ETV Bharat / sports

BGT 4th Test, Day-4 Stumps: କୋହଲିଙ୍କ ବିରାଟ ପାଳି, ସିରିଜ ବିଜୟ ମୁହାଁ ଭାରତ

author img

By

Published : Mar 12, 2023, 5:44 PM IST

BGT 4th Test, Day-4 Stumps
BGT 4th Test, Day-4 Stumps

ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନର ଖେଳ ଶେଷ ହୋଇଛି । ଭାରତ ୫୭୧ ରନ ସ୍କୋର କରି ପ୍ରଥମ ପାଳି ଶେଷ କରିବା ପରେ ଦ୍ବିତୀୟ ପାଳି ବ୍ୟାଟିଂ ଆରମ୍ଭ କରି ୩ ରନ କରିଛି ଅଷ୍ଟ୍ରେଲିଆ । ଫଳରେ ଭାରତଠାରୁ ବର୍ତ୍ତମାନ ୮୮ ରନ ପଛରେ ରହିଛି କଙ୍ଗାରୁ ଦଳ । ଅଧିକ ପଢ଼ନ୍ତୁ

ଅହମ୍ମଦାବାଦ: ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନର ଖେଳ ଶେଷ ହୋଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ଶେଷ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନର ଖେଳରେ କିଙ୍ଗ କୋହଲିଙ୍କ ବିରାଟ ଶୋ ଦେଖିବାକୁ ମିଳିଥିଲା । ତେବେ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ୫୭୧ ରନ ସ୍କୋର କରି କଙ୍ଗାରୁ ଦଳଠାରୁ ୯୧ ରନ ଆଗରେ ରହି ପ୍ରଥମ ପାଳି ଶେଷ କରିଛି । ଏହାପରେ ଦ୍ବିତୀୟ ପାଳି ବ୍ୟାଟିଂ ଆରମ୍ଭ କରି ୩ ରନ କରିବା ପରେ ଭାରତ ଠାରୁ ୮୮ ରନ ପଛରେ ରହିଛି ଅଷ୍ଟ୍ରେଲିଆ ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ୍‌ ଜିତିଥିଲା ରୋହିତ ବାହିନୀ । ତୃତୀୟ ଟେଷ୍ଟରେ କିନ୍ତୁ ଅଷ୍ଟ୍ରେଲିଆ ବିଜୟର ସ୍ବାଦ ଚାଖିଥିଲା । ସିରିଜକୁ ୨-୨ରେ ବରାବର କରିବା ଲକ୍ଷ୍ୟରେ ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ କଙ୍ଗାରୁ ଦଳର ଅଧିନାୟକ । ପ୍ରଥମ ପାଳିରେ ୪୮୦ର ବଡ଼ ସ୍କୋର କରିଥିଲା ଅଷ୍ଟ୍ରେଲିଆ । ଏହାପରେ ଭାରତ ପଡ଼ିଆ ମଧ୍ୟକୁ ଓହ୍ଲାଇଥିବା ରୋହିତ ବାହିନୀ କଙ୍ଗାରୁ ବୋଲରଙ୍କୁ ସାମ୍ନା କରିଥିଲେ । ଅଧିନାୟକ ରୋହିତ ଶର୍ମାଙ୍କର ୩୫ ରନର ପାଳି ପରେ ଯୁବ ତାରକା ବ୍ୟାଟର ଶୁଭମନ ଗିଲଙ୍କର ୧୨୮ ରନର ଶତକୀୟ ପାଳି ଆସିଥିଲା । ଏହାପରେ ପୂଜାରା ୧୨୧ ବଲରୁ ୪୨ ରନ କରି ଟଡ୍‌ ମର୍ଫିଙ୍କ ଶିକାର ହୋଇଥିଲେ । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରି ରବିନ୍ଦ୍ର ଜାଡେଜାଙ୍କ ସହ ପିଚ୍‌ରେ ମହଜୁଦ ରହିଥିଲେ ।

ଆଜି ଚତୁର୍ଥ ଦିବସରେ ଅହମ୍ମଦାବାଦରେ କିଙ୍ଗ କୋହଲିଙ୍କ ସୋ' ଦେଖିବାକୁ ମିଳିଥିଲା । ଟେଷ୍ଟରେ ଦୀର୍ଘ ସାଢ଼େ ୩ ବର୍ଷରୁ ଶାନ୍ତ ରହିଥିବା ବିରାଟ କୋହଲି ୨୮ତମ ଶତକ ହାସଲ କରିଥିଲେ । ଏହାପରେ ନିଜର ପୁରୁଣା ଅନ୍ଦାଜରେ ବୋଲରଙ୍କୁ ଆକ୍ରମଣ କରିଥିଲେ କୋହଲି । ରବିନ୍ଦ୍ର ଜାଡେଜା ୮୪ ବଲରୁ ୨ଟି ଚୌକା ଓ ଗୋଟିଏ ଛକା ସହିତ ୨୮ ରନ ସଂଗ୍ରହ କରି ଟଡ୍‌ ମର୍ଫିଙ୍କ ବଲରେ ଖ୍ୱାଜାଙ୍କ ହାତରେ ଧରା ପଡ଼ିବା ପରେ ୱିକେଟ ରକ୍ଷକ ବ୍ୟାଟର ଶ୍ରୀକର ଭରତ କିଛି ସମୟ ଅନୁଭବୀ ଖେଳ ଦେଖାଇଥିଲେ । ସେ ୮୮ ବଲରୁ ୫୦ ଷ୍ଟ୍ରାଇକ୍‌ ରେଟ୍‌ରେ ୨ ଚୌକା ଓ ୩ ଛକା ବଳରେ ୪୪ ରନ ସଂଗ୍ରହ କରି ଲାୟନଙ୍କ ଶିକାର ହୋଇଥିଲେ । ଏହାପରେ ଆଜି ଅକ୍ଷର ପଟେଲ ସୋ ଦେଖିବାକୁ ମିଳିଥିଲା । ୧୧୩ ବଲରୁ ୫ ଚୌକା ଓ ୪ ଛକା ବଳରେ ସେ ଆକ୍ରମଣାତ୍ମକ ବ୍ୟାଟିଂ କରି ୭୯ ରନ ସଂଗ୍ରହ କରିଥିଲେ । ଏହି ସମୟରେ ଅଷ୍ଟ୍ରେଲିଆନ ଷ୍ଟାର୍‌ ପେସର ମିଚେଲ ଷ୍ଟାର୍କ ଅକ୍ଷରଙ୍କୁ କ୍ଲିନ ବୋଲ୍ଡ କରିଦେଇଥିଲେ । ରବି ଚନ୍ଦ୍ରନ ଅଶ୍ବିନ କେବଳ ୭ ରନ କରି ପାଭିଲିୟନ ଫେରିଥିଲେ । ଉମେଶ ଯାଦବ ଖାତା ଖୋଲିବା ପୂର୍ବରୁ ରନ ଆଉଟ ହେବା ପରେ ଶେଷରେ ବିରାଟ କୋହଲି ମଧ୍ୟ ୩୬୪ ବଲରୁ ୧୮୬ ରନ କରିଥିବା ବେଳେ ଟଡ୍‌ ମର୍ଫିଙ୍କ ବଲରେ ଲାବୁସାନଙ୍କ ହାତରେ ଧରା ପଡ଼ିଥିଲେ । ଆହତ କାରଣରୁ ଏହି ଇନିଂସରେ ଶ୍ରେୟସ ଆୟର ଖେଳିପାରିନାହାନ୍ତି ।

ସେପଟେ ଆଜି କଙ୍ଗାରୁ ସ୍ପିନର ଟଡ୍‌ ମର୍ଫି ଓ ନାଥନ ଲାୟନ ଦୁଇଟି ଲେଖାଏଁ ୱିକେଟ ହାସଲ କରି ଏହି ପାଳିରେ ସମୁଦାୟ ୩ଟି ଲେଖାଏଁ ୱିକେଟ ପାଇଛନ୍ତି । ଅନୁଭବୀ ପେସର ମିଚେଲ ଷ୍ଟାର୍କ ଗୋଟିଏ ଓ ମାଥ୍ୟୁ କୁହନେମାନ ଗୋଟିଏ ସଫଳତା ହାତେଇଛନ୍ତି । ଏହାପରେ ଭାରତ ଠାରୁ ୯୧ ରନ ପଛରେ ରହି ବ୍ୟାଟିଂ କରିବାକୁ ଓହ୍ଲାଇଥିଲା କଙ୍ଗାରୁ ଦଳ । ମାଥ୍ୟୁ କୁହନେମାନ ଓ ଟ୍ରାବିସ ହେଡ ବ୍ୟାଟିଂ କରିବାକୁ ଆସିଥିବା ବେଳେ ଆଜି ଖେଳ ଶେଷ ସୁଦ୍ଧା ୬ ଓଭର ଖେଳି ୩ ରନ କରିଛି ଅଷ୍ଟ୍ରେଲିଆ । ଫଳରେ ଆଉ ଗୋଟିଏ ଦିନର ଖେଳ ବାକି ରହିଥିବା ବେଳେ ୮୮ ରନ ପଛରେ ରହିଛି ଭାରତ । ସେପଟେ ଭାରତର ଆଉ ଏକ ଇନିଂସ ବାକି ଥିବାରୁ ଏହି ଚତୁର୍ଥ ଟେଷ୍ଟ ଅମିମାଂସିତ ରହିବା ପ୍ରାୟ ନିଶ୍ଚିତ । ଯଦି ଏପରି ହୁଏ, ତେବେ ସିରିଜ ବିଜୟ ସହ ପୁଣିଥରେ ବର୍ଡର ଗାଭାସ୍କର ଟ୍ରଫି ହାତେଇବ ଟିମ୍‌ ଇଣ୍ଡିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.