପାଇଥିଲା । ଏହି ବିବାଦ ଥମିନଥିବାବେଳେ ଲତିଫଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.