ETV Bharat / sports

BGT 4th Test, Day-2 Stumps: ଅଷ୍ଟ୍ରେଲିଆ ୪୮୦/10, ଭାରତ ୩6/0 , ପୁଣି ଟେନସନ୍ ଦେଲେ ଟେଲ୍ଏଣ୍ଡର

author img

By

Published : Mar 10, 2023, 4:47 PM IST

Updated : Mar 10, 2023, 5:48 PM IST

୪୮୦ ରନରେ ଅଲଆଉଟ ଅଷ୍ଟ୍ରେଲିଆ
୪୮୦ ରନରେ ଅଲଆଉଟ ଅଷ୍ଟ୍ରେଲିଆ

ବର୍ଡର ଗାଭାସ୍କର ଟ୍ରଫି ଚତୁର୍ଥ ଟେଷ୍ଟର ଦ୍ବିତୀୟ ଦିନରେ ୪୮୦ ରନରେ ଅଲଆଉଟ ହେଲା ଅଷ୍ଟ୍ରେଲିଆ । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନ ଏକାକି ୬ ୱିକେଟ ହାସଲ କରିଛନ୍ତି । ଏହାପରେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଛନ୍ତି ଅଧିନାୟକ ରୋହିତ ଶର୍ମା ଓ ଯୁବ ବ୍ୟାଟର ଶୁଭମନ ଗିଲ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୧୦ ଓଭର ଖେଳି ବିନା କୌଣସି କ୍ଷତିରେ ୩୬ ରନ ସଂଗ୍ରହ କରିଛି । ଅଧିକ ପଢ଼ନ୍ତୁ

ଅହମ୍ମଦାବାଦ: ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଚତୁର୍ଥ ଟେଷ୍ଟର ଦ୍ବିତୀୟ ଦିନର ଖେଳ ଶେଷ ହୋଇଛି । ଦ୍ବିତୀୟ ଦିନରେ କଙ୍ଗାରୁ ଦଳର ପ୍ରଥମ ଇନିଂସ ଶେଷ ହୋଇଥିବା ବେଳେ ପ୍ରଥମ ପାଳିରୁ ହିଁ ଭାରତ ଉପରେ ଚାପ ସୃଷ୍ଟି କରିଛି ଭ୍ରମଣକାରୀ ଦଳ । ଅଷ୍ଟ୍ରେଲିଆର ଦୁଇ ଦୁଇ ଜଣ ବ୍ୟାଟର ଉସ୍‌ମାନ ଖାୱଜା ଓ କ୍ୟାମେରନ ଗ୍ରୀନଙ୍କ ଲଢ଼ୁଆ ଶତକ ବଳରେ ଦଳ ୪୮୦ର ବିଶାଳ ସ୍କୋରରେ ପହଞ୍ଚିଛି । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନ ଏକାକି ୬ ୱିକେଟ ହାସଲ କରି ଅଷ୍ଟ୍ରେଲିଆକୁ ଅଲ ଆଉଟ କରିବାରେ ସଫଳ ହୋଇଛନ୍ତି । ଏହାପରେ ବ୍ୟାଟିଂ କରିବାକୁ ଓହ୍ଲାଇଛନ୍ତି ଅଧିନାୟକ ରୋହିତ ଶର୍ମା ଓ ଯୁବ ବ୍ୟାଟର ଶୁଭମନ ଗିଲ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୧୦ ଓଭର ଖେଳି ବିନା କୌଣସି ୱିକେଟ୍‌ରେ ୩୬ ରନ ସଂଗ୍ରହ କରିଛି ।

୯ ମାର୍ଚ୍ଚ, ଗୁରୁବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ ସ୍ମିଥ । ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ପରାଜୟ ପରେ ଚତୁର୍ଥ ଟେଷ୍ଟରେ ବିଜୟ ସହ WTC ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଥିବା ଟିମ ଇଣ୍ଡିଆକୁ ପ୍ରଥମ ପାଳିରେ ହିଁ ଅକଳରେ ପକାଇଛି କଙ୍ଗାରୁ ଦଳ । ପ୍ରଥମ ଦିନରେ କେବଳ ୪ ୱିକେଟ ହରାଇ ୨୫୫ ରନ ସ୍କୋର କରିଥିବା ଅଷ୍ଟ୍ରେଲିଆ ଦ୍ବିତୀୟ ଦିନରେ ସମସ୍ତ ୱିକେଟ ହରାଇବା ସହ ୪୮୦ର ବଡ଼ ସ୍କୋର କରିଛି । ଏହି ମ୍ୟାଚ୍‌ ଜିତିବାକୁ ହେଲେ ଭାରତୀୟ ବ୍ୟାଟରଙ୍କୁ ମଧ୍ୟ ପ୍ରଥମ ପାଳିରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ବିଶାଳ ସ୍କୋର କରିବାକୁ ପଡ଼ିବ ।

ଅଷ୍ଟ୍ରେଲିଆର ପ୍ରଥମ ପାଳିରେ ପ୍ରାରମ୍ଭିକ ବ୍ୟାଟର ଟ୍ରାବିସ ହେଡ୍‌ ୪୪ ବଲରୁ ୩୨ ରନ ସଂଗ୍ରହ କରିଥିବା ବେଳେ ଅଶ୍ବିନଙ୍କ ବଲରେ ରବିନ୍ଦ୍ର ଜାଡେଜାଙ୍କ ହାତରେ ଧରାପଡ଼ିଥିଲେ । କିନ୍ତୁ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ଉସ୍‌ମାନ ଖାୱଜା ଅନ୍ୟପଟେ ଭାରତୀୟ ବୋଲରଙ୍କୁ ଦୃଢ଼ ଜବାବ ଦେଇଥିଲେ । ୪୨୨ ବଲ ଖେଳି ସେ ୧୮୦ ରନ ସଂଗ୍ରହ କରିଥିଲେ । ଏହା ତାଙ୍କ ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରର ୧୪ ତମ ଶତକ ଥିଲା । ଏହାପରେ ତାଙ୍କୁ ଭାରତୀୟ ସ୍ପିନର ଅକ୍ଷର ପଟେଲ ପାଭିଲିୟନର ରାସ୍ତା ଦେଖାଇଥିଲେ । ସେହିଭଳି କ୍ୟାମେରନ ଗ୍ରୀନ ମଧ୍ୟ ୧୭୦ ବଲରୁ ୧୧୪ ରନର ଶତକୀୟ ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଙ୍ଗାରୁ ଦଳର ଅଧିନାୟକ ସ୍ମିଥ ୩୮, ହ୍ୟାଣ୍ଡସ୍କମ୍ବ ୧୭, ନାଥନ ଲାୟନ ୩୪ ଓ ଟଡ ମର୍ଫି ୪୧ ରନ ସଂଗ୍ରହ କରିଥିଲେ ।

ଭାରତ ପକ୍ଷରୁ ମହମ୍ମଦ ସାମି ୩୧ ଓଭର ବୋଲିଂ କରି ୧୩୪ ରନ ବ୍ୟୟ କରିଥିଲେ । ପ୍ରଥମ ଦିନରେ ୨ଟି ସଫଳତା ପାଇଥିବା ସାମିଙ୍କୁ ଦ୍ବିତୀୟ ଦିନରେ କୌଣସି ସଫଳତା ମିଳିନଥିଲା । ଅନ୍ୟମାନଙ୍କ ମଧ୍ୟରେ ଦ୍ରୁତ ବୋଲର ଉମେଶ ଯାଦବ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ ୨୫ ଓଭରରେ ୧୦୫ ରନ ଦେଇ ଗୋଟିଏ ମଧ୍ୟ ୱିକେଟ ପାଇନଥିଲେ । ପ୍ରତିଥର ଭଳି ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ସର୍ବାଧିକ ସଫଳତା ପାଇଥିଲେ । ସେ ୪୭.୨ ଓଭରରୁ ୯୧ ରନ ଦେଇ ୬ ୱିକେଟ ହାସଲ କରିଥିଲେ । ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ଅଷ୍ଟ୍ରେଲିଆ ଅଲ ଆଉଟ ହେବାପରେ ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ରୋହିତ ୩୩ ବଲରୁ ୨ ଚୌକା ସହ ୧୭ ରନ ସଂଗ୍ରହ କରିଥିବା ବେଳେ ଯୁବ ବ୍ୟାଟର ଗିଲ ୨୭ ବଲରୁ ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ ୧୮ ରନ କରିଛନ୍ତି ।

ଭାରତୀୟ ଦଳ ଚଳିତ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ମ୍ୟାଚରେ ୨-୧ରେ ଆଗୁଆ ରହିଛି । କାନପୁର ଓ ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଓ ଦ୍ବିତୀୟ ଟେଷ୍ଟ ଜିତିଥିଲା ରୋହିତ ବାହିନୀ । ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆଠାରୁ 9 ୱିକେଟରେ ପରାସ୍ତ ହୋଇଥିଲା ଭାରତ । ଏହି ଶେଷ ମୁକାବିଲା ଭାରତ ପାଇଁ ନିର୍ଣ୍ଣାୟକ । WTC ଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌ ଜିତିବାକୁ ହେବ । ଏହି ଟେଷ୍ଟ ଜିତିଲେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିୟନସିପ୍‌ ଖେଳିବାକୁ ଫାଇନାଲରେ ପ୍ରବେଶ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 10, 2023, 5:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.