ETV Bharat / science-and-technology

Meta Layoffs: ପୁଣି ମେଟାରେ ଛଟେଇ ଆରମ୍ଭ, ପ୍ରଭାବିତ ହେବେ 10,000 କର୍ମଚାରୀ

author img

By

Published : Apr 20, 2023, 10:57 AM IST

Meta Layoffs
Meta Layoffs

ଆର୍ଥିକ ସଙ୍କଟ ମଧ୍ୟରେ ପୁଣି ଛଟେଇ ଆରମ୍ଭ କଲା ମେଟା । ତିନି ମାସ ମଧ୍ୟରେ ତିନିଟି ପର୍ଯ୍ୟାୟରେ ଚାକିରି ହରାଇବେ 10 ହଜାର କର୍ମଚାରୀ । ଅଧିକ ପଢନ୍ତୁ

ୱାଶିଂଟନ: ପୁଣି ମେଟାରେ ଛଟେଇ ଆରମ୍ଭ । ଆର୍ଥିକ ସଙ୍କଟ ମଧ୍ୟରେ କମ୍ପାନୀ ଆଉ ଏକ ରାଉଣ୍ଡ ଛଟେଇ ଆରମ୍ଭ କରିଥିବା ଜଣାପଡିଛି । ଏଥର 10 ହଜାର କର୍ମଚାରୀ ପ୍ରଭାବିତ ହେବା ନେଇ ସୂଚନା ମିଳିଛି । ଏଥିରେ ଇଞ୍ଜିନିୟର ତଥା ବୈଷୟିକ ଟିମ୍ ପ୍ରଭାବିତ ହୋଇଛନ୍ତି । ସୂଚନା ଅନୁସାରେ, ମାର୍ଚ୍ଚରେ ମେଟା ପ୍ରଥମ ବୃହତ୍ତ ବୈଷୟିକ କମ୍ପାନୀ ଭାବରେ ଦ୍ୱିତୀୟ ପର୍ଯ୍ୟାୟ ଛଟେଇ ନେଇ ଘୋଷଣା କରିଥିଲା । ତିନି ମାସ ମଧ୍ୟରେ ତିନିଟି ପର୍ଯ୍ୟାୟରେ 10,000 କର୍ମଚାରୀ ପ୍ରଭାବିତ ହେବେ ବୋଲି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଥିଲା ।

ଫେସବୁକ୍ ଓ ଇନଷ୍ଟାଗ୍ରାମ ପ୍ୟାରେଣ୍ଟ୍ କମ୍ପାନୀର ମେଟା ବ୍ୟବସାୟିକ ଆହ୍ବାନକୁ ସାମ୍ନା କରିବାକୁ ଯାଇ କମ୍ପାନୀରେ କର୍ମଜୀବୀ ସଂଖ୍ୟା ହ୍ରାସ କରୁଥିବା ଗତବର୍ଷ ସିଇଓ ମାର୍କ ଜୁକରବର୍ଗ କହିଥିଲେ । ସେତେବେେ ମେଟା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(CEO) ମାର୍କ ଜୁକରବର୍ଗ କହିଥିଲେ ଯେ, "ଅଭିବୃଦ୍ଧି କ୍ଷେତ୍ରରେ ଅଳ୍ପ ସଂଖ୍ୟକ ପୁଞ୍ଜି ବିନିଯୋଗ ଉପରେ କମ୍ପାନୀ ଧ୍ୟାନ ଦେବ । 2023 ଶେଷ ସୁଦ୍ଧା ଆମ ସଂଗଠନର ଆକାର ବର୍ତ୍ତମାନ ତୁଳନାରେ ସମାନ କିମ୍ବା ଟିକିଏ ଛୋଟ ହେବ । ଏଥିସହ 2023 ମେଟାର ଦକ୍ଷତାର ବର୍ଷ ହେବ ଏବଂ କମ୍ପାନୀରେ କିଛି ପ୍ରୋଜେକ୍ଟ ବନ୍ଦ ହୋଇପାରେ ।" ବର୍ତ୍ତମାନ ଜୁକରବର୍ଗଙ୍କ ସଂକେତ ସତ ହୋଇଛି । 2023 ଆରମ୍ଭରୁ ହିଁ କମ୍ପାନୀରେ ଛଟେଇ ଆରମ୍ଭ ହୋଇଯାଇଛି ।

ସୂଚନା ଅନୁସାରେ, 2022ରେ ମେଟା ପ୍ରଥମ ପର୍ଯ୍ୟାୟ ଛଟେଇ ଆରମ୍ଭ କରିଥିଲା । ଏହି ସମୟରେ 11,000ରୁ ଅଧିକ କର୍ମଚାରୀ ଅର୍ଥାତ୍ ସେହି ସମୟରେ 13% କର୍ମଜୀବୀ ପ୍ରଭାବିତ ହୋଇଥିଲେ । ଡିଜିଟାଲ ବିଜ୍ଞାପନ ଏବଂ କ୍ଲାଉଡ୍ କମ୍ପ୍ୟୁଟିଂ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ ଚାକିରି ହରାଇଥିଲେ । ତେବେ କହି ରଖୁଛୁ ଯେ, ଆର୍ଥିକ ସଙ୍କଟ ମଧ୍ୟରେ ଦେଶ ତଥା ବିଦେଶର ବହୁ ନାମିଦାମୀ କମ୍ପାନୀ ହଜାର ହଜାର କର୍ମଚାରୀଙ୍କ ଛଟେଇ କରୁଛନ୍ତି । ଏଲନ ମସ୍କ ଟ୍ବିଟରକୁ ନିଜ ଅଧୀନକୁ ନେବା ପରେ 2022 ଅକ୍ଟୋବରରେ ପ୍ରଥମେ ଛଟେଇ ଆରମ୍ଭ କରିଥିଲେ ।

ଏହି ଛଟେଇରେ ଦେଶ ତଥା ବିଦେଶର ହଜାର ହଜାର କର୍ମଚାରୀ ପ୍ରଭାବିତ ହୋଇଛନ୍ତି । ଛଟେଇର ଚାପ କାରଣରୁ ବିଶ୍ବସ୍ତରରେ ମାନସିକ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ରିପୋର୍ଟ ହୋଇଛି । ତେବେ ଆଗକୁ ଆଉ କେଉଁ କେଉଁ କମ୍ପାନୀ ଛଟେଇ କରୁଛନ୍ତି ତା' ଉପରେ ନଜର ରହିବ ନିଶ୍ଚୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.