ETV Bharat / sports

Ind vs Aus 3rd ODI: ଫେଲ ମାରିଲେ ଭାରତର ବ୍ୟାଟର, ୨-୧ରେ ଶୃଙ୍ଖଳା ଜିତିଲା ଅଷ୍ଟ୍ରେଲିଆ

author img

By

Published : Mar 22, 2023, 10:57 PM IST

ଦିନିକିଆ ଶୃଙ୍ଖଳାରେ ଭାରତର ଶୋଚନୀୟ ପରାଜୟ । ୨-୧ରେ ଶୃଙ୍ଖଳା ଜିତିଲା ଅଷ୍ଟ୍ରେଲିଆ । ତୃତୀୟ ଦିନିକିଆରେ କେବଳ ୨୭୦ ରନର ବିଜୟ ଲକ୍ଷ୍ୟକୁ ପୂରଣ କରିବାରେ ଅସଫଳ ହୋଇଛି ରୋହିତ ବାହିନୀ । ଅଧିକ ପଢ଼ନ୍ତୁ

୨-୧ରେ ଶୃଙ୍ଖଳା ଜିତିଲା ଅଷ୍ଟ୍ରେଲିଆ
୨-୧ରେ ଶୃଙ୍ଖଳା ଜିତିଲା ଅଷ୍ଟ୍ରେଲିଆ

ଚେନ୍ନାଇ: ଘରୋଇ ଭାରତଠାରୁ ଦିନିକିଆ ଶୃଙ୍ଖଳା ଛଡ଼ାଇ ନେଇଛି ଭ୍ରମଣକାରୀ ଅଷ୍ଟ୍ରେଲିଆ । ୧-୧ରେ ବରାବର ରହିଥିବା ଦିନିକିଆ ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ରେ ଭାରତକୁ ୨୧ ରନରେ ହରାଇଛି ଅଷ୍ଟ୍ରେଲିଆ । ଫଳରେ ଶୃଙ୍ଖଳା ହାରିଯାଇଛି ରୋହିତ ବାହିନୀ । କେବଳ ୨୭୦ ରନ ବିଜୟ ଲକ୍ଷ୍ୟକୁ ମଧ୍ୟ ହାସଲ କରିପାରିନି ଭାରତ । ଫଳରେ ଦିନିକିଆ ବିଶ୍ବକପ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆଦାମ ଜାମ୍ପା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ ମିଚେଲ ମାର୍ଶ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି ।

ପ୍ରଥମ ଦିନିକିଆ ମ୍ୟାଚ୍‌ରୁ ଭାରତୀୟ ବ୍ୟାଟରଙ୍କ ପ୍ରଦର୍ଶନ ଶୋଚନୀୟ ରହିଛି । ବ୍ୟାଟିଂ ବିପର୍ଯ୍ୟୟ ମଧ୍ୟରେ ସଙ୍କଟମୋଚକ ସାଜି ଭାରତକୁ ପ୍ରଥମ ମ୍ୟାଚ୍‌ରେ ବିଜୟୀ କରାଇଥିଲେ ଲୋକେଶ ରାହୁଲ । ଏହାପରେ କିନ୍ତୁ ଦ୍ବିତୀୟ ମୁକାବିଲାରେ କୌଣସି ଭାରତୀୟ ବ୍ୟାଟର କଙ୍ଗାରୁ ବୋଲରଙ୍କୁ ସାମ୍ନା କରିବାରେ ସଫଳ ହୋଇନଥିଲେ । ଏହି ମୁକାବିଲାରେ କେବଳ ୧୧୭ ରନରେ ଅଲ ଆଉଟ୍‌ ହୋଇଥିଲା ଭାରତ । ଏହାକୁ ସହଜରେ ୧୦ ୱିକେଟରେ ଜିତି ଶୃଙ୍ଖଳାକୁ ୧-୧ରେ ବରାବର କରିଥିଲା କଙ୍ଗାରୁ ଦଳ । ଏହାପରେ ଆଜି ତୃତୀୟ ଦିନିକିଆରେ ଶୃଙ୍ଖଳା ଜିତିବାକୁ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଉଭୟ ଦଳ । କିନ୍ତୁ ଏଥିରେ ମଧ୍ୟ ଭାରତୀୟ ବ୍ୟାଟରଙ୍କ ପ୍ରଦର୍ଶନ ଶୋଚନୀୟ ରହିଥିଲା । ଫଳରେ ଏହି ମ୍ୟାଚ ଜିତି ୨-୧ରେ ଶୃଙ୍ଖଳା ଜିତି ନେଇଛି ଭ୍ରମଣକାରୀ ଦଳ ।

ଆଜିର ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ କଙ୍ଗାରୁ ଅଧିନାୟକ ଷ୍ଟିଭ୍‌ ସ୍ମିଥ । ତେବେ ପ୍ରଥମ ପାଳିରେ କୌଣସି ବ୍ୟାରଙ୍କୁ ଅର୍ଦ୍ଧଶତକ ହାସଲ କରିବାକୁ ଦେଇନଥିଲେ ଭାରତୀୟ ବୋଲର । ଦଳକୁ ଭଲ ଆରମ୍ଭ ଦେଇ ଟ୍ରାବିସ ହେଡ ୩୩ ରନ କରି ଆଉଟ ହେବା ପରେ ମିଚେଲ ମାର୍ଶ ୪୭ ବଲରୁ ୪୭ ରନ ସଂଗ୍ରହ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ । ଅଧିନାୟକ ସ୍ମିଥ ଖାତା ଖୋଲିବା ପୂର୍ବରୁ ହାର୍ଦ୍ଦିକଙ୍କ ଶିକାର ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାର୍ନର ୨୩, ଲାବୁସାନେ ୨୮, ଆଲେକ୍ସ କ୍ୟାରୀ ୩୮, ଷ୍ଟୋଇନିସ ୨୫, ଆବଟ ୨୬, ଆଷ୍ଟନ ଅଗର ୧୭ ଓମିଚେଲ ଷ୍ଟାର୍କ ୧୦ ରନ ସଂଗ୍ରହ କରି ପାଭିଲିୟନ ଫେରିଥିଲେ । ସେହିଭଳି ଆଦାମ ଜାମ୍ପା ଅପରାଜିତ ୧୦ ରନ ସଂଗ୍ରହ କରିଥିଲେ । ଫଳରେ ଅଷ୍ଟ୍ରେଲିଆ ୨୬୯ ରନରେ ଅଲ ଆଉଟ ହୋଇଥିଲା । ସେପଟେ ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ ପାଇଥିବା ବେଳେ ମହମ୍ମଦ ସିରାଜ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ଅନୁଭବୀ ମହମ୍ମଦ ସାମି କିମ୍ବା ରବିନ୍ଦ୍ର ଜାଡେଜାଙ୍କୁ କୌଣସି ସଫଳତା ମିଳିନଥିଲା ।

ଏହାପରେ ଶୃଙ୍ଖଳା ଜିତିବା ପାଇଁ ୨୭୦ ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଭାରତ । ଅଧିନାୟକ ରୋହିତ ଶର୍ମା ୧୭ ବଲରୁ ୨ ଚୌକୋ ଓ ୨ ଛକା ବଳରେ ୩୦ ରନର ଧୂଆଁଧାର ପାଳି ଖେଳିଥିଲେ । କିନ୍ତୁ ସିନ୍‌ ଆବଟଙ୍କ ବଲରେ ମିଚେଲ ଷ୍ଟାର୍କଙ୍କ ହାତରେ ଧରାପଡ଼ିଥିଲେ । ଏହାପରେ ଶୁଭମନ ଗିଲ ୪୯ ବଲରୁ ୪ ଚୌକା ଓ ଗୋଟିଏ ଛକା ମାରି ୩୭ ରନରେ ପହଞ୍ଚିଥିବା ବେଳେ ଜାମ୍ପାଙ୍କ ଶିକାର ହୋଇଥିଲେ ଗିଲ । ଏହାପରେ କୋହଲିଙ୍କ ସହ ପାଳି ସମ୍ଭାଳିଥିଲେ ଲୋକେଶ ରାହୁଲ । କିନ୍ତୁ ୫୦ ବଲରୁ ୨ଟି ଚୌକା ଓ ଗୋଟିଏ ଛକା ବଳରେ ୩୨ ରନ କରିଥିବା ବେଳେ ଜାମ୍ପାଙ୍କ ବଲରେ ଆଉଟ୍‌ ହୋଇଥିଲେ ରାହୁଲ । ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ଅଲରାଉଣ୍ଡର ଅକ୍ଷର ପଟେଲ । ତେବେ ସେ ମାତ୍ର ୨ ରନ ସଂଗ୍ରହ କରି କୋହଲିଙ୍କ ସହ ପିଚ୍‌ରେ ଭୁଲ ବୁଝାମଣା ଯୋଗୁଁ ରନ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ ।

ଏହାପରେ ବିରାଟ କୋହଲି ମଧ୍ୟ ଆଉଟ ହୋଇଥିଲେ । ଆଷ୍ଟନ ଏଗାରଙ୍କ ବଲରେ ବଡ଼ ସର୍ଟ ଖେଳିବାକୁ ଯାଇ ୱାର୍ନରଙ୍କ ହାତରେ ଧରା ପଡ଼ିଥିଲେ କୋହଲି । ତେବେ ଆଜିର ମ୍ୟାଚ୍‌ରେ ଭାରତ ପକ୍ଷରୁ କୋହଲି ସର୍ବାଧିକ ୫୪ ରନ ସ୍କୋର କରିଥିଲେ । ଏଥିରେ ୨ ଚୌକା ଓ ଗୋଟିଏ ଛକା ସାମିଲ ରହିଛି । ଏହାପରେ ୪୦ ବଲରୁ ୪୦ ରନ କରି ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ ହୋଇଥିଲେ । ରବିନ୍ଦ୍ର ଜାଡେଜା ୩୩ ବଲରୁ ୧୮ ରନ ଓ ମହମ୍ମଦ ସାମି ୧୦ ବଲରୁ ୧୪ ରନ ସଂଗ୍ରହ କରି ଆଉଟ ହୋଇଥିଲେ । କୁଲଦୀପ ଯାଦବ ମାତ୍ର 6 ରନ କରିବାରେ ସକ୍ଷମ ହୋଇଥିଲେ । ମହମ୍ମଦ ସିରାଜ ୫ ବଲରୁ ୩ ରନ କରି ଅପରାଜିତ ରହିଥିଲେ । ତେବେ ସମୁଦାୟ ୪୯.୧ ବଲ ଖେଳି ୨୪୮ ରନ୍‌ କରି ଅଲଆଉଟ ହୋଇଛି ଭାରତୀୟ ଦଳ । ଏଥି ସହିତ ଶୃଙ୍ଖଳାରେ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.